www.samajalive.in
Friday, December 12, 2025
27.1 C
Bhubaneswar

ଶ୍ରୀମନ୍ଦିରରେ ଦେବ ଦୀପାବଳି

ପୁରୀ : ଶ୍ରୀମନ୍ଦିରରେ ମାର୍ଗଶିର କୃଷ୍ଣପକ୍ଷ ଚର୍ତୁଦଶୀ ତିଥିରେ ରବିବାରଠାରୁ ଦେବ ଦୀପାବଳି ଆରମ୍ଭ ହୋଇଛି। ଦାରୁବ୍ରହ୍ମଙ୍କୁ ଏହି ଅବସରରେ ଶ୍ରାଦ୍ଧବେଶ କରାଯାଇଛି। ପିତୃୁପୁରୁଷଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରାଦ୍ଧ ଏବଂ ଦୀପଦାନ ବିଧି ରହିଛି।

ଗବେଷକଙ୍କ ମତରେ ଦଶରଥ, ନନ୍ଦ ଓ ବସୁଦେବଙ୍କ ସମେତ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ପ୍ରଭୁ ଦୀପଦାନ କରନ୍ତି। ଚର୍ତୁଦଶୀ , ଅମାବାସ୍ୟା ଏବଂ ପ୍ରତିପଦା ତିଥି ତିନିଦିନଧରି ଶ୍ରୀମନ୍ଦିରରେ ଦେବଦୀପାବଳି ପାଳିତ ହେଉଛି। ରବିବାର ସକାଳ ୬ଟାରେ ମନ୍ଦିର ଦ୍ୱାର ଖୋଲାଯାଇଥିଲା। ଦ୍ୱିତୀୟ ଭୋଗମଣ୍ଡପ ପରେ ମଇଲମ କରାଯାଇ ପାଳିଆ ପୁଷ୍ପାଳକ ପ୍ରଭୁଙ୍କୁ ଶ୍ରାଦ୍ଧ ବେଶ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ନାଗପୁରୀ ଧଳା ସୁତାଶାଢି ପରିଧାନ କରିଥିଲେ। ଶ୍ରୀଜଗନ୍ନାଥ ପିନ୍ଧିଥିବା ଶ୍ୱେତବର୍ଣ୍ଣ ବସ୍ତ୍ର ଧଡିରେ ନାଲି ରଙ୍ଗର କୁମ୍ଭ ପଡିଥିଲା। ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କ ବସ୍ତ୍ର ଧଡିରେ କଳାରଙ୍ଗର କୁମ୍ଭ ପଡିଥିବାବେଳେ ଦେବୀ ସୁଭଦ୍ରାଙ୍କ ଶାଢିର ଧଡିରେ ହଳଦିଆ ରଙ୍ଗର କୁମ୍ଭ ପଡିଥିଲା। ଦାରୁବ୍ରହ୍ମଙ୍କ ଶ୍ରୀମସ୍ତକରେ ଶ୍ରୀକାପଡା ଆବୃତ୍ତ କରାଯାଇଥିଲା। ପ୍ରଭୁ ଚଦର ପରିଧାନ କରିଥିଲେ। ଶ୍ରାଦ୍ଧବେଶରେ ବ୍ୟବହୃତ ବସ୍ତ୍ରକୁ କାଶୀଧଡିଆ ଲୁଗା କୁହାଯାଏ।

- Advertisement -

ଏଥିସହ ମହାପ୍ରଭୂଙ୍କୁ ସୁବର୍ଣ୍ଣ ତଡଗି, ନଳିଭୁଜ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଆଡକାନି, ହରିଡାମାଳି,ଅଣ୍ଟାକମରପଟି ଲାଗି କରାଯାଇଥିଲା। ସନ୍ଧ୍ୟାଧୂପ ପରେ ଶୁଦ୍ଧସୁଆର ସେବକ ସିଂହାସନ ତଳେ ପାଣିପକାଇ ପୋଛ ମାରିଥିଲେ। ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ କରିଥିଲେ। ବଇଠା ରଖାଯାଇ ଘିଅରେ ବତି ଲଗାଯାଇଥିଲା। ପୂଜାପଣ୍ଡା ଚାଉଳ ସଂସ୍କାର କରିଥିଲେ। ପୂଜାପଣ୍ଡା, ପତି ଓ ମୁଦିରସ୍ତ ସିଂହାସନ ଉପରକୁ ଯାଇ ବନ୍ଦାପନା କରିଥିଲେ। ୩ଟି ମହାଦୀପରେ ବନ୍ଦାପନା କରାଯାଇଥିଲା। ୩ଜଣ ପାଳିଆ ପୂଜାପଣ୍ଡା ହାତରେ ମହାଦୀପ ଧରି ଜୟବିଜୟ ଦ୍ୱାର ପାଖରେ ଆସ୍ଥାନ ପଢିଆରି କରିଥିବା ଚାଉଳଗଛ ସଂସ୍କାର କରିଥିଲେ। ଏହାପରେ ମହାଦୀପ କଳସ ଚୁନରା ସେବକଙ୍କୁ ଦିଆଯାଇଥିଲା। ଓଡିଆମଠ ଏବଂ ମନ୍ଦିର ପ୍ରଶାସନ ଦେଇଥିବା ତେଲ ଓ ଘିଅ ସହ ଚୁନରା ସେବକ ମନ୍ଦିର ଉପରକୁ ଯାଇ ଦୀପ ଜାଳିଥିଲେ। ଚନ୍ଦ୍ରଉଦିଆ ଜାଳିବା ସମୟରେ ରାଜାଙ୍କୁ ଆଶୀର୍ବାଦ କରିଥିଲେ। ଅମାବାସ୍ୟା ଏବଂ ପ୍ରତିପଦା ତିଥିରେ ନୀତି ଶ୍ରୀମନ୍ଦିରରେ ପାଳନ କରାଯିବ।

Hot this week

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

Related Articles

Popular Categories