ଶ୍ରୀଲଙ୍କା ସରକାର ବୁର୍ଖା ପରିଧାନ ଉପରେ କଟକଣା ଲାଗୁ ପାଇଁ ଆଇନ ଆଣିବା ସମ୍ପର୍କରେ ଘୋଷଣା କରିବା ପରେ ପାକିସ୍ତାନ ଖପ୍ପା ହୋଇଯାଇଛି। ଶ୍ରୀଲଙ୍କା ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ପାକିସ୍ତାନୀ ଉଚ୍ଚାୟୁକ୍ତ କଡ଼ା ଆପତ୍ତି ଜଣାଇଛନ୍ତି। ଏହି ନିଷ୍ପତ୍ତି ଯୋଗୁ ଶ୍ରୀଲଙ୍କା ଏବଂ ସାରା ବିଶ୍ଵରେ ରହୁଥିବା ମୁସଲମାନଙ୍କ ଭାବନାକୁ ଆଘାତ ପହଞ୍ଚିବ ବୋଲି ସେ କହିଛନ୍ତି।
ପାକିସ୍ତାନ ବିରୋଧ କରିବା ସହିତ ଇସାରା ଇସାରାରେ ଶ୍ରୀଲଙ୍କାକୁ ଧମକ ବି ଦେଇଛି। ପାକିସ୍ତାନୀ ଉଚ୍ଚାୟୁକ୍ତ ସାଦ୍ ଖଟ୍ଟାକ କହିଛନ୍ତି, ବୁର୍ଖା ନିଷେଧ ଯୋଗୁ ଶ୍ରୀଲଙ୍କା ଏବଂ ବିଶ୍ଵବ୍ୟାପୀ ମୁସଲମାନଙ୍କ ଭାବନାକୁ ଆଘାତ ଲାଗିବ। କରୋନା ମହାମାରୀ ଯୋଗୁ ଶ୍ରୀଲଙ୍କା ପୂର୍ବରୁ ଆର୍ଥିକ ସମସ୍ୟାରେ ପଡ଼ିଛି ଏବଂ ଅନ୍ତର୍ଜାତୀୟ ସ୍ତରରେ ବି ଶ୍ରୀଲଙ୍କାକୁ ନିଜର ଛବିକୁ ନେଇ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ଆର୍ଥିକ ସମସ୍ୟା ସତ୍ବେ ସୁରକ୍ଷା ନାମରେ ଏପରି ବିଭାଜନକାରୀ ପଦକ୍ଷେପ ଦେଶରେ ସଂଖ୍ୟାଲଘୁମାନଙ୍କ ମାନବାଧିକାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବ।
ଶ୍ରୀଲଙ୍କାର ଜନସୁରକ୍ଷା ମନ୍ତ୍ରୀ ୩ ଦିନ ତଳେ ସରକାରଙ୍କ ବୁର୍ଖା ନିଷେଧ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଏହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରୁ ସର୍ବପ୍ରଥମେ ପାକିସ୍ତାନ ନିଜର ପ୍ରତିକ୍ରିୟା ରକିଛି। ଏହି ନିଷ୍ପତ୍ତି ଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କାର ଛବିକୁ ନେଇ ଉପୁଜିବାକୁ ଚ୍ୟାଲେଞ୍ଜ ବିଷୟରେ ପାକ୍ ଉଚ୍ଚାୟୁକ୍ତ ଯୁକ୍ତି ବାଢ଼ିଛନ୍ତି। ତେବେ ଜାତିସଂଘ ମାନବାଧିକାର ପରିଷଦରେ ଏକ ସପ୍ତାହ ପରେ ଶ୍ରୀଲଙ୍କାର ମାନବାଧିକାର ରେକର୍ଡକୁ ନେଇ ଶୁଣାଣି ହେବାର ରହିଛି, ଯେଉଁଥିରେ ସଦସ୍ୟ ଦେଶ ଭୋଟିଂରେ ଅଂଶଗ୍ରହଣ କରିବେ। ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନ ବି ସଦସ୍ୟ ରହିଛି ଏବଂ ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କ ଧମକର ଇସାରା ଏହା ଉପରେ ଥିଲା ବୋଲି ଚର୍ଚ୍ଚା ହେଉଛି।



