www.samajalive.in
Saturday, December 6, 2025
19.1 C
Bhubaneswar

ରାଜ୍ୟରେ ପୁଣି ଫେରିଲା ନାଇଟ୍‌ କର୍ଫ୍ୟୁ, ୧୦ ଜିଲାର ସହରାଞ୍ଚଳରେ ସପ୍ତାହନ୍ତ ସଟ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭୂତାଣୁର ଦ୍ବିତୀୟ ଲହରକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଜିଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ୧୦ଟି ଜିଲା ପାଇଁ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ସେହିପରି ସମସ୍ତେ ମାସ୍କ ପିନ୍ଧିବା ଏବଂ କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଓଡ଼ିଶା ସୀମା ଛତିଶଗଡ଼ରେ ଥିବା ୧୦ଟି ଜିଲାରେ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି। ଏସବୁ ଜିଲାରେ ସନ୍ଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ସେହିପରି ରାଜ୍ୟର ଅନ୍ୟ ୨୦ଟି ଜିଲାରେ ଭୁବନେଶ୍ବର ଓ କଟକ ସମତେ ନାଇଟ୍‌ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ। ଆସନ୍ତାକାଲିଠାରୁ ନାଇଟ୍‌ କର୍ଫ୍ୟୁ ନିୟମ ଲାଗୁ କରାଯିବ। ତେବେ ନାଇଟ୍‌ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।


ଆଜି ମୁଖ୍ୟଶାସନ ସଚିବ କରୋନାସ୍ଥିତି ନେଇ ବିସ୍ତୃତ ସୂଚନା ରଖି କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍ ସଂକ୍ରମଣ ହାର ଦିନକୁ ଦିନ ଭୟଙ୍କର ହେଉଛି ଏବଂ ଏଥିରେ ବ୍ୟାପକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି। ତେଣୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଓଡ଼ିଶା ସୀମାବର୍ତ୍ତୀ ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିଲା । କିନ୍ତୁ ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏସବୁ ଜିଲାରେ ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରିବେ। ଏସବୁ ଜିଲାରେ ଥିବା ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ତଥା ସହରାଞ୍ଚଳରେ ପ୍ରତି ଶନିବାର ଓ ରବିବାର ସାପ୍ତାହନ୍ତ ସଟ୍‌ଡାଉନ୍ ଲାଗୁ ହେବ।

- Advertisement -


ସେହିପରି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ରାଜ୍ୟ ସରକାର ଅନ୍ୟ ୨୦ଟି ଜିଲାରେ ଆସନ୍ତାକାଲିଠାରୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ନାଇଟ୍‌ କର୍ଫ୍ୟୁ ସମୟରେ ଏହି ଜିଲାଗୁଡ଼ିକରେ ମଧ୍ୟ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ। ମାଲବାହୀ ପରିବହନ ପୂର୍ବପରି ଚାଲୁ ରହିବ। ସପିଂ ମଲ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ। କିନ୍ତୁ ମାସ୍କ ଓ ସାମାଜିକ ଦୂରତ୍ୱ ପାଳନ ବାଧ୍ୟତାମୂଳକ ହେବ। ଯେଉଁମାନେ କୋଭିଡ୍‌ ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସାଙ୍ଗକୁ ଦୋକାନକୁ ସିଲ୍‌ କରି ଦିଆଯିବ ଏବଂ ଲାଇସେନ୍ସ ବାତିଲ କରାଯିବା ନେଇ ପଦକ୍ଷେପ ନିଆଯିବ। ରାସ୍ତାକଡ଼ ଦୋକାନରେ ଖାଇବା ପାଇଁ ଅନୁମତି ରହିଛି, କିନ୍ତୁ ଦୋକାନୀଙ୍କ ସହ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ ପ୍ରତିଧ୍ୟାନ ଦେବା ପଡ଼ିବ। ସେହିପରି ମାଛ, ମାଂସ, ପରିବା ଦୋକାନ ଆଦିରେ ସମସ୍ତେ ମାସ୍କ ପିନ୍ଧିବେ ଏବଂ ମାସ୍କ ପିନ୍ଧି କଥା ହେବେ।
ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାଠୁ ମିଳିଥିବା ପରିଚୟ ପତ୍ର ଦେଖାଇ ସେମାନେ ଯାତାୟତ କରିପାରିବେ। ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ଆଦିଗୁଡ଼ିକ ନିଜର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିପାରିବ। ବିବାହ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ। ଅଟୋ ଟ୍ୟାକ୍ସିରେ ମାତ୍ର ୨ଜଣ ଯାଇପାରିବେ ଏବଂ ବସ୍‌ରେ କେହି ଠିଆ ହୋଇ ଯାଇପାରିବେ ନାହିଁ।


ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଆସନ୍ତା ୧୯ରୁ ବନ୍ଦ ରହିବ। ଅନ୍‌ଲାଇନ୍‌ରେ ପାଠପଢ଼ା ହୋଇପାରିବ। କୋଚିଂ ସେଣ୍ଟର ମଧ୍ୟ ଅନ୍‌ଲାଇନ୍‌ କ୍ଲାସ କରିପାରିବେ। ବାହଘର ପାଇଁ ୫୦ଜଣ ଓ ଶୁଦ୍ଧିକ୍ରିୟା ପାଇଁ ୨୦ଜଣଙ୍କୁ ଅନୁମତି ଦିଆଯାଇପାରିବ। ମନ୍ଦିରରେ ରୀତିନୀତି ହେବ, ଜନସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥାରେ କଟକଣା ଲାଗୁ ହେବ। ଅନ୍ତରାଜ୍ୟ ବସଚଳାଚଳକୁ ବନ୍ଦ କରାଯାଇଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଓଡ଼ିଶା ଫେରନ୍ତାଙ୍କ ପାଇଁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଯେଉଁମାନଙ୍କ ପାଖରେ ଆର୍‌ଟିପିସିଆର୍‌ ​‌େ​‌ନଗେଟିଭ୍‌ ରିପୋର୍ଟ ନ ଥିବ ସେମାନଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ ଦିଆଯିବ।
ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ କର୍ମଚାରୀ ୫୦ ପ୍ରତିଶତ ହ୍ରାସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଯେତେ କମ୍‌ ସଂଖ୍ୟାରେ ଲୋକଙ୍କୁ ନେଇ କାର୍ଯ୍ୟାଳୟ ଚଳାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବେ। କାର୍ଯ୍ୟାଳୟରେ ସମସ୍ତେ ମାସ୍କ ପିନ୍ଧି କାର୍ଯ୍ୟ କରିବେ। ବର୍ତ୍ତମାନ ୩୦ ପ୍ରତିଶତରୁ ଅଧିକ କରୋନା ଆକ୍ରାନ୍ତ ଯୁବଗୋଷ୍ଠୀର ବୋଲି ଜଣାପଡ଼ିଛି। ତେଣୁ ସମସ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମ କଡ଼ାକଡ଼ି ଭାବେ ମାନିବା ଦରକାର ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories