www.samajalive.in
Sunday, December 7, 2025
14.1 C
Bhubaneswar

ପିପିଲିରେ ବିଇଓ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଗଣଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

ପିପିଲି : ପିପିଲିରେ ନାହିଁ ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ ସ୍ଥାୟୀ କାର୍ଯ୍ୟାଳୟ । ଏଠାରୁ ୮ କିଲୋମିଟର ଦୂରରେ ଥିବା ବିଆର୍‍ସିସିଙ୍କ କାର୍ଯ୍ୟାଳୟରେ ଚାଲିଛି ବ୍ଲକ ଶିକ୍ଷାଧିକାରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ସେଠାକୁ ଗମନାଗମନ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ପିପିଲିରେ ବ୍ଲକ ଶିକ୍ଷାଧିକାରୀଙ୍କ ସ୍ଥାୟୀ କାର୍ଯ୍ୟାଳୟ ଗୃହ ନିର୍ମାଣ କରାଯିବା ସହ ବ୍ଲକ ହେଡ୍‍କ୍ୱାର୍ଟରକୁ ବିଇଓ ଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ ପିପିଲି ବ୍ଲକର ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଦାବି କରିଛି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଆଜି ତାଙ୍କ ବାସଭବନରେ ଭେଟି ଶିକ୍ଷକ ନେତାମାନେ ଏସଂପର୍କିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ପିପିଲି ବ୍ଲକରେ ବିଇଓଙ୍କ କୌଣସି ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ହୋଇନାହିଁ । ଦୀର୍ଘ ବର୍ଷ ହେବ ପିପିଲି ହାଟଛକ ଠାରେ ଥିବା ଏକ ଆଜବେଷ୍ଟସ ସରକାରୀ ଅତିଥି ଭବନ ଠାରେ ବିଇଓଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଚାଲୁଥିଲା । ତେବେ ଗତ ୨୦୧୯ ଫଣି’ ବାତ୍ୟାରେ ଉକ୍ତ ଘରଟି କ୍ଷତିଗ୍ରସ୍ତ ହେବା ପରେ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସେବା ପୁସ୍ତିକାର ସୁରକ୍ଷା ଦୃଷ୍ଟିରୁ ସେଠାରୁ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏହାକୁ  ୮ କିଲୋମିଟର ଦୂରରେ ଥିବା ପୋଡାଗୁଣ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ଥିବା ବିଆର୍‍ସିସିଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଉକ୍ତ ସ୍ଥାନକୁ ଗମନାଗମନ ପାଇଁ ଗାଡିମୋଟରର କୌଣସି ବିଶେଷ ସୁବିଧା ନଥିବା ବେଳେ ଜରୁରୀ କାର୍ଯ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେଠାକୁ ଯିବାପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନିଜସ୍ୱ ଗାଡିରେ କିମ୍ବା ଅଟୋରିକ୍ସା ଭଡା କରି ସେଠାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାଉଥିବା ବେଳେ ଏଥିପାଇଁ ସେମାନଙ୍କର ସମୟବ୍ୟୟ ସହ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଥିବା ଅଭିଯୋଗ ହୋଇଛି । ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନରେ ୨ଶହରୁ ଉର୍ଦ୍ଧ୍ବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଛନ୍ତି । ସେଥିମଧ୍ୟରୁ ୪୫୦ଜଣ କେବଳ ଶିକ୍ଷୟିତ୍ରୀ ଅଛନ୍ତି । ବନ୍ୟା ସମୟରେ ଉକ୍ତ ପୋଡାଗୁଣ ସ୍ଥିତ ଅସ୍ଥାୟୀ ବିଇଓଙ୍କ କାର୍ଯ୍ୟାଳୟ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହୁଥିବା ବେଳେ ଅଣ୍ଟେ ପାଣିରେ ପଶି ସେଠାକୁ ଶିକ୍ଷକମାନେ ଯାଇଥାନ୍ତି । ଏସବୁକୁ ଦୃଷ୍ଟିରେ ରଖି ପିପିଲି ବ୍ଲକ କାର୍ଯ୍ୟାଳୟ ନିକଟରେ ବିଇଓଙ୍କ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ ପିପିଲି ବ୍ଲକର ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଦାବି କରିଛି । ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପୋଡାଗୁଣ ଠାରେ ଥିବା ବିଇଓଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ବ୍ଲକ ହେଡ୍‍କ୍ୱାର୍ଟରକୁ ସ୍ଥାନାନ୍ତର କରିବା ପାଇଁ ଶିକ୍ଷକ ସଂଘ ଦାବି କରିଛି । ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ବିକ୍ରମ କୁମାର ରଥ, ସଂଘର ପିପିଲି ବ୍ଳକ ସଭାପତି ଜୟପ୍ରକାଶ ପ୍ରଧାନ, ସଂପାଦକ ଲକ୍ଷ୍ମୀଧର ସାହୁ, ଉପସଭାପତି ଦୁଷ୍ମନ୍ତ ବଳିୟାରସିଂ, ସଂପାଦକ ସୁକାନ୍ତ ନାୟକ, ଶିକ୍ଷକ ନେତା ଅଭିମନ୍ୟୁ ଦାଶ, କୃଷ୍ଣଚନ୍ଦ୍ର ସାହୁ, ପ୍ରଭାତ କୁମାର ଦାଶ, ଶକ୍ତି ରଞ୍ଜନ ମହାନ୍ତି ପ୍ରମୁଖ ଆଜି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟି ଏସଂପର୍କିତ ଦାବିପତ୍ର ପ୍ରଦାନ କରିବା ସହ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରିଥିଲେ ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories