ଭୁବନେଶ୍ବର : ରାଜଧାନୀ ଏବଂ କଟକ-ଭୁବନେଶ୍ବର ରାଜପଥରେ କଳାକାଚ ଲଗାଇ ବୁଲୁଥିବା ୪ ଚକିଆ ଯାନକୁ ଠାବ କରିବା ଲାଗି କମିସନରେଟପୁଲିସର ଟ୍ରାଫିକ୍ ପକ୍ଷରୁ ଜୋର୍ଦାର ଅଭିଯାନ ଆରମ୍ଭ କରାଯାଇଛି। ଅପରାଧୀମାନେ କଳାକାଚ ଲଗାଯାଇଥିବା ଗାଡ଼ିରେ ପଇଁତରା ମାରୁଥିବା, ଅପହରଣ ଏବଂ ସେକ୍ସ ରାକେଟ୍ ଭଳି କାରବାର ଲାଗି ଏଭଳି ଗାଡ଼ିକୁ ବିନିଯୋଗ କରାଯାଉଥିବା ନେଇ ଅଭିଯୋଗ ପରେ ଟ୍ରାଫିକ୍ ପୁଲିସ ଧରପଗଡ଼ ଆରମ୍ଭ କରିଛି। ଅକ୍ଟୋବର ୧୯ରୁ ୩୧ ତାରିଖ ମଧ୍ୟରେ କେବଳ ରାଜଧାନୀରେ ୫୧ଜଣ ଉଲ୍ଲଘଂନକାରୀଙ୍କଠାରୁ ଜୋରିମାନା ଆଦାୟ କରାଯିବା ସହିତ ସେମାନଙ୍କ କାର୍ ଡୋର୍ରୁ ଫିଲ୍ମ କଢ଼ାଯାଇଛି। ପ୍ରତ୍ୟେକ କାର୍ ଚାଳକଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି।
ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡାଙ୍କ କହିବା ଅନୁସାରେ ନୂଆ ଡିସିପି ସୌମ୍ୟା ମିଶ୍ର ଏହି ଅଭିଯାନକୁ ଜୋର୍ଦାର କରିବା ଲାଗି ନିର୍ଦେଶ ଦେଇଛନ୍ତି। ତେଣୁ ଏନେଇ ଏକ ଫ୍ଲାଇଂ ସ୍କ୍ବାଡ୍ ଗଠନ କରାଯାଇଛି। ରାଜଧାନୀକୁ ନନ୍ଦନକାନନ ରାସ୍ତା ଦେଇ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ରଘୁନାଥପୁର ପୋଲ ନିକଟରେ ଯାଞ୍ଚ କରାଯାଉଛି। ସେହିପରି ଟଙ୍କପାଣି ରୋଡ଼ସ୍ଥିତ ସାଇମନ୍ଦିର ଛକ, ରାଜମହଲ, ନାଲ୍କୋ ଛକ, ରବି ଟକିଜ୍ ଓ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଯାଞ୍ଚ ବେଳେ ୫୧ଟି କାର୍ ଓ ଏସ୍ୟୁଭିରୁ ଜୋରିମାନା ଆଦାୟ କରାଯାଇଛି। ଏହି ଅଭିଯାନ ଆଗକୁ ଅଧିକ କଡ଼ାକଡ଼ି କରାଯିବ। ଏହି ଫ୍ଲାଇଂ ସ୍କ୍ବାଡ୍ ଯେକୌଣସି ସ୍ଥାନରେ ଯାଞ୍ଚ କରିବା ସହିତ ଯେଉଁ ଗାଡ଼ିଗୁଡ଼ିକ ଟ୍ରାଫିକ୍ର ସୁଯୋଗ ନେଇ ଖସି ଯାଉଛନ୍ତି, ସେମାନଙ୍କର ଫଟୋ ସଂଗ୍ରହ ପରେ ସେଗୁଡ଼ିକର ପଞ୍ଜୀକରଣ ନମ୍ବରରେ ଥିବା ଯୋଗାଯୋଗ ନମ୍ବରରେ ଫୋନ୍ କରି ମେସେଜ ପଠାଯାଇ ଜୋରିମାନା ଆଦାୟ କରାଯାଉଛି। ଗାଡ଼ିର ଝରକା କାଚ ୫୦ ପ୍ରତିଶତ ଓ ଆଗ ଏବଂ ପଛ କାଚର ଦୃଶ୍ୟମାନ ୫୦ ପ୍ରତିଶତ ରହିଥିବା ନେଇ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଛି। ତେବେ ଏସବୁ କାଚ ଉପରେ ଅଧିକ କୌଣସି ଫିଲ୍ମ ଲଗାଯିବା ଉପରେ ନିଷେଧ କରାଯାଇଛି।



