www.samajalive.in
Wednesday, December 10, 2025
14.1 C
Bhubaneswar

ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ଆଇସିୟୁ ଓ ବେଡ୍‌ ଉପରୁ ଚାପ କମିବ, ଜୀବନମରଣ ପରିସ୍ଥିତିର ଯନ୍ତ୍ରଣାକୁ ଦୂରେଇ ହେବ: ମୁଖ୍ୟମନ୍ତ୍ରୀ

  • ପର୍ଯ୍ୟାପ୍ତ ଜରୁରୀ ଔଷଧ ମହଜୁବ ଓ ଅକ୍‌ସିଜେନ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୂତ୍ବ
  • ଗୋଷ୍ଠୀକୁ ସାଥିରେ ନେଇ ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ ପାଇଁ ଜିଲାପାଳ ଓ ଏସ୍‌ପିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର କୋଭିଡ ପରିସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୁଦ୍ଧରେ ଲଢେଇ ଏକ ଲମ୍ବା ଲଢେଇ। ତେଣୁ ଏ ଲଢେଇ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଦାୟିତ୍ବର ସହ କାମ କରିବାକୁ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ଆଇସିୟୁ ଓ ଗୋଟିଏ ବେଡ୍‌ ଉପରୁ ଚାପ କମିଥାଏ। ଯଦ୍ବାରା ଜୀବନ ମରଣ ପରିସ୍ଥିତିର ଯନ୍ତ୍ରଣାକୁ ଦୂରେଇ ହୋଇଥାଏ। ରାଜ୍ୟ ସରକାର କୋଭିଡ ରୋଗୀମାନଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ଦିନରାତି ଏକ କରି ସେବା ଜାରି ରଖିଛନ୍ତି। ଏଥିପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍‌ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସାରା ଦେଶ ବର୍ତ୍ତମାନ ଏକ ଗୁରୁତର ସଂକଟ ମଧ୍ୟ ଦେଇ ଗତି କରୁଛି। ବଡ ବଡ ସହର ଓ ମେଟ୍ରୋ ମାନଙ୍କରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଚାପଗ୍ରସ୍ତ। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଆମେ ନିରନ୍ତର ଭାବେ ସେବା କରିଚାଲିଛୁ। କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦ୍‌ବେଗ ସୃଷ୍ଟି କରିଛି। ଭାଇରସ୍‌ର ଡବଲ୍‌ ଓ ଟ୍ରିପଲ୍‌ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହି ଦ୍ବିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ।


ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଆମେ ଯେଉଁ ନୀତି ଅବଲମ୍ବନ କରିଆସିଛେ, ସେହିପରି କୋଭିଡର ମୁକାବିଲାରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ଆମ ପ୍ରସ୍ତୁତ ରହିବା ଦରକାର। ଏହି ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରେ ପରିସ୍ଥିତିର ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ପର୍ଯ୍ୟବେକ୍ଷକ ମାନେ ଏଥିପ୍ରତି ଯତ୍ନବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏସବୁ ବିଷୟ ନିୟମିତ ସମୀକ୍ଷା କରି ପରବର୍ତ୍ତୀ ବୈଠକରେ ତାଙ୍କୁ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବଙ୍କୁ ପରାମର୍ଶ ଦେଇଥିଲେ। କୋଭିଡ ନିୟନ୍ତ୍ରଣରେ ବିଭିନ୍ନ ଜିଲ୍ଲାର ବଣିକ ସଂଗଠନ ମାନେ ଯେପରି ସ୍ବେଚ୍ଛାକୃତ ଭାବରେ ଆଗେଇ ଆସି ବ୍ୟବସାୟ ସମୟକୁ ସୀମିତ କରିଛନ୍ତି ଏବଂ କେତେକ ସ୍ଥାନରେ ସ୍ବେଚ୍ଛାକୃତ ଭାବରେ ଦୋକାନ ବନ୍ଦ କରିଛନ୍ତି, ତାହା ସ୍ବାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ଆମର କୋଭିଡ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ପାଇଁ ସମସ୍ତ ଆବାସିକ ସଂଘ, ବଣିକ ସଂଘ ଏବଂ ଅନ୍ୟାନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ମାନଙ୍କ ସହିତ ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କୋଭିଡ ରୋଗର ଚିକିତ୍ସାରେ ଅକ୍‌ସିଜେନର ଗୁରୁତ୍ବ ସବୁଠାରୁ ଅଧିକ। ତେଣୁ ଅକ୍‌ସିଜେନ ଯୋଗାଣ ଯେପରି ସୁବ୍ୟବସ୍ଥିତ ଭାବରେ ଜାରି ରହିବ, ତାହାର ତଦାରଖ କରିବା ସହିତ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ଯେପରି ରୋଗୀ ପାଖରେ ପହଞ୍ଚି ପାରିବ, ସେଥିପ୍ରତି ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଜରୁରୀ ଔଷଧ ମହଜୁଦ ରଖିବା ଏବଂ ତାହାର ଯୋଗାଣ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କୋଭିଡର ଏହି ଦ୍ବିତୀୟ ଲହର ଆମକୁ ସୂଚାଇ ଦେଇଛି ଯେ ଏ ସଂକଟ ଦୀର୍ଘ ଦିନର ଏବଂ ଏଥିପାଇଁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ହେବ। ଏଣୁ ଯଦି ଆମେ କୋଭିଡ ନିୟମାବଳୀକୁ ଠିକ୍‌ ଭାବରେ ପାଳନ କରିବା, ତେବେ କୋଭିଡର ପରାଜୟ ସୁନିଶ୍ଚିତ। ଏ ବିପତ୍ତି ସମୟରେ ନିଷ୍ଠାର ସହ ସେବା ଯୋଗାଉ ଥିବା ଆମର ସମ୍ମୁଖ ଯୋଦ୍ଧାମାନଙ୍କର ଯତ୍ନ ନିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ସବୁବେଳେ ଠିକ୍‌ ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ଆଦି କୋଭିଡ ନିୟମାବଳୀର ସଠିକ୍‌ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ରୋଗୀର ଜୀବନ ରକ୍ଷା ପାଇଁ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କଠିନ ପରିଶ୍ରମ କରୁଛନ୍ତି। ତେଣୁ ଆମେ ପ୍ରତ୍ୟେକ ଯଦି ଦାୟିଦ୍ବବାନ ହେବା, ତେବେ କୋଭିଡ ଯୁଦ୍ଧରେ ଆମେ ନିଶ୍ଚିତ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

- Advertisement -

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କୋଭିଡ କେୟାର ସେଣ୍ଟର ଗୁଡିକୁ କ୍ରିୟାଶୀଳ କରାଯିବା ସହିତ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି। ମେଡିକାଲ କଲେଜ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ନୂଆ ବେସରକାରୀ ହସ୍‌ପିଟାଲ ଗୁଡିକୁ କୋଭିଡ ହସ୍‌ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ୩୦ ପ୍ରତିଶତ ଶଯ୍ୟାରେ ଅକ୍‌ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ପଡୋଶୀ ରାଜ୍ୟ ଗୁଡିକରେ ଅଧିକ କୋଭିଡ ସଂଖ୍ୟା ଥିବାରୁ ସେ ସବୁ ରାଜ୍ୟରୁ ଲୋକଙ୍କ ଚଳାଚଳ ଉପରେ ତୀକ୍ଷଣ ନଜର ରଖାଯାଇଛି। ଖୁବଶୀଘ୍ର ଶଯ୍ୟା ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଅନ୍‌ଲାଇନ୍‌ ରିଏଲ୍‌ଟାଇମ୍‌ ବେଡ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ୫୦,୯୫୮ ଆକ୍ଟିଭ୍‌ କେସ୍‌ ରହିଛି ଏବଂ ୭ଟି ଜିଲାରେ ୬୦ ପ୍ରତିଶତ ଆକ୍ଟିଭ୍‌ କେସ୍‌ ରହିଛି। ସେ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୩୧,୪୭୧ଟି ବେଡ୍‌ ରହିଛି ଏବଂ ଆଇସିୟୁ ବେଡ୍‌ ବ୍ୟତୀତ ୧୭,୪୯୫ଟି ବେଡ୍‌ରେ ଅକ୍‌ସିଜେନର ବ୍ୟବସ୍ଥା କରାଯାଇଛି। ଉଭୟ ସରକାରୀ ଓ ବେସରକରୀ କୋଭିଡ ହସ୍‌ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ ସଂଖ୍ୟକ ଶଯ୍ୟାରେ ଅକ୍‌ସିଜନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ରାଜ୍ୟରେ ବର୍ତ୍ତମାନ ଦୈନିକ ୪୨.୧୦ ମେଟ୍ରିକ ଟନ୍‌ ଅକ୍‌ସିଜେନ ବ୍ୟବହାର କରାଯାଉଛି ବୋଲି ସୂଚନା ଦେବା ସହିତ ରେମ୍‌ଡେସିଭିରର୍‌ ଏବଂ ଫାଭିପିରାଭିର୍‌ ଆଦି ସମସ୍ତ ଜରୁରୀ ଔଷଧ ଯଥେଷ୍ଟ ଭାବରେ ଉପଲବ୍‌ଧ ରହିଛି ବୋଲି ସେ କହିଥିଲେ।


ପୁଲିସ ମହାନିର୍ଦେଶକ ଅଭୟ କୋଭିଡ ନିୟମାବଳୀର ଅନୁପାଳନ ଦିଗରେ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେବା ସହିତ କହିଥିଲେ ଯେ ଆଜି ସୁଦ୍ଧା ୮ଟି ରାଜ୍ୟକୁ ୯୦ଟି ଟ୍ୟାଙ୍କର ଜରିଆରେ ୧୬୭୫.୮୧ ଟନ୍‌ ଅକ୍‌ସିଜେନ ପଠାଯାଇଛି। ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସଂପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ। ବୈଠକରେ ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର ଓ ଖୋର୍ଦ୍ଧା ଜିଲାର ଜିଲାପାଳମାନେ ଜିଲାର କୋଭିଡ ପରିସ୍ଥିତି ଓ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ। ବୈଠକରେ ଉନ୍ନୟନ କମିଶନର ପି.କେ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ. ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories