www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଶା ଜମିରେ ପଡ଼ିଶାର ଦାଦାଗିରି, ସରକାରୀ ଜମି ଅକ୍ତିଆର କରୁଛନ୍ତି ଆନ୍ଧ୍ର ସୀମାନ୍ତବାସୀ

ରାୟଗଡ଼ା :ରାୟଗଡ଼ା ଜିଲ୍ଲାରେ ସୀମା ବିବାଦ ବନ୍ଦ ହେବାର ନାଁ ନେଉନାହିଁ। ଓଡ଼ିଶା ଜମିରେ ଆନ୍ଧ୍ରର ଲୋକେ ଦେଖାଉଥିବା ଦାଦାଗିରି ଏବେ ଚରମ ସୀମାରେ ପହଞ୍ଚିଛି। କେତେବେଳେ ଓଡ଼ିଶାର ଜମିକୁ ଅକ୍ତିଆର କରିବାକୁ ସୀମାରେ ରହୁଥିବା ଆନ୍ଧ୍ର ବାସିନ୍ଦା ପଛାଉନାହାନ୍ତି ତ ଆଉ କେତେବେଳେ ସୀମାନ୍ତର ନାମଫଳକକୁ ଆନ୍ଧ୍ର ପ୍ରଶାସନ ସହ ମିଶି ଭାଙ୍ଗୁଛନ୍ତି। ସେପଟେ ସୀମାରେ ରହୁଥିବା ଓଡିଶା ବାସିନ୍ଦା ମଧ୍ୟ ସରକାରୀ ସୁବିଧା ନ ପାଇ ଧିରେଧିରେ ଆନ୍ଧ୍ର ମୁହାଁ ହେଉଛନ୍ତି। ଏଭଳି ଗମ୍ଭୀର ସମସ୍ୟା ଦେଖାଦେଇଛି ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗଗୁପାଡ଼ୁ ପଞ୍ଚାୟତର ଲାଉଗୁଡ଼ା ଗ୍ରାମରେ। ଗ୍ରାମରେ ପ୍ରାୟ ଓଡିଶାର ୪୦ପରିବାର ବସବାସ କରୁଥିବାବେଳେ ସେମାନେ ଏ ଯାଏଁ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପକ୍କା ରାସ୍ତା ନ ଥିବା ଯୋଗୁଁ ଲାଉଗୁଡ଼ାବାସୀ ଏବେ ଆନ୍ଧ୍ର ମୁହାଁ ହେବା ନେଇ ଚିନ୍ତା କରୁଛନ୍ତି।

 

- Advertisement -

ଆଉ ଏଭଳି ସ୍ଥିତିରେ ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାର ଜମି ଉପରେ ରାଜ କରୁଛନ୍ତି ସୀମାନ୍ତରେ ରହୁଥିବା ଆନ୍ଧ୍ରବାସୀ। ରାମନାଗୁଡ଼ା ବ୍ଲକର ଲାଉଗୁଡ଼ା ସୀମାନ୍ତରେ ରହିଛି ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟନଗରମ୍ ଜିଲାର ଗୁମ୍ମାଲକ୍ଷ୍ମୀପୁରମ୍ ମଣ୍ଡଳ। ସୀମାରେ ଅନେକ ଗ୍ରାମ ରହିଥିବା ବେଳେ ଓଡିଶାର କାଟିକି, କପୁରୀଗୁଡା, ଆମ୍ବାଗୁଡ଼ା ଓ ବଡ଼ାଗୁଡ଼ା ପରି ଅନେକ ଗ୍ରାମବାସୀ ଆନ୍ଧ୍ର ଉପରେ ନିର୍ଭର କରିଥା’ନ୍ତି। ସୀମାନ୍ତ ଅଞ୍ଚଳରେ ପ୍ରାୟ ୧୨୧ଏକର ଓଡିଶା ସରକାରଙ୍କ ଜମି ରହିଥିବାବେଳେ ଲାଉଗୁଡା ଗ୍ରାମର କେବଳ ୫ଜଣ ଲୋକ ଲିଜ୍ ଆକାରରେ ପ୍ରାୟ ୧୦ଏକର ଜମିକୁ ବିଭିନ୍ନ ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏବଂ ମୁକାନା ଚୌଧୁରୀ ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ହେବ ପ୍ରାୟ ୯ଏକର ୧୫ସେଣ୍ଟ ସରକାରୀ ଜମିକୁ ନିଜ ଦଖଲରେ ରଖିଥିବା ଲାଉଗୁଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବଳକା ଜମିରୁ ପ୍ରାୟ ୭୦ପ୍ରତିଶତ ଜମିରେ ଆନ୍ଧ୍ର ଲୋକଙ୍କ ରାଜ୍ ଚାଲିଥିବା ନଜରକୁ ଆସିଛି। ବର୍ଷବର୍ଷ ଧରି ଆନ୍ଧ୍ର ଲୋକେ ଓଡିଶା ଜମିକୁ ଆକ୍ତିଆର କରି ଚାଷ କରୁଛନ୍ତି, କିନ୍ତୁ ଏହି ଖବର ପ୍ରଶାସନ ପାଖରେ ନାହିଁ। ଏ ନେଇ ସୀମାରେ ରହୁଥିବା ଓଡ଼ିଶା ଲୋକେ ବିରୋଧ କଲେ ଆନ୍ଧ୍ରର ଲୋକେ ଧମକଚମକ ଦେବାକୁ ଆସୁଥିବା ଲାଉଗୁଡ଼ା ଗ୍ରାମର ନାଗେଶ୍ବର ଶବର ଓ ଇନ୍ଦମ ଶବର ଅଭିଯୋଗ କରିଛନ୍ତି। ତେବେ ସୀମା ବିବାଦକୁ ନେଇ ରାୟଗଡ଼ା ଜିଲା ପ୍ରଶାସନ କଠୋର ହେବା ପରେ ଜିଲାର ସୀମାନ୍ତକୁ ଲାଗିଥିବା ଅନେକ ସ୍ଥାନରେ ସୀମା ଫଳକ ଲଗାଇଥିଲା। କିନ୍ତୁ ଗତ ୩ଦିନ ତଳେ ଲାଉଗୁଡ଼ାରୁ କାଟିକିକେଦାରପୁର ଛକ ନିକଟରେ ଲାଗିଥିବା ସୀମା ଫଳକକୁ ଆନ୍ଧ୍ର ପ୍ରଶାସନ ସହ ମିଶି କିଛି ଆନ୍ଧ୍ର ସୀମାର ଲୋକେ ଭାଙ୍ଗି ଦେଇଥିବା ଅଭିଯୋଗ ଆସିଥିଲା। ଏପରି ପରିସ୍ଥିତିରେ ଓଡିଶା ସୀମାର ଲୋକେ ଏବେ ଦିଗହରା ହୋଇପଡିଛନ୍ତି। ସୀମାରେ ଅନେକ ସମୟରେ କିଛି ନା କିଛି ବିବାଦ ଲାଗି ରହୁଥିବା ବେଳେ ସେମାନେ କ’ଣ କରିବେ କିଛି ଚିନ୍ତା କରିପାରୁନାହାନ୍ତି। ସେପଟେ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଓଡିଶାର ଲୋକେ ଉଭୟ ରାଜ୍ୟର ସରକାରୀ ସୁବିଧା ହାତେଇଥିବା ମଧ୍ୟ ନଜରକୁ ଆସିଛି। ଲାଉଗୁଡା ଗ୍ରାମର ଶରତ ଶବର, ସାଇରୀ ଶବର ଓ ରାଜେଶ ବିଡିକାଙ୍କ ଉଭୟ ଓଡିଶା ଓ ଆନ୍ଧ୍ରରେ ଆଧାରକାର୍ଡ ରହିଥିବା ବେଳେ ରାସନ କାର୍ଡ ଓ ଭୋଟର କାର୍ଡ ମଧ୍ୟ ରହିଥିବା ଜଣାପଡିଛି। ବାରମ୍ବାର ଏପରି ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଲାଉଗୁଡାବାସୀ। ଓଡିଶା ସରକାରଙ୍କ ପକ୍ଷରୁ ଏମାନଙ୍କ ସମସ୍ତ ପ୍ରକାର ମୋଳିକ ସୁବିଧା ସହ ସାମାଜିକ ସୁରକ୍ଷା ଯୋଗାଇ ନ ଦେଲେ ଏମାନେ ଆଗାମୀ ଦିନରେ ଆନ୍ଧ୍ର ସହ ଯେ ନ ମିଶିବେ ତାହା କହିବା ଅସମ୍ଭବ ହେବ ନାହିଁ। ଏ ନେଇ ଆମେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି ା

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories