ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଅଞ୍ଚଳରେ ଜଣେ ବାଇକ୍ ଚାଳକଙ୍କ ଠାରୁ ମୋବାଇଲ୍ ଫୋନ୍ ଓ ଟାବ୍ଲେଟ୍ ଲୁଟି ନେଇଥିବା ଏକ ରାଜପଥ ଲୁଟେରା ଗୋଷ୍ଠିର ଦୁଇଜଣ ସଦସ୍ୟଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଲୁଟ୍ ମୋବାଇଲ୍ ଓ ଲୁଟ୍ରେ ବ୍ୟବହୃତ ଏକ ବାଇକ୍କୁ ପୁଲିସ ଜବତ କରିଥିବା ସଂପର୍କରେ ପିପିଲି ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କୋଣାର୍କ ବାଲିସାହି ଅଞ୍ଚଳରେ ରହୁଥିବା ଗୋପ ଥାନା ଜୁଣେଇ ବାହାରଣା ଅଞ୍ଚଳର ମଣ୍ଟୁ ନାୟକ (୨୧) ଓ ରାମଚଣ୍ଡି ଥାନା ଚଣ୍ଡିବରହମପୁର ଅଞ୍ଚଳର ସାଗର ରାଉତ(୨୧)। ଉଭୟଙ୍କୁ ଆଜି ପିପିଲି କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଭୁବନେଶ୍ୱର ସ୍ଥିତ ଏକ ସଂସ୍ଥାର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା କଟକ ଜିଲା ବାଙ୍କି ଥାନା ଅନ୍ତର୍ଗତ ଭାଗିପୁର ବାଆଁରା ଅଞ୍ଚଳର ଦିପ୍ତରଞ୍ଜନ ସାହୁ ଗତ ଅପ୍ରେଲ ମାସ ୧୬ ତାରିଖ ଅପରାହ୍ନ ୪ଟା ସମୟରେ ନିଜ ବାଇକ୍ରେ ଜଣେ ସାଙ୍ଗଙ୍କ ସହ ପିପିଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କୌଶଲ୍ୟାଗଙ୍ଗ ଅଞ୍ଚଳରେ ଲୁଟ୍ର ଶିକାର ହୋଇଥିଲେ। ଦୁଇଜଣ ଲୁଟେରା ଏକ କଳା ରଙ୍ଗର ପଲ୍ସର ବାଇକ୍ରେ ପଛରୁ ଆସି ସେମାନଙ୍କୁ ଅଟକାଇବା ସହ ଦିପ୍ତିରଞ୍ଜନଙ୍କ ଠାରୁ ମୋବାଇଲ୍ ଫୋନ୍ ଓ ଟାବ୍ଲେଟ୍କୁ ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏସ୍ଆଇ ରଶ୍ମିରଞ୍ଜନ ପୃଷ୍ଟି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଲୁଟେରା ମଣ୍ଟୁ ନାୟକ ଓ ଲୁଟ୍ ମୋବାଇଲ୍ କିଣିଥିବା ସାଗର ରାଉତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଲୁଟେରା ଚନ୍ଦନ ଜେନା ଏବେ ଭୁବନେଶ୍ୱର ଚନ୍ଦକା ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍ରେ ଥିବା ବେଳେ ତାକୁ ରିମାଣ୍ଡରରେ ଅଣାଯିବ ବୋଲି ପୁଲିସ ସୂଚନା ଦେଇଛି। ଏହି ରାଜପଥ ଲୁଟେରା ଗୋଷ୍ଠିର ଅନ୍ୟ ସଦସ୍ୟ ମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇବା ସହ ଗିରଫ ଅଭିଯୁକ୍ତମାନେ ଅନ୍ୟ କେଉଁ କେଉଁ ମାମଲାରେ ସଂପୃକ୍ତ ଅଛନ୍ତି ସେ ସଂପର୍କରେ ପୁଲିସ ଅନୁସନ୍ଧାନ ଚଳାଇଥିବା ସଂପର୍କରେ ଥାନାଧିକାରୀ ଶ୍ରୀପୃଷ୍ଟି ସୂଚନା ଦେଇଛନ୍ତି।



