www.samajalive.in
Tuesday, December 9, 2025
26.1 C
Bhubaneswar

ଏକ ନୂତନ ରାଷ୍ଟ୍ର ଭକ୍ତର ସନ୍ଧାନରେ

ବେଳେବେ​ଳେ ଅତି ଆକସ୍ମିକ ଭାବରେ ଏମିତି ବି କେତେ ଘଟଣା ଘଟିଯାଏ, ଯେତେବେଳେ ସ୍ବତଃ ମନକୁ ଆସିଯାଏ- ଏମିତି କାହିଁକି ହୁଏ? ମଣିଷ ମନର ଗହନ ଅଭ୍ୟନ୍ତରରେ ରହିଛି ଏକ ଅନ୍ଧକାର ଭୂତଳ କୋଠରି, ଯେଉଁଠି ଲୁଚି ରହିଥାଏ ରାଶିରାଶି ଅବରୁଦ୍ଧ ଆବେଗ ଓ କେତେ ଯେ ନିଷିଦ୍ଧ କାମନା ଯାହାକୁ କୁହାଯାଏ ଅବଚେତନ। ଅହରହ ଚେଷ୍ଟା କରୁଥାଏ ଆତ୍ମପ୍ରକାଶ କରିବାପାଇଁ। ବାସ୍ତବରେ ଚେତନ ଅପେକ୍ଷା ଅବଚେତନ ହିଁ ମନକୁ ବେଶି ପ୍ରଭାବିତ କରୁଥାଏ। ତାହା ନିଜପାଇଁ, କେତେବେଳେ ପୁଣି ତ ନିଜ ଜାତିର ଅସ୍ତିତ୍ବ ଓ ଅସ୍ମିତା ପାଇଁ। ବାହାରକୁ ସାଦାସିଧା ଦେଖାଯାଉଥିବା ଜଣେ ସାଧାରଣ ଲୋକ ଭିତରେ ମଧ୍ୟ ଲୁଚି ରହିଥାଏ ଏକ ଭୂମିକମ୍ପର ସ୍ପନ୍ଦନ, ଯେତେବେଳେ ଏହା ତା ଜାତି ପାଇଁ ଏକ ଭୟଙ୍କର ବିସ୍ଫୋରଣର ରୂପ ନିଏ, ତାକୁ କେତେକ କହନ୍ତି- ଇଏ ‘ରାଷ୍ଟ୍ରଭକ୍ତି’। ସେଇଥିପାଇଁ କ’ଣ କୁହାଯାଏ ଯେ ‘ଏ ଟେରରିଷ୍ଟ ଇଜ୍‌ ଅଲ୍‌ସୋ ଏ ମିସ୍‌ଗାଇଡେଡ୍‌ ପ୍ୟାଟ୍ରିଅଟ୍‌’ (ବିପଥଗାମୀ ରାଷ୍ଟ୍ରଭକ୍ତ)!
ତେବେ ଏମିତି କ’ଣ ଘଟିଥିଲା ତେତିଶ୍‌ ବର୍ଷ ବୟସ୍କ ମହମ୍ମଦ ଆଟ୍ଟାଙ୍କ କ୍ଷେତ୍ରରେ। ଅତ୍ୟନ୍ତ ଭଦ୍ର ଓ ନମ୍ର; ଆଚରଣରେ ଶିକ୍ଷା ଓ ସୁରୁଚିର ସ୍ବାକ୍ଷର। ପ୍ରତିବେଶୀଙ୍କ ମତରେ ଇଜିପ୍ଟୀୟ ବଂଶୋଦ୍ଭବ ସେଇ ତରୁଣ ଜଣକ ଥିଲେ ଜଣେ ମିଷ୍ଟଭାଷୀ, ଅସାଧାରଣ ଧୀଶକ୍ତି ସମ୍ପନ୍ନ ଇଞ୍ଜିନିୟର ଓ ଦକ୍ଷ ପାଇଲଟ୍‌। ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖ, ଆମେରିକା ସମୟ ସକାଳ ୭ଟା ୪୫ରେ ସେ ବୋଷ୍ଟନ୍‌ରୁ ଲସ୍‌ଆଞ୍ଜେଲସ୍‌ ଯାଉଥିବା ବିମାନ ଆରୋହଣ କଲେ। ତଳେ ବନ୍ଧୁମାନଙ୍କୁ ହାତ ହଲେଇ ବିଦାୟ ଜଣେଇଲେ। ମୁହଁ ଥିଲା ପ୍ରସନ୍ନ। ଆଶଙ୍କା ଓ ଉଦ୍‌ବେଗର କ୍ଷୀଣତମ ରେଖା ମଧ୍ୟ ସେ ପ୍ରଶାନ୍ତିକୁ ସଙ୍କୁଚିତ କରୁନଥିଲା। ପ୍ରାୟ ଘଣ୍ଟାକ ପରେ ନିୟୁୟର୍କର ଆକାଶରେ ଆମେରିକା ଏୟାରଲାଇନ୍ସର ଫ୍ଲାଇଟ ନମ୍ବର ଇଲେଭେନ୍‌। ଗତ ରାତିର ଝଡ଼ ଓ ବିଜୁଳି ପରେ ଆକାଶ ଥିଲା ତୋଫାନ ଓ ସୁନୀଳ। କିଛି ଦୂରରୁ ମ୍ୟାନ୍‌ହାଟ୍ଟାନର ସ୍କାଇଲାଇନ୍‌ରୁ ଦିଶୁଥିଲା ଆକାଶର ନୀଳିମାକୁ ସ୍ପର୍ଶ କରୁଥିବା ଶହେଦଶ ମହଲା ବିଶିଷ୍ଟ ୱାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର। ସତେ ଯେପରି ଆସନ୍ନ ମୃତ୍ୟୁକୁ, ସେଇ ଶାନ୍ତ ସକାଳରେ ଅପେକ୍ଷା କରି ରହିଥିଲା ଏଇ ହତଭାଗ୍ୟ ଟାୱାର। ତୀବ୍ର ଗତିରେ ସେ ବେଗ ବଢ଼ାଇ ଧକ୍କାଦେଲେ ତାକୁ। ମୁହୂର୍ତ୍ତକ ମଧ୍ୟରେ ଜଳିପୋଡ଼ି ମରିଗଲେ ୩୦୦୦ ଲୋକ। ବିମାନର ଧ୍ବଂସାବଶେଷରୁ ବାହାରିଲା ଏଇ ତରୁଣ ଆତଙ୍କବାଦୀଙ୍କ ସୁଇସାଇଡ୍‌ ନୋଟ୍‌- ଡୁମ୍‌ସ୍‌ଡେ ଲେଟର। ଇସ୍‌ଲାମ ଧର୍ମ ପାଇଁ, ରାଷ୍ଟ୍ର ପାଇଁ ତାଙ୍କର ଏ ବଳିଦାନ। ସେ ମାର୍ଟାୟାର ହେଉଛନ୍ତି। ରାଷ୍ଟ୍ରଭକ୍ତିର ଇଏ ଥିଲା ଏକ ନମୁନା- କାହାପାଇଁ କଳଙ୍କିତ ତ, କାହା ପାଇଁ ମହାନ୍‌!
ଏଇମିତି ହୃଦୟ ବିଦାରକ ଘଟଣା ଘଟିଛି ଅନେକ ଥର। ଇତିହାସ ତା’ର ସାକ୍ଷୀ ହୋଇ ରହିଛି। ଆମର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ। ସେଠାରେ ଏପରି ଏକ ଆତଙ୍କବାଦୀ ସଂଗଠନ ଅଛି, ଯାହାର ନାଁ ଲସ୍କର- ଇ- ତୋଇବା। କଞ୍ଚା ବୟସର ତରୁଣମାନଙ୍କୁ ଏକାଠି କରି ସେମାନଙ୍କ ମନ, ମସ୍ତିଷ୍କ ଓ ହୃଦୟରେ ଭାରତ ବିରୋଧୀ ଭାବନା ସୃଷ୍ଟିକରି ରାଷ୍ଟ୍ରଭକ୍ତିର ଏକ ନୂଆ ପରିଭାଷା ସୃଷ୍ଟି କରିବା ହେଉଛି ଏମାନଙ୍କ ଧର୍ମ। ଏହାର ମୁଖ୍ୟ ହେଉଛି ମୌଲାନା ହାଫିଜ୍‌ ସୟେଦ୍‌। ହାଫିଜ୍‌ ସୟେଦ ଏକ ଧଳା ସାଲୱାର କୁର୍ତ୍ତା ପିନ୍ଧି ମାଇକ୍ରୋଫୋନ୍‌ଟିଏ ଧରି ପାକିସ୍ତାନର ଯୁବଗୋଷ୍ଠୀଙ୍କୁ ଉର୍ଦ୍ଦୁ ଭାଷାରେ ସମ୍ବୋଧିତ କରି କ’ଣ କୁହେ ଶୁଣନ୍ତୁ- ‘‘ହେ ମୋର ଯୁବ ଗୋଷ୍ଠୀ, ଏପରି ଏକ ବିଶ୍ବ ଗଢ଼ିବାକୁ ଚେଷ୍ଟାକର ଯେଉଁଠାରେ ଇସ୍‌ଲାମ୍‌ ବ୍ୟତୀତ ଆଉ କୌଣସି ଧର୍ମ ନଥିବ, ତାହା ହିଁ ରାଷ୍ଟ୍ରଭକ୍ତି। ଆମର ଜେହାଦୀ ଯୋଦ୍ଧାମାନେ ଭାରତର ସଂସଦରେ ପାକିସ୍ତାନର ପତାକା ନିଶ୍ଚୟ ଦିନେ ଉଡ଼େଇବେ,ଏଥି​‌େ​‌ର ତିଳେମାତ୍ର ସନ୍ଦେହ ନାହିଁ। ଆମେ ସମସ୍ତେ ଏକାଠି ହୋଇ ଭାରତ ବିରୋଧରେ ‘ଜେହାଦ’୍‌ (ଧର୍ମଯୁଦ୍ଧ) ଆରମ୍ଭ କରିବା। ଏହା ହିଁ ପ୍ରକୃତ ରାଷ୍ଟ୍ରଭକ୍ତି।’
ରାଷ୍ଟ୍ରଭକ୍ତି ନାଁରେ ଇଏ ଥିଲା ଏକ ନିର୍ଲଜ, ନଗ୍ନ ପ୍ରବଞ୍ଚନା। ରାଷ୍ଟ୍ରଭକ୍ତିର ବାହାନାରେ ଏମାନେ ଚାଲୁଥିଲେ ଘୃଣା ଓ ବି​‌େ​‌ଦ୍ବଷର ଅନ୍ଧଗଳିରେ, ବୁଡ଼ି ରହିଥିଲେ ଏକ ବିଚାରହୀନ ମାନସିକ ପ୍ରମତ୍ତତାରେ; କିନ୍ତୁ ସମୟ ସମୟରେ ମଣିଷ ମଧ୍ୟ ଶୁଣେ ନିଜର ଆଲୋକିତ ଅନ୍ତରାତ୍ମାର ସ୍ବରକୁ। ଘଟଣାଟି ଘଟିଥିଲା ଅନ୍‌ସାର ହୁସେନ୍‌ ଖାଁଙ୍କ କ୍ଷେତ୍ରରେ। ପାକିସ୍ତାନର ଏକ ପଞ୍ଜାବୀ ମୋଗଲ ସଚ୍ଚା ମୁସଲମାନ ପରିବାରରେ ତାଙ୍କର ଜନ୍ମ। ପ୍ରଚଣ୍ଡ ବିଦ୍ବାନ୍‌ ଓ ବାଗ୍ମୀ। ଅନ୍‌ସାର୍‌ ଯୋଗ ଦିଅନ୍ତି ମାତ୍ର ବାଇଶ୍‌ ବର୍ଷ ବୟସରେ ପାକିସ୍ତାନର କୂଟନୈତିକ ସେବାରେ। ଦାୟିତ୍ବ ମିଳିତ ଜାତିସଂଘରେ ଭାରତ ବିରୋଧରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିବା। ସେଠାରେ ଥାଇ ସେ ବିମୋହିତ ହୋଇପଡ଼ିଛନ୍ତି ଜବାହରଲାଲଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ବରେ। ନେହେରୁଙ୍କର ମହାନୁଭବତା ଓ ସମଦର୍ଶିତା ତାଙ୍କ ପ୍ରାଣକୁ, ଆତ୍ମାକୁ ଏକ କୁହୁକ ବନ୍ଧନରେ ବାନ୍ଧି ଦେଇଛି; କିନ୍ତୁ ଏକ ଅତୃପ୍ତ ଦଗ୍‌ଧ ଭାବନା ତାଙ୍କୁ ଅତିଷ୍ଠ କରୁଛି। ସେ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରିଛନ୍ତି। ପାକିସ୍ତାନୀ ବନ୍ଧୁମାନେ କହୁଛନ୍ତି, ‘ତୁମେ ପାକିସ୍ତାନୀ ନହେଲେ ପଛେ ବରଂ ସ୍ବିସ୍‌ କି ଆମେରିକାନ୍‌ ହୁଅ, କିନ୍ତୁ ଭାରତୀୟ କଦାପି ନୁୁହେଁ।’ ସେ କିନ୍ତୁ ନିଜ ନିଷ୍ପତ୍ତିରେ ଦୃଢ଼ ଓ ଅଟଳ। ସେ ଭାରତୀୟ ହିଁ ହେବେ। ଭାରତବର୍ଷର ଅମଲାତନ୍ତ୍ର ସହ ଅନେକ ବ୍ୟଥାତୁର ସଂଘର୍ଷ ପରେ ସେ ହେଲେ ଭାରତୀୟ। ଶେଷ ଜୀବନ କଟିଛି ସୁଇଜରଲ୍ୟାଣ୍ଡରେ। ଏକ ଦୁର୍ବଳ ମୁହୂର୍ତ୍ତରେ ସେ ନିଜ ବିଦୁଷୀ ସ୍ବିସ୍‌ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି, ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ଓ ସେଇ ଦିନ ହିଁ ପୁଲିସ୍‌ ଲକ୍‌ଅପ୍‌ରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ। ଏହା ହିଁ ଥିଲା ଏକ ବିୟୋଗାନ୍ତକ ନାଟକର କରୁଣ ଉପସଂହାର। ମାଟି ପ୍ରତି ମମତାଠାରୁ ନିଜର ଆତ୍ମା ଓ ଚେତନା ପ୍ରତି ଅନୁରକ୍ତି ଥିଲା ଅଧିକ। ଏହା ହିଁ ମୃଣ୍ମୟ (ମାଟି) ସହ ଚିନ୍ମୟ (ଚେତନା)ର ସମ୍ପର୍କର ବିଡ଼ମ୍ବନା।
ଭାରତବର୍ଷର ଦୁଇ ପ୍ରମୁଖ ରାଷ୍ଟ୍ରପୁରୁଷ- ଗାନ୍ଧୀ ଓ ରବୀନ୍ଦ୍ରନାଥ। ଉଭୟଙ୍କ ରାଷ୍ଟ୍ରଭକ୍ତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ପରି। ଗାନ୍ଧୀ ନେଇଥିଲେ ରାଷ୍ଟ୍ରଭକ୍ତିକୁ କ୍ଷମତାକୌଳିନ୍ୟର ଊର୍ଦ୍ଧ୍ବରେ ଏକ ନୂତନ ଭାବଲୋକକୁ, ମାନବ ଜାତିର ଉଦାରମୁକ୍ତି ପାଇଁ। ରବୀନ୍ଦ୍ରନାଥ ସଙ୍ଗୀତର ମୂର୍ଚ୍ଛନାରେ ଗାଇଥିଲେ ଉଦାର ମାନବିକତାର ଜୟଗାନ। ତାଙ୍କର ଦେଶଭକ୍ତି ଉପରେ ଆଧାରିତ ଗୋଟିଏ ରୋମାଣ୍ଟିକ ଡ୍ରାମା ‘ଘରେବାଇରେ’। ସତ୍ୟଜିତ୍‌ ରାୟ ତା’ର ଚମତ୍କାର ଚିତ୍ରରୂପ ଦେଇଛନ୍ତି। କାହାଣୀର ନାୟକ ନିଖିଲ୍‌ ଜଣେ ଦେଶପ୍ରେମୀ, କିନ୍ତୁ ଅଧିକ ରୁଚି ତା’ର ସମାଜ ସଂସ୍କାରରେ, ଗରିବ ଦୁଃଖୀଙ୍କ ସେବାରେ। ତା’ର ଆଧୁନିକା, ରୂପସୀ ପତ୍ନୀ ବିମଲା ଏହାକୁ ପସନ୍ଦ କରୁନାହିଁ। ନିଖିଲ୍‌ର ଘନିଷ୍ଠ ବନ୍ଧୁ ସନ୍ଦୀପ। ସ୍ମାର୍ଟ, ପ୍ରଚଣ୍ଡ ଇଂରେଜ ବିରୋଧୀ, ଓଜସ୍ବିନୀ ବାଗ୍ମୀ। ବିମଲା ତା’ର ସମ୍ପର୍କରେ ଆସିଛି ଓ ପ୍ରେମରେ ପଡ଼ିଯାଇଛି। ଘଟଣାକ୍ରମରେ ସନ୍ଦୀପ କ୍ରୋଧାନ୍ବିତ ହୋଇ କେତେକ ଦରିଦ୍ର ମୁସଲମାନଙ୍କର ଘରପୋଡ଼ି ଦେଇଛି ଓ ଆକ୍ରମଣ କରି ତାଙ୍କୁ ସାଂଘାତିକ ଭାବରେ ଆହତ କରିଛି। ତା’ର ଅଭିଯୋଗ ସେମାନେ ପୂର୍ଣ୍ଣପ୍ରାଣରେ ଜାତୀୟ ଆନ୍ଦୋଳନରେ ଯୋଗ ଦେଉନାହାନ୍ତି। କାହାଣୀ ଗଡ଼ିଚାଲେ। ନିଖିଲ ଏ ଖବର ପାଇ ନିଜ ଜୀବନକୁ ମଧ୍ୟ ବିପନ୍ନ କରି ଗରିବ ଲୋକଙ୍କୁ ସାହାଯ୍ୟ କରୁଛି। ବିମଲା ନିଜର ଭୁଲ ବୁଝିପାରିଛି ଓ ଏଇଠି ଶେଷ ହୋଇଯାଇଛି ତା’ର ପଲିଟିକାଲ୍‌ ରୋମାନ୍ସ। ରାଷ୍ଟ୍ରଭକ୍ତି ଓ ସାମ୍ପ୍ରଦାୟିକତା ମଧ୍ୟରେ ଏକ ରହସ୍ୟ ବିଜଡ଼ିତ ସମ୍ପର୍କ।
ଆଜି କିନ୍ତୁ ଇତିହାସର ଦୁନିର୍ବାର ସ୍ରୋତ ଭିତରେ ଓ ସମୟର ଘୂର୍ଣ୍ଣି ମଧ୍ୟରେ ବଦଳିଯାଉଛି ଦେଶଭକ୍ତିର ରୂପ ଓ ପରିଭାଷା। ଗୋଟିଏ କଳଙ୍କିଲଗା ମିଥ୍ୟା ଆଦର୍ଶ ଓ ମିଠାମିଠା ମାତାଲିଆ ସ୍ବପ୍ନ କ୍ଷମତାଲିପ୍ସୁମାନଙ୍କର ଅସ୍ତ୍ର ହୋଇଯାଇଛି। ବିକାଶ ନାମରେ ଏମାନେ ସ୍ବପ୍ନ ଦେଖାନ୍ତି ଓ ସ୍ବପ୍ନରେ ବିଭୋର କରାନ୍ତି ସରଳ ବିଶ୍ବାସୀ ଲୋକଙ୍କୁ; ଯାହାଙ୍କ ନିଷ୍ପାପ ଆଖିରେ ଏକ ଶିଶୁ ସୁଲଭ ସ୍ବର୍ଗୀୟ ନିରୀହତା। ଆଦର୍ଶ ନାଁରେ କେବଳ କ୍ଷମତା ପାଇଁ ଘଟିଯାଉଛି ଜାତି ଓ ସମ୍ପ୍ରଦାୟ ଭିତରେ ବି​‌େ​‌ଦ୍ବଷ ଓ ଅନେକ ସମୟରେ ନରସଂହାର ମଧ୍ୟ; କିନ୍ତୁ ଇତିହାସର କେଉଁ ବିସ୍ମୃତ କାଳରୁ ଏକ ଅଦୃଶ୍ୟ ସୂତାର ବନ୍ଧନରେ ବାନ୍ଧି ହୋଇ ରହିଛି ଆମରି ଏଇ ମହାନ୍‌ ଦେଶ। ସମ୍ରାଟ ଅଶୋକଙ୍କର କଳିଙ୍ଗ ଶିଳାଲିପିର ସେଇ ଅମର କାଳଜୟୀ ଲେଖା- ‘ସା ମେ ପ୍ରଜା’ (ସବୁ ପ୍ରଜା ମୋର ସନ୍ତାନ)। ପାଷାଣର ଭାଷା ରାଜଧର୍ମ ପାଳନ ପାଇଁ କେତେ ଜୀବନ୍ତ ସତରେ!
ଅପସୃୟମାଣ କାଳର ପୃଷ୍ଠଭୂମିରେ ତଥାପି ଆମେ ଖୋଜୁଛୁ ଆଉ ଏକ ମମତ୍ବବୁଦ୍ଧିଶୂନ୍ୟ ରାଷ୍ଟ୍ରଭକ୍ତଙ୍କୁ!

ହେମେନ୍ଦ୍ର ନାରାୟଣ ଦାସ

- Advertisement -

dr.hemendra.das@gmail.com
ମୋ:୯୪୩୭୪୧୦୭୨୨

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories