ଚଣ୍ଡୀଗଡ଼: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପି.କେ. ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ। ଏ ସମ୍ପର୍କରେ ଖୋଦ୍ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ପି.କେ. ତାଙ୍କର ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଅମରିନ୍ଦର ଟ୍ବିଟ୍ କରି କହିଛନ୍ତି। ପଞ୍ଜାବ ଲୋକମାନଙ୍କ ମଙ୍ଗଳ ପାଇଁ ଆମେ ସାଥୀ ହୋଇ କାମ କରିବାକୁ ତତ୍ପର ଅଛୁ। ପି.କେ.ଙ୍କୁ କ୍ୟାବିନେଟ ମନ୍ତ୍ରୀ ମାନ୍ୟତା ଦିଆଯାଇଛି। ତେବେ ପି.କେ.ଙ୍କ ଦରମା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ, ପ୍ରଶାନ୍ତ କିଶୋରଙ୍କ ବେତନ ୧ ଟଙ୍କା। ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଅନେକ ଥର ପି.କେ.ଙ୍କ ପ୍ରଶଂସା କରିସାରିଛନ୍ତି। କଂଗ୍ରେସ ୨୦୧୭ରେ ତାଙ୍କୁ ୫ଟି ରାଜ୍ୟର ନିର୍ବାଚନ ପ୍ରଚାର ରଣନୀତି ପ୍ରସ୍ତୁତ କରିବାକୁ ଦାୟିତ୍ଵ ଦେଇଥିଲା। ସେଥିରେ ପଞ୍ଜାବ ଏକମାତ୍ର ରାଜ୍ୟ ଥିଲା, ଯେଉଁଠି ଦଳକୁ ବହୁମତ ମିଳିବାରେ ସଫଳ ହୋଇଥିଲା। ମାତ୍ର ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା। ଏହା ସତ୍ବେ ଦଳ ପି.କେ.ଙ୍କ ପ୍ରଶଂସା କରିଥିଲା।
୨୦୧୪ ଲୋକ ସଭା ନିର୍ବାଚନରେ ବିଜେପି ପ୍ରଶାନ୍ତ କିଶୋରଙ୍କ ଦ୍ବାରା ପ୍ରସ୍ତୁତ ନୀତିକୁ ଅନୁସରଣ କରି କ୍ଷମତା ହାସଲ କରିଥିଲା। ଏହା ପରେ ବିହାରରେ ଜେଡିୟୁ ସହିତ କାମ କରିଥିଲେ। ନୀତିଶ କୁମାର, ଲାଲୁ ପ୍ରସାଦ ଯାଦବ ଏବଂ କଂଗ୍ରେସକୁ ଏକତ୍ର କରି ରାଜ୍ୟରେ କ୍ଷମତା ଦେବାରେ ସଫଳ ହୋଇଥିଲେ। ଏହା ବଦଳରେ ଜେଡିୟୁ ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ଦେଇଥିଲା। ତେବେ ଜେଡିୟୁରେ ଅସନ୍ତୋଷ ବୃଦ୍ଧି ପାଇବାରୁ ପି.କେ. ଦଳରୁ ଅଲଗା ହୋଇଯାଇଥିଲେ।



