www.samajalive.in
Wednesday, December 10, 2025
18.1 C
Bhubaneswar

ଆକର୍ଷଣ ସାଜିବ ଲାମିନାର ଜଳଫୁଆର, ପଥର କାରୁକାର୍ଯ୍ୟ

ବ୍ରହ୍ମପୁର : ବ୍ରହ୍ମପୁରରେ ନିର୍ମାଣ ଚାଲିଛି ରାଜ୍ୟର ପ୍ରଥମ ରକ୍ ଗାର୍ଡେନ। କରୋନା ଯୋଗୁ ରକ୍ ଗାର୍ଡେନର ନିର୍ମାଣ କାର୍ଯ୍ୟ ଧିମା ପଡ଼ିଥିଲେ ମଧ୍ୟ ଏବେ ତାହା ତ୍ବରାନ୍ବିତ ହୋଇଛି। ଲାମିନାର ଫାଉଣ୍ଟେନ (ଜଳଫୁଆର) ସହ ପଥରରେ ନିର୍ମାଣ ହେବାକୁ ଥିବା ବିଭିନ୍ନ କାରୁକାର୍ଯ୍ୟ ହିଁ ଏହାର ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛି।
ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ ଠାରେ ଥିବା ଏକ ପଥୁରିଆ ଅଞ୍ଚଳରେ ରାଜ୍ୟର ପ୍ରଥମ ରକ୍ ଗାର୍ଡେନ ନିର୍ମାଣ କରିବାକୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ମେ ୨୦୧୫ରେ ଘୋଷଣା କରିଥିଲେ। ସ୍ଥାନ ନିରୂପଣ, ଡିପିଆର ପ୍ରସ୍ତୁତି ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରାୟ ୪ ବର୍ଷ ଲାଗି ଯାଇଥିଲା। ୨୦୧୯ରେ ଆମ୍ବପୁଆରେ ଥିବା ୯ ଏକର ସରକାରୀ ଜମିରେ ରକ୍ ଗାର୍ଡେନର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିପାଇଁ ପ୍ରାୟ ସାଢେ ୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ରାଜ୍ୟ ତଥା ଦେଶର ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିବା ତଥା ପରିବେଶ ପ୍ରେମୀଙ୍କୁ ଏକ ନୂତନ ଠିକଣା ଯୋଗାଇବା ଲକ୍ଷ୍ୟ ନେଇ ନିର୍ମାଣ ଚାଲିଥିବା ଏହି ରକ୍ ଗାର୍ଡେନର ପୂର୍ବ ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ)ରେ ଏକ କୃତ୍ରିମ ହ୍ରଦ, ୱାଟରଫଲ, ପଥର କାରୁକାର୍ଯ୍ୟ, ମୁକ୍ତ ମଞ୍ଚ, ସାଇକଲ ଟ୍ରାକ, ଫୁଡ କୋର୍ଟ ଆଦି ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହାର ନକ୍ସା ପ୍ରସ୍ତୁତ ପାଇଁ ଏକ ସ୍ଥପତି ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ନକ୍ସା ଅନୁସାରେ ରକଗାର୍ଡେନ ନିର୍ମାଣ ପାଇଁ ଯୋଜନା ମଧ୍ୟ ହୋଇଥିଲା। କିନ୍ତୁ ସମୟକ୍ରମେ ଏହି ନକ୍ସାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେହି ଅଞ୍ଚଳରେ ଭୂତଳ ଜଳର ଅଭାବରୁ କୃତ୍ରିମ ହ୍ରଦ ପାଇଁ ପାଣିର ଅଭାବ ଦେଖାଦେଇଛି। ସେହିକ୍ରମରେ ମୂଳ ନକ୍ସା ଏକପ୍ରକାର ବଦଳି ଯାଇଛି। ଏପଟେ ନିର୍ମାଣଧୀନ ଅଞ୍ଚଳର ଛୋଟ ଛୋଟ ପାହାଡରେ ଥିବା ପଥରରେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ନିର୍ମାଣ ସହ ବାହାରୁ ମଧ୍ୟ କିଛି ପଥର ଖୋଦେଇ କାରୁକାର୍ଯ୍ୟ ଆଣି ସ୍ଥାପନ କରାଯିବା ଯୋଜନା ରହିଛି ବୋଲି ବିଡିଏର ନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି।
ସେହିପରି ଏହି ରକ ଗାର୍ଡେନ ଭିତରେ ଏକ ମୁକ୍ତ ମଞ୍ଚ ନିର୍ମାଣ ଚାଲୁଛି। ସେଠାରେ ୨ ହଜାର ଲୋକ ବସିବା ଭଳି ବ୍ୟବସ୍ଥା ହୋଇଛି। ଏହି ମୁକ୍ତ ମଞ୍ଚ ଜରିଆରେ ବିଭିନ୍ନପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚଗୀତ,ପର୍ବ-ର୍ବାଣୀ ପାଳନ ଓ ମେଳା ଆଦି ଆୟୋଜନ କରାଯାଇପାରିବ। ରକ ଗାର୍ଡେନରେ ଲାମିନାର ଫାଉଣ୍ଟାଇନ ନିର୍ମାଣ ପାଇଁ ଯୋଜନା ହୋଇଛି। ଲାମିନାର ଫାଉଣ୍ଟାଇନ ଅର୍ଥାତ ପାଦଚଲା ରାସ୍ତାର ଦୁଇ ପାର୍ଶ୍ବରୁ ପାଣି ​ସିଞ୍ଚନ ହେବ ଏବଂ ଲୋକମାନେ ତା’ ଭିତର ଦେଇ ଚାଲିଚାଲି ଯିବେ। ଯାହା ରକ ଗାର୍ଡେନକୁ ଆସୁଥିବା ଲୋକଙ୍କୁ ଏକ ନିଆରା ଅନୁଭବ ପ୍ରଦାନ କରିବା ସହ ଏହା ହିଁ ମୁଖ୍ୟ ଆକର୍ଷଣ ସାଜିବ। କୁନି ପିଲାଙ୍କ ପାଇଁ ଡ୍ରାଏ ଫାଉଣ୍ଟାଇନ ସହ ଲୁଡୋ ଓ ଚେସ ଖେଳ ପାଇଁ ଭିତ୍ତିଭୂମି ରହିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ସେହିପରି ଏଠାରେ ପାଦଚଲା ରାସ୍ତା, ସାଇକଲ ଟ୍ରକ୍ ନିର୍ମାଣ କରାଯିବାର ଯୋଜନା ହୋଇଛି। ଆସନ୍ତା ଜୁନ କିମ୍ବା ଜୁଲାଇ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।
ପ୍ରକାଶଥାଉକି, ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହର ମଝିରେ ନିର୍ମିତ ରାମଲିଙ୍ଗେଶ୍ବର ପୋଖରୀକୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୧୨ କୋଟି ଟଙ୍କା ବ୍ୟୟରେ ବିକଶିତ ଏହି ପୋଖରୀ ଏବେ ସହର ସମେତ ରାଜ୍ୟର ମୁଖ୍ୟ ଆକର୍ଷଣ ସାଜିଛି। ପୋଖରୀ ଚାରିପାଖରେ ଲାଗିଥିବା ରଙ୍ଗବେରଙ୍ଗର ଆଲୋକମାଳା, ଏହା ଭିତରେ ଥିବା ୪ଟି ଫ୍ଲୋଟିଂ ଫାଉଣ୍ଟେନ, ମଝିରେ ଥିବା ଏକ ବଡ଼ ଶିବଙ୍କ ପ୍ରତିମୂର୍ତ୍ତି ସହ ଏହାର ଚାରିପାଖରେ ପାଦଚାଲା ରାସ୍ତା, ପାର୍କ ନିର୍ମାଣ ହୋଇଛି। ଏଭଳି ସ୍ଥିତିରେ ରକ୍ ଗାର୍ଡେନ ଖୋଲିବା ପରେ ବ୍ରହ୍ମପୁର ସହର ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଏକ ନିଆରା ସ୍ଥାନ ନେବ ବୋଲି ସହରବାସୀ ଆଶା ରଖିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories