ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟିର ଭିଭିଆଇପି ଅଞ୍ଚଳ ଭାବେ ପରିଚିତ ସହିଦନଗର ଅଞ୍ଚଳର ବାସିନ୍ଦା ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଯୁଆଡ଼େ ଦେଖିବ ସିଆଡ଼େ ଖାଲଖମା। ସବୁଠାରୁ ବଡ଼ କଥା ହେଉଛି ସ୍ମାର୍ଟସିଟିର କାର୍ଯ୍ୟାଳୟ ଏଠାରେ ଥିଲେ ମଧ୍ୟ ଏହି ଅଞ୍ଚଳକୁ ଉପେକ୍ଷା କରାଯାଉଥିବା ସ୍ଥାନୀୟ ବାସିନ୍ଦା ଗୁରୁତର ଅଭିଯୋଗ କରିଛନ୍ତି। ଏକାଧିକ ବିଭାଗ ଏଠାରେ କାମ କରୁଥିଲେ ହେଁ ସମନ୍ବୟ ଅଭାବରୁ ଏହାର ପରିଣାମ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡୁଛି।
ସହିଦନଗରର ସମସ୍ତ ମୁଖ୍ୟ ଏବଂ ଲେନ୍ ରାସ୍ତା ଅବସ୍ଥା ଏପରି ଘରୁ ବାହାରିବା ସମ୍ଭବ ହେଉନାହିଁ। ବିଭିନ୍ନ ଆଳ ଦେଖାଇ ପ୍ରଶାସନ ଦିନ ଗଡ଼ାଉଥିବାବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଭୋଗୁଛନ୍ତି ଯନ୍ତ୍ରଣା। କେତେବେଳେ େସ୍ୱରେଜ୍ ବିଭାଗ କାମ ପାଇଁ ଭଲ ରାସ୍ତାକୁ ଖୋଳି ଅଧା ପନ୍ତରିଆ କରି ଛାଡ଼ି ଦେଉଛି ତ ଆଉ କେତେବେଳେ ଡ୍ରେନେଜ୍ ବିଭାଗ ରାସ୍ତା ଖୋଳି ଛାଡ଼ି ଦେଉଛି। କେବୁଲ ଓ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ରାସ୍ତା ଖୋଳାଯାଉଛି। ବିଗତ ଦିନରେ ବାରମ୍ବାର ଲଘୁଚାପ ବର୍ଷା ରାସ୍ତାଘାଟ ଅବସ୍ଥାକୁ ଦ୍ୱିଗୁଣିତ କରିଥିବା ବେଳେ ଏବେ ସୁଦ୍ଧା ଏହି ରାସ୍ତାଘାଟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିଥିବା ଅଧିକାଂଶ ଅଭିଯୋଗ କରିଛନ୍ତି।

ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଅଞ୍ଚଳଟି ସବୁଠୁ ଜନଗହଳି ପୂର୍ଣ୍ଣ ହୋଇଥିବାବେଳେ ସବୁ ରାସ୍ତା ଏକସଙ୍ଗେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ବାଇକଠାରୁ ଆରମ୍ଭ କରି ବଡ଼ ଗାଡ଼ି ରାସ୍ତାରେ ଚାଲିବା ସମ୍ଭବ ହେଉନାହିଁ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଟ୍ରାଫିକ୍ ସମସ୍ୟା ଦେଖା ଦେଉଥିବାବେଳେ ଲୋକେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ଖାଲରେ ପଡ଼ି ଗାଡ଼ିଗୁଡ଼ିକ ଭାଙ୍ଗୁଥିବା ବେଳେ ଘଣ୍ଟା ଘଣ୍ଟା ଧରି ଜାମ୍ ଅଧିକ ଯନ୍ତ୍ରଣା ଦେଉଛି। ଏଠାରେ ଏକାଧିକ ବିଭାଗ କାମ କରୁଥିବା ବେଳେ ସମନ୍ୱୟ ଅଭାବରୁ େଲାକେ ଯନ୍ତ୍ରଣା େଭାଗୁଛନ୍ତି ବୋଲି ବରିଷ୍ଠ ନାଗରିକ କହିଛନ୍ତି।
ଶ୍ମଶାନ ସମ୍ମୁଖ ରାସ୍ତା ଅବରୋଧ
ରାଜଧାନୀର ସ୍ୱର୍ଗଦ୍ୱାର ଭାବେ ସତ୍ୟନଗର ଶ୍ମଶାନ ପରିଚିତ। ଏଠାରେ ଦୈନିକ ଏକାଧିକ ଶବ ସତ୍କାର କରାଯାଉଥିବା ବେଳେ ବିଭିନ୍ନ ପ୍ରାନ୍ତରୁ ଶବସତ୍କାର ପାଇଁ ଲୋକେ ଆସୁଛନ୍ତି। ଗତ କିଛି ଦିନ ହେଲା ମୁଖ୍ୟ ପାର୍କିଂ ସ୍ଥଳରେ ସ୍ମାର୍ଟସିଟି କାର୍ଯ୍ୟ ଜାରି ରହିଥିବାରୁ ଶ୍ମଶାନ ସମ୍ମୁଖ ରାସ୍ତାରେ ଚିପ୍ସ, ଇଟା ଓ ବାଲି ଗଦା ହୋଇଛି। ଫଳରେ ପାର୍କିଂ ହୋଇ ପାରୁନଥିବା ବେଳେ ଧୂଳିବାଲିରେ ଲୋକେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି।

କେଉଁଠି ଚାଲିଛି କି ପ୍ରକାର କାର୍ଯ୍ୟ
ରୁପାଲି ଛକ, ମହର୍ଷି କଲେଜ ରାସ୍ତା ଓ ଟ୍ରାଫିକ୍ ଛକରେ ଚାଲିଛି ସ୍ମାର୍ଟସିଟି ପ୍ରକଳ୍ପ କାର୍ଯ୍ୟ। ଡ୍ରେନ୍ କାମ ଅଧାପନ୍ତରିଆ ଥିବାବେଳେ ମାଟି ଧସି ଡ୍ରେନ୍ ପୋତି ହୋଇଯିବା ପରେ ଗତ ମଙ୍ଗଳବାରଠାରୁ କାମ ଜାରି ରହିଛି। ଜନପଥରେ ଚାଲିଛି କେବୁଲ ବିଛା ଓ େସ୍ୱରେଜ୍ କାମ। ସହିଦନଗର ଭିତର ସମସ୍ତ ଲେନ୍ ରାସ୍ତା ଓ ପ୍ରମୁଖ ରାସ୍ତାରେ ୨୪ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପ କାମ ଜାରି ରହିଥିବାବେଳେ ରାସ୍ତା ଉପରେ କୁଢ଼କୁଢ଼ ମାଟି ଗଦା ହୋଇ ରହିଛି। ପେଟ୍ରୋଲ ଟାଙ୍କିଠାରୁ ଆରମ୍ଭ କରି ସହିଦନଗର ଶେଷ ପର୍ଯ୍ୟନ୍ତ ସ୍ମାର୍ଟସିଟି ପକ୍ଷରୁ କେବୁଲ ବିଛା ଅଧାପନ୍ତରିଆ ରହିଛି।

ସେସୁ ଡିଭିଜନ ୨ କାର୍ଯ୍ୟାଳୟ ନିକଟରେ ଢଳେଇ ରାସ୍ତା ନଷ୍ଟ ହୋଇ ପଡ଼ିଛି। ମହର୍ଷି କଲେଜ ପଶୁ ଚିକିତ୍ସାଳୟଠାରୁ ହୋଟେଲ ମେଘଦୂତ ଦେଇ ଜାତୀୟ ରାଜପଥ ପର୍ଯ୍ୟନ୍ତ ନୂଆ ରାସ୍ତାକୁ ଖୋଳାଯାଇ ପାଇପ୍ ଲାଇନ୍ କାମ ଜାରି ରହିଛି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସରୁନଥିବାବେଳେ ଅଧିକାରୀଙ୍କ ଖାମଖିଆଲି ନୀତି ଓ ସମନ୍ବୟ ଅଭାବ ଯୋଗୁଁ ସହିଦନଗରବାସୀ ଯନ୍ତ୍ରଣା ଭୋଗୁଥିବା କହିଛନ୍ତି।
୬ ମାସ ଅବଧି ବୃଦ୍ଧି
ସହିଦନଗର, ସତ୍ୟନଗର ମଧ୍ୟରେ ଦୁଇଟି କଲଭର୍ଟ କାର୍ଯ୍ୟ ଚାଲିଥିବାବେଳେ ଗୁରୁବାର ମହର୍ଷି କଲେଜ ପ୍ରବେଶ ରାସ୍ତା କଲଭର୍ଟ କାର୍ଯ୍ୟକ୍ଷମ ହୋଇଛି। ଆସନ୍ତା ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଜନପଥର ରାଜମହଲରୁ ବାଣୀବିହାର ପର୍ଯ୍ୟନ୍ତ ସମସ୍ତ ରାସ୍ତାର ପିଚୁ କାର୍ଯ୍ୟ ଶେଷ ହେବ। ସହିଦନଗର ଅଞ୍ଚଳରେ ଭୂତଳ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଜାରି ରହିଥିବାବେଳେ ଡିସେମ୍ବର ସୁଦ୍ଧା ଶେଷ ହେଲେ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଉଠାଯାଇ ସାଇକଲ ଟ୍ରାକ୍ ପ୍ରସ୍ତୁତ ହେବ ବୋଲି ସ୍ମାର୍ଟସିଟି ଜିଏମ୍ ଟେକ୍ନିକାଲ୍ ଅଶ୍ୱିନୀ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି। ୨୦୨୦ ନଭେମ୍ବରରେ ଏସବୁ କାମ ଶେଷ ହେବାର ଥିଲା କରୋନା ପାଇଁ ମାନବ ସମ୍ବଳ ଅଭାବରୁ ଅଧିକ ୬ମାସ ଅବଧି ବୃଦ୍ଧି କରାଯାଇଛି।

ସେହିପରି ଓପିଟିସିଏଲ୍ ଅଧୀନରେ ଏଲ୍ ଆଣ୍ଡ ଟି ଭୂତଳ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଏଠାରେ ଆରମ୍ଭ କରିଛି। ବର୍ତ୍ତମାନ କାମ ଜାରି ରହିଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଚାର୍ଜ ଦିଆଯିବ ବୋଲି ଓପିଟିସିଏଲର ଏଜିଏମ୍ ସଞ୍ଜୟ କୁମାର ମହାନ୍ତି ସୂଚନା ଦେଇଛନ୍ତି।



