www.samajalive.in
Thursday, December 11, 2025
16.1 C
Bhubaneswar

ବ୍ରହ୍ମପୁରରେ ଚାକିରି, କଟକରେ ଚିକିତ୍ସା: ଗଛ ବଦଳେ ଲଟା ହେଲାଣି ଏମକେସିଜି ମେଡ଼ିକାଲ କଲେଜ ୟୁରୋଲୋଜି ବିଭାଗ

ବ୍ରହ୍ମପୁର: ସୁପରସ୍ପେସିଆଲିଟି ବିଭାଗ ଭାବେ ଗଣା ହେଉଛି କିନ୍ତୁ ଅତି ସାଧାରଣ ବିଭାଗ ଠାରୁ ହୀନ ​ହୋଇ ରହିଛି । ନିଜସ୍ବ କୋଠା ନାହିଁ କି ଆନୁସଙ୍ଗିକ ଭିତ୍ତିଭୂମି ନାହିଁ । ୪ ଜଣ ଡାକ୍ତର ଥିଲେ ମଧ୍ୟ ରୋଗୀଙ୍କୁ ସେବା ମିଳୁନି । ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ୟୁରେଲୋଜି ବିଭାଗର ଆଜି ଏହି ଅବସ୍ଥା ।
ଦକ୍ଷିଣ ଓଡ଼ିଶାର ୫ରୁ ଅଧିକ ଜିଲାର ରୋଗୀଙ୍କ ରେଫେରାଲ ହସପିଟାଲ ଭାବେ ଦୀର୍ଘ ବର୍ଷ ହେବ କାର୍ଯ୍ୟକରି ଆସୁଥିବା ଏମକେସିଜି ମେଡିକାଲ କଲେଜରେ ଥିବା ୫ରୁ ଅଧିକ ସୁପରସ୍ପେସିଆଲିଟି ବିଭାଗ ମଧ୍ୟରେ ୟୁରୋଲୋଜି (ମୁତ୍ରାଶୟ ରୋଗ ଚିକିତ୍ସା) ବିଭାଗ ଅନ୍ୟତମ । ରୋଗୀଙ୍କ ମୁତ୍ରାଶୟରେ ସମସ୍ୟା ସୃଷ୍ଟି ହେଲେ କିମ୍ବା ଅସ୍ତୋପଚାର ଭଳି ଚିକିତ୍ସା ଆବଶ୍ୟକ ହେଲେ ରୋଗୀମାନେ ୟୁରୋଲୋଜି ବିଭାଗକୁ ଆସିଥାନ୍ତି । ହେଲେ ଗତ କିଛିବର୍ଷ ହେବ ଏମକେସିଜିରେ ୟୁରୋଲୋଜି ବିଭାଗ ନାମକୁମାତ୍ର ରହିଛି । ଏହି ବିଭାଗରେ ସପ୍ତାହକୁ ୨ ଦିନ ଆଉଟଡୋର ଚିକିତ୍ସା ମିଳୁଥିବା ବେଳେ ବିଭାଗର ନିଜସ୍ବ ଇନଡୋର ନାହିଁ । ପୂର୍ବରୁ ୟୁରୋଲୋଜି ବିଭାଗଟି ଏମକେସିଜିର ପୁରୁଣା ଇନଡୋର କୋଠା​‌ର ନେଫ୍ରୋଲୋଜି ବିଭାଗ ନିକଟରେ ରହିଥିଲା । ସେହି କୋଠାକୁ ଅସୁରକ୍ଷିତ ଘୋଷଣା କରାଯିବା ସହ ଛାତରୁ ବାରମ୍ବାର ପଲସ୍ତରା ଖସିବା ପରେ ଇନଡୋରରେ ଚିକିତ୍ସାଧୀନ ହେଉଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ଉପାୟ ନଥିବାରୁ ୟୁରୋଲୋଜି ବିଭାଗ ଇନଡୋର ରୋଗୀଙ୍କୁ ସର୍ଜରୀ ବିଭାଗରେ ଭର୍ତ୍ତି କରାଗଲା । ​ଆଜକୁ ୨ ବର୍ଷ ହେବ ଏହି ବିଭାଗର ରୋଗୀମାନେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି । ସେବେଠୋରୁ ଏମକେସିଜିର ୟୁରୋଲୋଜି ସୁପରସ୍ପେସିଆଲିଟି ବିଭାଗଟି ବଡ ଗଛରେ ପରିଣତ ହେବା ବଦଳରେ ସର୍ଜରୀ ବିଭାଗ କାନ୍ଧରେ ଲଟା ହୋଇ ବଞ୍ଚି ରହିଛି ।

​‌ବଡ଼କଥା ହେଉଛି ଏହି ବିଭାଗରେ ଜଣେ ପ୍ରଫେସର, ଜଣେ ଆସୋସିଏଟ ପ୍ରଫେସରଙ୍କ ସହ ମୋଟ ୪ ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି । ହେଲେ ସେଥିରୁ ଜଣେ ଡାକ୍ତର ଅନେକ ବର୍ଷ ହେବ କଟକରେ ରହୁଥିବା ବେଳେ କାଁଭାଁ ଏମକେସିଜିକୁ ଆସନ୍ତି । ୪ ଜଣଙ୍କ ମଧ୍ୟରୁ ଜଣେ ଡାକ୍ତର ଏମକେସିଜି ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରୁ ଡେପୁଟେସନରେ ଆସିଥିବା ବେଳେ ଆଉ ଜଣେ ସିଟି ହସପିଟାଲରୁ ଡେପୁଟେସନରେ ଯାଇଛନ୍ତି । ଏଭଳି ସ୍ଥିତିରେ ଦୂରଦୁରାନ୍ତରୁ ଆସୁଥିବା ରୋଗୀମାନେ ଚିକିତ୍ସା ନପାଇ ଘରୋଇ ଡାକ୍ତରଖାନା ମୁହାଁ ହେଉଛନ୍ତି । ଏହି ସୁପରସ୍ପେସିଆଲିଟି ବିଭାଗକୁ ଠିକ ଭାବେ କାର୍ଯ୍ୟକ୍ଷମ କରାଇବା ଦିଗରେ ଏମକେସିଜି କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସମୟପୋଯୋଗୀ ପଦକ୍ଷେପ ନିଆଯାଉନାହିଁ। ଏ ନେଇ ଏମକେସିଜିର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କୁ ପଚରାଯିବାରେ ନୂତନ ପିଏମଏସଏସୱାଇ କୋଠା କାର୍ଯ୍ୟକ୍ଷମ ହେବା ପରେ ସେଠାକୁ ୟୁରୋଲୋଜି ବିଭାଗ ସ୍ଥାନାନ୍ତର ନେଇ ଯୋଜନା ରହିଛି ବୋଲି କହିଥିଲେ ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories