କୃଷକଙ୍କ ଦାବିକୁ ମାନିନେଲେ ମହାରାଷ୍ଟ୍ର ସରକାର, ଆନ୍ଦୋଳନ ପ୍ରତ୍ୟାହାର

0

ମୁମ୍ବଇ : ଅଲ ଇଣ୍ଡିଆ କିଷାନ ସଭା (ଏଆଇକେଏସ୍‌) ପକ୍ଷରୁ ସ୍ଥାନୀୟ ଆଜାଦ ମଇଦାନରେ ଚାଲିଥିବା କୃଷକ ଆନ୍ଦୋଳନକୁ ସୋମବାର ସନ୍ଧ୍ୟାରେ ପ୍ରତ୍ୟାହାର କରିନିଆଯାଇଛି। ମହାରାଷ୍ଟ୍ର ସରକାର କୃଷକମାନଙ୍କର ଅଧିକାଂଶ ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରିନିଆଯାଇଛି। କୃଷକମାନେ କହିଛନ୍ତି ଯେ ସରକାର ସେମାନଙ୍କର ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଦାବି ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଯଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି; ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
କୃଷକମାନଙ୍କ ଅଧିକାଂଶ ଦାବିକୁ ଗ୍ରହଣ କରିବା ପୂର୍ବକ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଘୋଷଣା କରିଛନ୍ତି। କୃଷକଙ୍କ ଦାବି ସମ୍ପର୍କରେ ସରକାର ସେମାନଙ୍କର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ କୃଷକ ପ୍ରତିନିଧିଙ୍କ ସହ ଦୁଇଘଣ୍ଟା ଧରି ଆଲୋଚନା କରିବା ପରେ ସମାଧାନର ବାଟ ବାହାରିଥିଲା। ଆଦିବାସୀ ବର୍ଗର କୃଷକଙ୍କୁ ଜଙ୍ଗଲ ଜମି ହସ୍ତାନ୍ତର ସମ୍ପର୍କିତ ଦାବିକୁ ସରକାର ଗ୍ରହଣ କରିଛନ୍ତି। ଏହା ସହିତ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏଆଇକେଏସ୍‌ ସମ୍ପାଦକ ଅଜିତ ନାୱାଲେ କହିଛନ୍ତି ଯେ କୃଷି ଋଣକୁ ସମ୍ପୂର୍ଣ୍ଣ ଛାଡ ପାଇଁ ଦାବି ବଳବତ୍ତର ରହିବ। କୃଷକମାନଙ୍କ ଅନ୍ୟାନ୍ୟ ଦାବି ମଧ୍ୟରେ ସ୍ୱାମୀନାଥନ କମିସନଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା, ମରୁଡି ଓ ଝଡବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୪୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଓ ରାଜ୍ୟ ପାଣିକୁ ଗୁଜରାଟକୁ ନ ଦେବା।
ଆନ୍ଦୋଳନ ପ୍ରତ୍ୟାହାର ପରେ କୃଷକମାନଙ୍କୁ ନାସିକ ଫେରାଇ ନେବା ଲାଗି ସରକାର ବସ୍‌ ଓ ଟ୍ରେନର ବ୍ୟବସ୍ଥା କରିଥିଲେ। ରାଜ୍ୟ ପରିବହନ ବିଭାଗର ୧୫ଟି ବସ୍‌କୁ ଏଥିପାଇଁ ନିୟୋଜନ କରାଯାଇଥିଲା। ଏହି ବସ୍‌ଗୁଡିକ ଆଜାଦ ମଇଦାନରୁ ନାସିକ ଅଭିମୁଖେ ଯାଇଥିଲା। ସେହିପରି କେନ୍ଦ୍ରୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଥିଲା। ସୋମବାର ସନ୍ଧ୍ୟା ୮ଟା ୫୦ରେ ଓ ରାତି ୧୦ଟାରେ ସିଏସଏମଟିରୁ ଭୁସୱାଲା ଅଭିମୁଖେ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯାଇଥିଲା। ଚାଷୀଙ୍କ ପାଇଁ ଏହି ଦୁଇଟି ଟ୍ରେନରେ ୩୧ଟି ଅଣ ସଂରକ୍ଷିତ ବଗି ରଖାଯାଇଥିଲା। ସେହିପରି ମନମାଡ ଅଭିମୁଖେ ଯିବାକୁ ଥିବା ପଞ୍ଚବଟି ଏକ୍ସପ୍ରେସରେ ଚାଷୀଙ୍କ ପାଇଁ ଗୋଟିଏ ବଗି ସଂରକ୍ଷଣ ରଖାଯାଇଥିଲା। ରାଜ୍ୟର ଅନ୍ୟ ଅଞ୍ଚଳକୁ ଯିବାକୁ ଥିବା ଚାଷୀଙ୍କ ପାଇଁ ମଧ୍ୟ ସରକାର ଟ୍ରେନର ବ୍ୟବସ୍ଥା କରିଥିଲେ। ବିଭିନ୍ନ ଦାବି ନେଇ କୃଷକମାନେ ମାର୍ଚ୍ଚ ୬ରୁ ନାସିକରୁ ମୁମ୍ବଇ ପର୍ଯ୍ୟନ୍ତ ପ୍ରାୟ ୧୮୦କିମି ଶୋଭାଯାତ୍ରାରେ ଆସିଥିଲେ। ଏଥିରେ ପ୍ରାୟ ୪୦ହଜାର କୃଷକ ସାମିଲ ହୋଇଥିଲେ। ସୋମବାର ସକାଳେ ସେମାନେ ଆଜାଦ ମଇଦାନରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ବିଧାନସଭା ଘେରାଉ କରିବାକୁ ଯୋଜନା କରିଥିଲେ। ତେବେ ବିଧାନସଭା ଘେରାଉ ପୂର୍ବରୁ ସରକାର ସେମାନଙ୍କ ଦାବି ଗ୍ରହଣ କରିନେଇଥିଲେ।

Leave A Reply