ଭାରତୀୟ ରେଳପଥ ପାଇଁ କାଳ ସାଜିଛି କରୋନା। ଦୈନିକ ୧ ହଜାର କର୍ମଚାରୀ କରୋନାରେ ସଂକ୍ରମିତ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୯୫୨ କର୍ମଚାରୀ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି।
ରେଳପଥ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରେଳପଥ ଡାକ୍ତରଖାନାଗୁଡ଼ିକରେ ୪୦୦୦ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଚିକିତ୍ସିତ ହେଉଛନ୍ତି। ଗତ ମାର୍ଚ୍ଚରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୯୫୨ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ରେଳପଥ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳଠାରୁ ଭିନ୍ନ ନୁହେଁ। କରୋନା ମହାମାରୀ ସମୟରେ ତାଲାବନ୍ଦ ସତ୍ବେ ମାଲଗାଡ଼ିରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହେଉଛି। ପ୍ରତିଦିନ ଆମର ୧ ହଜାର କର୍ମଚାରୀ କରୋନାରେ ସଂକ୍ରମିତ ହେଉଛନ୍ତି। ରେଳପଥ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉଛି ଏବଂ ନିଜସ୍ବ ଅମ୍ଳଜାନ କାରଖାନା ନିର୍ମାଣ କରାଯାଇଛି। ଆମେ ଆମ କର୍ମଚାରୀ ଯତ୍ନ ନେଉ ବୋଲି ସେ କହିଛନ୍ତି।
ତେବେ ପ୍ରାଣ ହରାଇଥିବା ୧୯୫୨ କର୍ମଚାରୀଙ୍କ ମଧ୍ୟରେ ୧୧୩ ଜଣ ଆଗଧାଡ଼ିର ଯୋଦ୍ଧା ବା ଷ୍ଟେଶନ ମାଷ୍ଟର ରହିଛନ୍ତି। ସେହିପରି ରେଳ ସୁରକ୍ଷା ବଳର ୫୦ ଆଗଧାଡ଼ିର ଯୋଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି। ସର୍ବଭାରତୀୟ ଷ୍ଟେଶନ ମାଷ୍ଟର ସଂଘ ପକ୍ଷରୁ ପ୍ରତି କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା କରାଇବାକୁ ଦାବି କରାଯାଇ ରେଳପଥ ବୋର୍ଡକୁ ଚିଠି ଲେଖାଯାଇଛି।



