www.samajalive.in
Thursday, December 11, 2025
14.1 C
Bhubaneswar

ଅକ୍ଟୋବରରେ ଖୋଲିବ ବମିଖାଲ ଫ୍ଲାଏଓଭର

ଭୁବନେଶ୍ୱର :  ବାରମ୍ବାର ଦୁର୍ଘଟଣା ଯୋଗୁଁ ଚର୍ଚ୍ଚାରେ ଥିବା ବମିଖାଲ ଫ୍ଲାଏଓଭର କାମ ସରିବାକୁ ଆଉ ଦୁଇମାସ ସମୟ ଲାଗିବ। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ପୂର୍ତ୍ତ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପାରିପାର୍ଶ୍ବିକ ଉନ୍ନୟନ କାମ ସରିବା ବେଳକୁ ଆଉ କିଛିଦିନ ସମୟ ଲାଗିବ। ତେଣୁ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବା ନେଇ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି। ପୋଖରୀପୁଟ୍‍ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଥିବାବେଳେ ବମିଖାଲ ଫ୍ଲାଏଓଭର ଖୋଲିବାକୁ ସମସ୍ତେ ଚାହିଁ ବସିଛନ୍ତି।
ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ ପୋଲରେ ସ୍ଲାବ୍‍ ପଡ଼ିବା କାର୍ଯ୍ୟ ଶେଷ ହୋଇ ସାରିଛି। ପୋଲରୁ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଓ କଲଭର୍ଟ ନିର୍ମାଣ ପାଇଁ ଏବେ କାମ ଚାଲିଛି। ଏହା ସରିବା ପରେ କଳ୍ପନା ଛକ ପଟକୁ ଲମ୍ବିଥିବା ପୋଲର ଅସମ୍ପୂର୍ଣ୍ଣ କାମକୁ ଶେଷ କରାଯିବ। ଏହା ପରେ ପୋଲ ତଳେ ଆପ୍ରୋଚ୍‍ ରୋଡ଼ ନିର୍ମାଣ କରିବା ପାଇଁ କାମ ଆରମ୍ଭ ହେବ। ଏହି କାମ ପାଇଁ ହାତରେ ଆମେ ମାସେ ସମୟ ରଖିଛୁ, କିନ୍ତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ବେଳକୁ ଅକ୍ଟୋବର ହୋଇଯିବ ବୋଲି ସେ କହିଛନ୍ତି। ଗତବର୍ଷ ସେପ୍ଟେମ୍ବର ୧୦ରେ ପୋଲର ସ୍ଲାବ୍‍ ଢଳେଇ ପଡୁଥିବା ବେଳେ ଏହାର ଢାଞ୍ଚା ଗଳିପଡ଼ିବାରୁ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କର ଝିଅ ଗୁରୁତର ଆହତ ହୋଇଥିଲେ। ଏଥିପାଇଁ କିଛିମାସ ପର୍ଯ୍ୟନ୍ତ କାମ ବନ୍ଦ ରହିଥିଲା। କାମ ଆରମ୍ଭ ପରେ ଚଳିତ ବର୍ଷ ମେ’ ମାସ ୪ରେ ପୁଣି ଏକ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ ତିନିଜଣ ଯନ୍ତ୍ରୀ ଓ ଠିକାଦାରଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏହା ପରେ ସମ୍ପୃକ୍ତ ଠିକା ସଂସ୍ଥାକୁ କାମରୁ ଅପସାରିତ କରାଯାଇ ନୂଆ ସଂସ୍ଥାକୁ ପୋଲ ନିର୍ମାଣ ଶେଷ ପାଇଁ କାମ ଦିଆଯାଇ ଥିଲା। କଟକ ରୋଡ଼ରେ ଟ୍ରାଫିକ୍‍ ଭିଡ଼ ଏବଂ ବମିଖାଲ ଲେଭଲ୍‍ କ୍ରସିଂ ଉଚ୍ଛେଦ ପାଇଁ ରେଳ ମନ୍ତ୍ରାଳୟ ୨୦୦୮-୦୯ରେ ଏହି ରେଳ ଓଭରବ୍ରିଜ୍‍ ପ୍ରକଳ୍ପ ମଞ୍ଜୁର କରିଥିଲେ। ୨୦୧୨ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ପୋଲ ନିର୍ମାଣ ପାଇଁ ୩୫ କୋଟି ଟଙ୍କାର ବ୍ୟୟଅଟକଳ ହୋଇଥିଲା, କିନ୍ତୁ ବମିଖାଲ ପଟକୁ ଏହାର ସମ୍ପ୍ରସାରଣ ହେବାରୁ ଖର୍ଚ୍ଚ ପରିମାଣ ୪୫ କୋଟିରେ ପହଞ୍ଚିଛି। ନିୟମ ଅନୁସାରେ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରାକ୍‍ ଉପରେ ପୋଲ ନିର୍ମାଣ ହୋଇଥିବାବେଳେ ସହିଦନଗର ଏବଂ କଟକରୋଡ଼ ପଟେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ପୋଲ ନିର୍ମାଣ କରାଯାଉଛି। ନିର୍ଦ୍ଧାରିତ ସମୟ ଭିତରେ ରେଳବାଇ ନିଜ କାମ ଶେଷ କରିଥିବା ବେଳେ ପୂର୍ତ୍ତ ବିଭାଗ କାମ ଗଡ଼ି ଗଡ଼ି ଚାଲିଥିଲା। ଯଦିଓ ସହିତ ନଗର ପଟେ ଜମି ଅଧିଗ୍ରହଣ ଏବଂ ଅଦାଲତରେ ମାମଲା ହେତୁ ପୂର୍ତ୍ତ ବିଭାଗର ପୋଲ ନିର୍ମାଣ କାମ ଅଟକି ରହିଥିଲା। ଏହି ସମସ୍ୟା ଦୂର ହେବାକୁ ଦୁଇବର୍ଷ ବିତି ଯାଇଥିଲେ ବି କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିନଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories