www.samajalive.in
Friday, December 12, 2025
17.1 C
Bhubaneswar

ଅସଲ ଜମି ମାଲିକଙ୍କ ନାମକୁ ଜମି ମାଲିକାନା ସତ୍ତ୍ବ ପରିବର୍ତନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଲେ : ସୁରେଶ କୁମାର ରାଉତରାୟ

ଭୁବନେଶ୍ୱର : ୨୦୧୨ ମସିହା ଠାରୁ ଦୀର୍ଘ ୯ବର୍ଷ ଧରି ନିଜ ଭିଟାମାଟି, ଘରଡିହ ଓ ଜମିବାଡ଼ି ନିଜ ନାମକୁ ଫେରାଇ ଆଣିବା ପାଇଁ ଆମେ ସଂଘର୍ଷ କରୁଛୁ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୨୦୧୨ ମସିହାରେ ଜଣେ ସେଟେଲମେଣ୍ଟ ଅଫିସର ଆମମାନଙ୍କର ପୈତୃକ ସ୍ଥିତିବାନ ଭୂସମ୍ପତ୍ତିକୁ ଭୁଲ ବଶତଃ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବା ପରେ ଆମର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ଏବଂ ବଡ଼ କଥା ହେଉଛି ଆମ ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାର ବିନିଯୋଗ ମଧ୍ୟ ହୋଇପାରୁ ନାହିଁ। ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ବାସିନ୍ଦାଙ୍କର ଏକ କମିଟି ଗତ ଫେବୃଆରୀ ୧ ତାରିଖରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରାଜସ୍ୱ ସଚିବ, ଅତିରିକ୍ତ ରାଜସ୍ୱ ସଚିବ, ଆଇନ ସଚିବଙ୍କ ସହିତ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଏହି ତ୍ରୁଟି ସମ୍ପର୍କରେ ସମସ୍ତେ ଅବଗତ ହୋଇସାରିଲେଣି । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଏହାର ଅନୁଧ୍ୟାନ କରି କାର୍ଯ୍ୟସଂପନ୍ନ ପାଇଁ ନିର୍ଦ୍ଦିଷ୍ଟ ଭାବେ କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ସଂପୂର୍ଣ୍ଣଭାବେ ଦାୟିତ୍ୱ ଦିଆଯାଇଛି ବୋଲି କୁହାଯାଇଛି। ଖୁବଶୀଘ୍ର ଅସଲ ଜମିମାଲିକଙ୍କ ନାମକୁ ଜମିର ମାଲିକାନା ସତ୍ୱ ପରିବର୍ତନ କରାଯିବ ବୋଲି ସଚିବମାନେ ଏହି କମିଟିକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସରକାର ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି ଏବଂ ସରକାରୀ ସ୍ତରରେ ଏହି କାର୍ଯ୍ୟକୁ ସଂମ୍ପନ୍ନ କରିବା ପାଇଁ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ ହୋଇଛି ବୋଲି ସଚିବମାନେ ଶ୍ରୀ ରାଉତରାୟ ଏବଂ କମିଟିକୁ କହିଛନ୍ତି । ଯେହେତୁ ସରକାର ଜଟଣୀବାସୀଙ୍କ ଏହି ସମସ୍ୟାକୁ ଦୂର କରିବାପାଇଁ ନିଷ୍ପତି ନେଲେ ତେଣୁ ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ଆମ୍ଭର ସଚ୍ଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ବାତିଲ କରିବାକୁ କୁହାଯାଇଛି। ଆମେ ସରକାରଙ୍କ ଅନୁରୋଧକୁ ରକ୍ଷାକରୁଅଛୁ ଏବଂ ଦାବି ଜଣାଉଛୁକି ୨୦ ଫେବୃଆରୀ ସୁଦ୍ଧା ମାଲିକାନା ସତ୍ୱ ସଂପୂର୍ଣ୍ଣ ପରିବର୍ତନ କରାଯାଉ । ଯଦି ଫେବୃଆରୀ ୨୦ ଭିତରେ ସରକାର ସଂପୂର୍ଣ୍ଣ ଜମି ଫେରସ୍ତ ନକରନ୍ତି ତେବେ ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ସଚ୍ଚିବାଳୟ ଘେରାଉ କାର୍ଯ୍ୟ ବଳବତ୍ତର ରହିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି।
ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱବର୍ତ୍ତୀ  ୧୩ଟି ଗ୍ରାମ ଯଥା ବେରୁଆଁ, ଭଁସର, ବାଇରଙ୍ଗ, ହରିରାଜପୁର, ବୁଢ଼ାପଡ଼ା, ନିରଞ୍ଜନପୁର, କନ୍ତିଆ, ରଥିପୁର, କୁଶମାଟି, ଛଣଘର, କୁଦିଆରି, ରାମଚନ୍ଦ୍ରପୁରର ୧ ଲକ୍ଷ ୭୨ ହଜାର ଲୋକଙ୍କର ଜମିର ମାଲିକାନା ସତ୍ୱ ଜଗନ୍ନାଥଙ୍କ ନାମକୁ ପରିବର୍ତନ ହେବା ଫଳରେ ସେମାନେ ଦୀର୍ଘଦିନ ଧରି ଯେଉଁ ସଂଗ୍ରାମ କରୁଥିଲେ ତାହା ନିଶ୍ଚୟ ସଫଳ ହେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଶ୍ରୀଜଗନ୍ନାଥଙ୍କ ନାମରେ ଆମ ପୈତୃକ ଭୂସଂପତି ଭୁଲ୍ ବଶତଃ ପରିବର୍ତିତ ହୋଇଯିବା ଫଳରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଉନ୍ନୟନମୂଳକ ଯୋଜନାର ଅର୍ଥ ଆମ ସ୍କୁଲଘର, ଖେଳପଡିଆ, ଡାକ୍ତରଖାନା, ରାସ୍ତାଘାଟ, ପାଠାଗାର, କମ୍ୟୁନିଟି ସେଣ୍ଟର, ଭାଗବତ ଟୁଙ୍ଗି, ମଶାଣୀ ପ୍ରଭୃତି କୌଣସି କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ। ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ବିଭାଘର, ବ୍ରତ ଘର, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ସଂପନ୍ନ କରିବା ପାଇଁ ଆବଶ୍ୟକସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି । ୨୦୧୨ ମସିହା ପୂର୍ବରୁ ଏଠିକାର ଜମିଜମା, ଘରଡିହ ଯେଉଁ ସ୍ଥିତିରେ ଥିଲା ସେହିଭଳି ସ୍ଥିତିକୁ ଆଣିବା ପାଇଁ ସରକାରଙ୍କ ପ୍ରତିଶ୍ରୁତି ଆମକୁ ଆଶ୍ୱସ୍ତ କରିଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଆମର ଦାବି ଥିଲା ଯେ ଯେଉଁ ଗୋଟିଏ ଅର୍ଡରରେ ଆମ ସମସ୍ତଙ୍କର ଭୂସଂପତି ଜଗନ୍ନାଥଙ୍କ ନାମରେ ପରିବର୍ତିତ ହୋଇଗଲା ସେହିପରି ଗୋଟିଏ ଅର୍ଡର କରାଯାଇ ଉକ୍ତ ଭୂସଂପତିକୁ ଆମ ନାମରେ ପରିବର୍ତନ କରାଯାଉ ।
ଅନ୍ୟ ପକ୍ଷରେ ଭୁବନେଶ୍ୱର / ଖୋର୍ଦ୍ଧା ଗ୍ରାମବାସୀମାନଙ୍କ ଉପରେ ପୋଲିସ ବଳ ଲଗାଇ ଭୟଭୀତ କରାଯାଇ ସେମାନଙ୍କ ଗାଁ ମୁଣ୍ଡରେ ଥିବା ମଶାଣି, ମେଳଣ ପଡିଆ, ଖେଳ ପଡିଆ ପ୍ରଭୃତିକୁ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ଦଖଲକୁ ବନ୍ଦ କରିବା ପାଇଁ ମାର୍ଚ୍ଚ ୧ ତାରିଖର ଅନ୍ଦୋଳନରେ ଦାବି ରହିଥିଲା । ସରକାର ଏହାକୁ ବିଚାରକୁ ନେବା ପାଇଁ ମଧ୍ୟ ଫେବୃଆରୀ ୧ରେ ହୋଇଥିବା ଆଲୋଚନାରେ କହିଥିଲେ ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ରାଉତରାୟ, ପ୍ରକାଶ ଜେନା, ତପନ କୁମାର ଚକ୍ରବର୍ତୀ, ମନୋରଞ୍ଜନ ଦାସ, ଚିନ୍ମୟ ସୁନ୍ଦର ଦାସ, ପଦ୍ମଚରଣ ସୁବୁଦ୍ଧି, ବିବେକାନନ୍ଦ ବଡଜେନା, ସୁନିଲ ରାଉତରାୟ, ଅନନ୍ତ ବେହେରା, ଅଶୋକ ମଙ୍ଗରାଜ, ଦେବରାଜ ବେହେରା, ଧନେଶ୍ୱର ରାଉତରାୟ, ନୃସିଂହ ସାହୁ, ନୌସରୀ ଅଲ୍ଲୀ, ମିହିର ଆଚାର୍ଯ୍ୟ, ଲୋଚନ ରାୟ, ମେଘୁ ପରିଜା, ଜଟଧାରୀ ପ୍ରଧାନ, କଳିଙ୍ଗ ସାହୁ, ବିଷ୍ଣୁ ସାହୁ, ଆଲୋକ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories