ଧାନକଟା ମେସିନରେ ଚାପି ହୋଇ ବାଳକ ମୃତ
ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗାନ୍ଧି ଛକ ଫାଣ୍ଡି ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ ଆଜି ଏକ ଥ୍ରେସର ମେସିନ ଓଲଟି ଯିବା ଫଳରେ ଜଣେ ବାଳକର ମୃତ୍ୟୁ ହୋଇଛି । ମୃତକ ହେଲେ ମୁରାରୀ ଭୋଇଙ୍କ ପୁଅ ସୁଜଲ ଭୋଇ(୯) । ଏହି ଦୁର୍ଘଟଣରେ ବାସୁଦେବ ପଟେଲଙ୍କ ପୁଅ ପିୟୁଷ ପଟେଲ(୧୧) ଗୁରୁତର ହୋଇଥିବା ଜଣାଯାଇଛି । ସୂଚନାନୁସାରେ ଚାନ୍ଦିନୀମାଲ ପଞ୍ଚାୟତ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ବାସୁଦେବ ପଟେଲଙ୍କ କ୍ଷେତକୁ ସେହିଗ୍ରାମର ମୁରାରୀ ଭୋଇଙ୍କ ଧାନକଟା ମେସିନ ନିଆଯାଉଥିଲା ବେଳେ କୌଣସି କାରଣରୁ ଓଲଟି ପଡ଼ିଥିଲା ।
ତେବେ ମେସିନ ଉପରେ ଉତ୍ସାହିତ ହୋଇ ବସିଥିବା ଦୁଇ ବାଳକ ସୁଜଲ ଓ ପିୟୁଷ ଦୁର୍ଘଟଣା ଫଳରେ ମେସିନରୁ ତଳକୁ କଚାଡ଼ି ହୋଇ ପଡ଼ିଥିବା ବେଳେ ସୁଜଲଙ୍କ ଦେହ ଉପରେ ମେସିନଟି ପଡ଼ିଯାଇଥିଲା । ଉପସ୍ଥିତ ଲୋକେ ମେସିନ ତଳୁ ଉଦ୍ଧାର କରି ଥିଲେ ହେଁ ଘଟଣାସ୍ଥଳରେ ସୁଜଲଙ୍କ ମୃତ୍ୟୁ ଘଟିଥିଲା । ଅପରପକ୍ଷେ ଗୁରୁତର ଆହତ ପିୟୁଷକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ଖବର ପାଇ ବ୍ରଜରାଜନଗର ଆଇଆଇସି ନଳିତା ମୋଦି ଏବଂ ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
Comments are closed.