www.samajalive.in
Thursday, December 11, 2025
18.1 C
Bhubaneswar

ଚରମ୍ପା ସରକାରୀ ଡିପୋରୁ ଚାଉଳ ହେରଫେର ମାମଲା; ତଦନ୍ତ ରିପୋର୍ଟ ଦାଖଲ, କାର୍ଯ୍ୟାନୁଷ୍ଠାନ ଖୁବ୍‌ଶୀଘ୍ର!

ଭଦ୍ରକ: ଚରମ୍ପା ସରକାରୀ ଚାଉଳ ଡିପୋରୁ ସାଧାରଣ ବଣ୍ଟନ ସାମଗ୍ରୀ (ପିଡିଏସ)ପାଇଁ ଉଦ୍ଦିଷ୍ଟ ଚାଉଳ ହେରଫେର ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି ତଦନ୍ତକାରୀ ଟିମ। ଯେଉଁଥିରେ ଗୋଦାମରୁ ଚାଉଳ ହେରଫେର ହୋଇଥିବା ନେଇ ପ୍ରମାଣ ମିଳିଥିବା କୁହାଯାଇଛି। ତେବେ ଏହି ରିପୋର୍ଟ ତଦନ୍ତକାରୀ ଟିମ ଉପଜିଲାପାଳଙ୍କ ନିକଟରେ ଦାଖଲ କରିବା ପରେ ଉପଜିଲାପାଳ ଏହାକୁ ଜିଲା ଯୋଗାଣ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି। ଜିଲା ଯୋଗାଣ ଅଧିକାରୀ ଏ ବାବଦୀୟ ଫାଇଲ ପ୍ରସ୍ତୁତ କରି ତାହାକୁ ଜିଲାପାଳଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ତେବେ ଏହି ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର ହେବ ବୋଲି ଜିଲା ଯୋଗାଣ ଅଧିକାରୀ ‘ସମାଜ’କୁ କହିଛନ୍ତି।

ପ୍ରକାଶଥାଉକି; ଚରମ୍ପା ସରକାରୀ ଡିପୋରୁ ରିଟେଲରଙ୍କୁ ଚଣା ଦିଆଯାଉ ନଥିବା ନେଇ ଜିଲା ଯୋଗାଣ କାର୍ଯ୍ୟାଳୟରେ କେତେକ ରିଟେଲର ଖବର କରିଥିଲେ। ପରେ ଚାଉଳ ହେରଫେର ହୋଇଥିବା ନେଇ ମଧ୍ୟ ଅଭିଯୋଗ ପହଞ୍ଚିବା ପରେ ଜିଲାପାଳ ଗୋଦାମ ଯାଞ୍ଚ ଲାଗି ନିର୍ଦେଶ ଦେଇଥିଲେ। ଦୁଇଜଣ ଏସିଏସଓ ଏବଂ ଅତିରିକ୍ତ ତହସିଲଦାର ଗତ ଡିସେମ୍ବର ୨୧ ତାରିଖରେ ଗୋଦାମ ଯାଞ୍ଚ କରିଥିଲେ। ଯାଞ୍ଚ କାଳରେ ପାଖାପାଖି ୧୨୪ ବସ୍ତା ଚାଉଳ କମ ରହିଥିବା ବେଳେ ୩୮ ବସ୍ତା ଚଣା ଅଧିକ ଥିବା ତଦନ୍ତକାରୀ ଦଳ ଜାଣିବାକୁ ପାଇଥିଲେ। ଷ୍ଟକ ଏବଂ ଇସ୍ୟୁ ବ୍ୟବସ୍ଥାକୁ ଠିକଠାକ କରିବା ତଥା ଆତ୍ମରକ୍ଷା ଲାଗି ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀ ସେହି ୨୧ ତାରିଖରେ ଜଣେ ରିଟେଲର ମନମୋହନ ନାୟକଙ୍କ ନାମରେ ୧୦୪ ବସ୍ତା ଚାଉଳ ଅନଲାଇନରେ ଇସ୍ୟୁ କରି ଦେଇଥିଲେ। ଯାହା ତଦନ୍ତକାରୀ ଦଳ ଜାଣିବାକୁ ପାଇ ଅଧିକ ଖୋଳତାଡ କରିଥିଲେ। ଖୋଳତାଡ ପରେ ଉକ୍ତ ୧୦୪ ବସ୍ତା ଚାଉଳ ପ୍ରକୃତରେ ଗୋଦାମରୁ ଯାଇ ନଥିବାର ପ୍ରମାଣ ପାଇଥିଲେ ତଦନ୍ତକାରୀ ଦଳ। ଯେଉଁ ରିଟେଲରଙ୍କ ନାମରେ ଚାଉଳ ଇସ୍ୟୁ ହୋଇଥିଲା ସେ ମଧ୍ୟ ‘ମୁଁ ଚାଉଳ ପାଇନାହିଁ’ ବୋଲି ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇଥିଲେ। ଅନୁରୂପ ଭାବେ ପରିବହନ ଠିକାଦାର ଓ ଟ୍ରକ ଡ୍ରାଇଭର (ଯେଉଁ ଟ୍ରକର ନମ୍ବର ପକାଇ ଚାଉଳ ଇସ୍ୟ ହୋଇଥିଲା) ମଧ୍ୟ ଚାଉଳ ଚରମ୍ପା ଗୋଦାମରୁ ଯାଇ ନଥିବା ସ୍ପଷ୍ଟ କରିଥିଲେ। ଭଦ୍ରକ ବ୍ଲକର ମାର୍କେଟିଂ ଅଫିସର ମଧ୍ୟ ଚାଉଳ ରିଟେଲ ପଏଣ୍ଟରେ ପହଞ୍ଚି ନଥିବା ଓ ଖାଉଟି ପାଇ ନଥିବା ନେଇ ମତ ରଖିଥିଲେ। ଏଣୁ ଚାଉଳ ଗାଏବ ଘଟଣା ସତ୍ୟ ଓ ଏଥିରେ ଗୋଦାମ ଦାୟିତ୍ୱରେ ଥିବା ଅଫିସରଙ୍କ ହାତ ରହିଥିବା ନେଇ ତଦନ୍ତକାରୀ ଅଫିସର ହୃଦବୋଧ କରିଥିଲେ। ତେବେ ଏ ନେଇ ଏକ ରିପୋର୍ଟ ତଦନ୍ତକାରୀ ଟିମ ଦୁଇଦିନ ତଳେ ପ୍ରଶାସନ ପାଖେ ଦାଖଲ କରିଥିଲେ। ଉକ୍ତ ରିପୋର୍ଟ ଉପରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଜିଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ସେଠ ମତ ରଖିଛନ୍ତି।

- Advertisement -

ଅଫିସରଙ୍କ କାରସାଦି, ଖାଉଟି ଜଳକା
ଏହି ହେରଫେର ମାମଲାରେ ଆତ୍ମରକ୍ଷା ଲାଗି ଅଫିସର ଯେଉଁ କାରସାଦି କରିଛନ୍ତି ତାହା ଏବେ ବିଭାଗର ମୁଣ୍ଡବଥାର କାରଣ ହୋଇଛି। ସମ୍ପୃକ୍ତ ଗୋଦାମ ଅଧିକାରୀ ଆତ୍ମରକ୍ଷା ଲାଗି ଭଦ୍ରକ ବ୍ଲକ ବେତଡ଼ାର ରିଟେଲରଙ୍କ ନାମରେ ଅନଲାଇନରେ ଚାଉଳ ‘ମିଛ ଇସ୍ୟୁ’ କରିଥିଲେ। ଚାଉଳ ରିଟେଲରଙ୍କ ପାଖରେ ପହଞ୍ଚି ନଥିଲେ ବି ଖାଦ୍ୟ ଓ ଯୋଗାଣ ବିଭାଗର ପୋର୍ଟାଲରେ ଚାଉଳ ଯେହେତୁ ରିଟେଲରଙ୍କ ନାମରେ ଇସ୍ୟୁ ହୋଇସାରିଛି ସେହି କାରଣରୁ ଆଉ ଦ୍ୱିତୀୟବାର ରିଟେଲରଙ୍କ ନାମରେ ଚାଉଳ ଇସ୍ୟୁ ହୋଇପାରିବ ନାହିଁ। ଏହି କାରଣରୁ ଡିସେମ୍ବର ମାସର କୋଟା ବାବଦ ଚାଉଳ ରିଟେଲରଙ୍କୁ ଦେଇପାରିନାହିଁ ଯୋଗାଣ ବିଭାଗ। ଏହି ରିଟେଲରଙ୍କ ନାମରେ ୧୦୪ ବସ୍ତା ଚାଉଳ ଇସ୍ୟୁ ହୋଇଥିବାରୁ ଅତିକମରେ ୨୦୦ ପରିବାର ଏମାସର କୋଟା ବାବଦ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଭାଗୀୟ ସୂଚନାନୁଯାୟୀ; ଜିଲା ଯୋଗାଣ ନିଗମ ପକ୍ଷରୁ ରାଜ୍ୟ ନିଗମକୁ ଏ ବାବଦରେ ସବିଶେଷ ତଥ୍ୟ ଦିଆଯିବା ପରେ ଯାଇ ଉକ୍ତ ପୋର୍ଟାଲରୁ ‘ମିଛ ଇସ୍ୟୁ’ ହଟିବ। ଏହାପରେ ସେତକ ଚାଉଳ ପୁନଃ ରିଟେଲରଙ୍କୁ ଇସ୍ୟୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories