www.samajalive.in
Monday, December 8, 2025
13.1 C
Bhubaneswar

କୋଟିଆ ପରେ ନାରାୟଣପାଟଣା, ଆନ୍ଧ୍ର ନେଇଗଲା ଓଡ଼ିଶା ଜମି !

ନାରାୟଣପାଟଣା: କେତେବେଳେ ପାଣି ତ’ କେତେବେଳେ ଜମି; ଆଉ କେତେବେଳେ ଡ୍ୟାମ୍‌ କରି ଓଡ଼ିଶାର ସୀମାନ୍ତ ଅଞ୍ଚଳକୁ ବୁଡାଇବାକୁ ବସିଲେଣି ପଡୋଶୀ ରାଜ୍ୟ। ଓଡ଼ିଶା ପ୍ରଶାସନ ଏଥିପ୍ରତି ସତର୍କ ନ ରହିବା ଏବଂ ଉଭୟ ରାଜ୍ୟ ମଧ୍ୟ ମିଳିତ ସର୍ଭେ କରି ଜମି ଚିହ୍ନଟ ନ କରିବାର ସାଙ୍ଘାତିକ ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଏହା ସୀମାନ୍ତ ଓଡିଶାବାସୀଙ୍କ ଜୀବନ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରିଛି। କୋରାପୁଟ ଜିଲାର କୋଟିଆ ପରେ ନାରାୟଣପାଟଣା ସୀମା ଉପରେ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଓଡ଼ିଶାର ଜମି ଏବେ ଆନ୍ଧ୍ର ଚାଷୀଙ୍କ କବ୍‍ଜାରେ। ଆନ୍ଧ୍ର ଏବଂ ଓଡ଼ିଶା ସୀମାନ୍ତ କୋରାପୁଟ ଜିଲା ନାରାୟଣପାଟଣା ତହସିଲ ଅଧିନ ଲଙ୍ଗଳବେଡ଼ା ପଞ୍ଚାୟତର ଚିନା କିମିଡ଼ି ଭାଦ୍ରା ମୌଜାର ୩୫, ୩୩/୧ ପ୍ଲଟ ନଂ ଜମି, ଯାହାକି ରାଜସ୍ୱ ବିଭାଗର ମ୍ୟାପର ସୂଚାଉଥିଲା; ବର୍ତ୍ତମାନ କିନ୍ତୁ ଏଠାରେ ଆନ୍ଧ୍ର ସରକାର ଜୁଲମ୍‍ ଚଳାଇଥିବା ସୀମାନ୍ତ ଓଡ଼ିଶାବାସୀ ଅଭିଯୋଗ କରିଛନ୍ତି। ଏପରିକି ଓଡ଼ିଶାର ଜମିକୁ ଆନ୍ଧ୍ରର ବିଜୟନଗରମ୍‍ ଜିଲା ପାର୍ବତୀପୁରମ୍‍ ତହସିଲର ଡକିସିଲା ପଞ୍ଚାୟତର କିଛି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ରାଜସ୍ୱ ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ପାର୍ବତୀପୁରମର ରାଜସ୍ୱ ବିଭାଗର ଅଧିକାରୀ ମାନେ ଓଡ଼ିଶାର ଏହି ଜମିକୁ ମାପ ଚୁପ କରି ପଟ୍ଟା ପ୍ରଦାନ କରାଯାଉଥିବା ଜାଣିପାରି ନାରାୟଣପାଟଣା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ଓଡ଼ିଶାର ତେନ୍ତୁଳିଗୁଡ଼ା ଗ୍ରାମର କିଛି ଲୋକଙ୍କୁ ମଧ୍ୟ ଓଡ଼ିଶାର ଜଙ୍ଗଲ କିସମ ଜମିକୁ ଆନ୍ଧ୍ରର ଜମି ବୋଲି ଦର୍ଶାଇ ଆନ୍ଧ୍ର ଜଙ୍ଗଲ ବିଭାଗ ଅଧିକାରୀ ଆନ୍ଧ୍ରର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିବା ଗୁରୁତର ଅଭିଯୋଗ ହୋଇଛି। ତେବେ ଏହି ପଟ୍ଟା ଓଡ଼ିଶାବାସୀଙ୍କୁ କିଛି କାମ ଦେବ ନାହିଁ ବୋଲି କହିଛନ୍ତି।

୨୦୦୫ ମସିହାରେ ଏହି ମୌଜାର କିଛି ଜମିକୁ ଆନ୍ଧ୍ରର ଡକିସିଲା ପଞ୍ଚାୟତବାସୀଙ୍କୁ ପଟ୍ଟା ପ୍ରଦାନ କରାଯିବା ପରେ ପୁଣି ଓଡ଼ିଶା ସୀମା ଭିତରକୁ ଆନ୍ଧ୍ର ରାଜସ୍ୱ ବିଭାଗ ପଶି ମାପଚୁପ କରି ପଟ୍ଟା ପ୍ରଦାନ କରୁଥିବାରୁ ବର୍ତ୍ତମାନ ତାଙ୍କ ଦଖଲରେ ଥିବା ସମସ୍ତ ଜମି ହରାଇବାକୁ ପଡ଼ିବା ଆଶଙ୍କା ବଢିଛି। ଏନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ପରେ ରାଜସ୍ୱ ବିଭାଗ ତତ୍ପର ହୋଇଛି। ଏହି ଅଭିଯୋଗକୁ ଭିତ୍ତିକରି ସ୍ଥାନୀୟ ତହସିଲଦାର, ରାଜସ୍ୱ ନିରୀକ୍ଷକ, ଲଙ୍ଗଳବେଡ଼ା ସରପଞ୍ଚ ଓ କର୍ମଚାରୀ ଉକ୍ତ ସ୍ଥାନକୁ ଯାଇ ପ୍ରାଥମିକ ତଦନ୍ତରୁ ଓଡ଼ିଶାର ଜମିରେ ଆନ୍ଧ୍ରର ଅନୁପ୍ରବେଶ ନେଇ କିଛି ତଥ୍ୟ ମିଳିଥିବା ସନ୍ଦେହ ପ୍ରକାଶ କରିବା ସହ ଆନ୍ଧ୍ର ଓ ଓଡ଼ିଶାର ରାଜସ୍ୱ ଓ ଜଙ୍ଗଲ ବିଭାଗର ଏକ ମିଳିତ ସର୍ଭେ କରାଯାଇ ସୀମା ନିର୍ଦ୍ଧାରଣ କରାଯିବା ନିମନ୍ତେ କୋରାପୁଟ ଜିଲାପାଳଙ୍କୁ ଅବଗତ କରାଯାଇଥିବା ନାରାୟଣପାଟଣା ତହସିଲଦାର ଅଭିଷେକ ଦାସ ପ୍ରକାଶ କରିଛନ୍ତି। ତେବେ ଆନ୍ଧ୍ର ସରକାର ଓଡ଼ିଶା ସୀମାନ୍ତରେ ଅନୁପ୍ରବେଶ ପଛରେ ଏପରି ଆଭିମୁଖ୍ୟ ପଛରେ ରହସ୍ୟ କ’ଣ ତାହା ଲୋକଲୋଚନକୁ ଆସିବା ଦରକାର ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି। ତୁରନ୍ତ ଉଭୟ ଓଡ଼ିଶା ଓ ଆନ୍ଧ୍ରର ମିଳିତ ସର୍ଭେ କରାଯାଇ ସୀମା ନିର୍ଦ୍ଧାରଣ କରା ନ ଗଲେ ଓଡ଼ିଶାର ଜମି ହରାଇବା ସହ ସେଠାକାର ଆଦିବାସୀଙ୍କ ଜୀବିକା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ଆଶଙ୍କା ବଢିଛି। ଏହି ପଞ୍ଚାୟତର ସରପଞ୍ଚ ପିଡ଼ିକା ପାପେୟା ଓ ତେନ୍ତୁଳିଗୁଡ଼ା, ଚିନାକିମିଡ଼ି ଭାଦ୍ରା ଗ୍ରାମର ସିଦାରାପୁ ଟିଙ୍ଗୁ, ମାରୀ ରବି, ତାଡ଼ିଙ୍ଗି ବାତ୍ରି ପ୍ରମୁଖ ଏହି ଅଭିଯୋଗ କରିଛନ୍ତି।
ଆନ୍ଧ୍ର ନେଇଗଲା…

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories