ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ କାଳିଆକୁ ରଖାଯାଉ

0

ନୂଆଦିଲ୍ଲୀ: ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା କାଳିଆଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନରେ ରଖିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଜଗା କାଳିଆଙ୍କୁ ଚିକିତ୍ସା କରୁଥିବା ଏମସ ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଥିଲେ। ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ଡାକ୍ତରୀ ଦଳ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସୂଚନା ଦିଆଯାଇଥିଲା। ସାନଭାଇର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ବେଳେ ସଂପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ଅଧିକ ସମୟ ଲାଗିପାରେ ବୋଲି ପ୍ରଫେସର ଦୀପକ ଗୁପ୍ତା ଜଣାଇଥିଲେ। ଯେହେତୁ କାଳିଆର ସ୍ୱାସ୍ଥ୍ୟରେ ସେତେଟା ଉନ୍ନତି ଆସି ନାହିଁ; ସେମାନଙ୍କୁ ଆଉ କିଛି ଦିନ ଏମସରେ ରଖି ଚିକିତ୍ସା ଜାରି ରଖିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଥିଲେ। ଓଡ଼ିଶାରୁ ଆସିଥିବା ପାଞ୍ଚଜଣିଆ ଡାକ୍ତରୀ ଦଳଙ୍କ ମତାମତ ପରେ ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତି ନେବେ ବୋଲି ଜଣାପଡ଼ିଛି। ଆଲୋଚନାରେ ରାଜ୍ୟ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା କାଳିନୀ ପଣ୍ଡିତ, ଏମସ ପ୍ରଫେସର ଦୀପକ ଗୁପ୍ତା, ପ୍ରଫେସର ଏସ ଏସ କାଲେ, ପ୍ଳାଷ୍ଟିକ ସର୍ଜରୀ, ନ୍ୟୁରୋଲୋଜି, ସର୍ଜରୀ ଆଦି ବିଭାଗର ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ। ପ୍ରକାଶ ଯେ ଉଭୟ ଯୋଡ଼ା ମୁଣ୍ଡ ଶିଶୁଙ୍କୁ ଡିସଚାର୍ଯ କରିବା ପାଇଁ ଏମସ କର୍ତ୍ତୃପକ୍ଷ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ। ଉଭୟ ଶିଶୁ ଅପେକ୍ଷାକୃତ ସୁସ୍ଥ ହୋଇଥିବାରୁ ଆଜି ଡିସଚାର୍ଯ କରାଯାଇଥାନ୍ତା। ଡିସଚାର୍ଯ ପ୍ରସଙ୍ଗକୁ ଏମସ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଉପରେ ଛାଡି ଦେଇଥିବାର ଜଣାପଡ଼ିଛି।

Leave A Reply