www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀଲିଙ୍ଗରାଜ ମନ୍ଦିର ମରାମତି ପାଇଁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗକୁ ଚିଠି ଲେଖିଲା ମନ୍ଦିର ପ୍ରଶାସନ

ଭୁବନେଶ୍ବର: ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଛି ଶ୍ରୀଲିଙ୍ଗରାଜ ମନ୍ଦିର। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଏହି ମନ୍ଦିର ପ୍ରତି ଅବହେଳା ପ୍ରଦର୍ଶନ କରୁଛି। ଦେବୋତ୍ତର ବିଭାଗ ଏବଂ ମନ୍ଦିର ପ୍ରଶାସନ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ଥକି ପଡ଼ିଲେଣି। ହେଲେ ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ଅନ୍ୟପକ୍ଷରେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିରକୁ ନେଇ ଅନେକ ସ୍ବପ୍ନ ଦେଖିଛନ୍ତି। ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ୟ୍ୟକରଣ ଓ ବିକାଶ ସହ ମନ୍ଦିର ପରିଚାଳନା ଲାଗି ସ୍ବତନ୍ତ୍ର ଆଇନ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ପ୍ରତ୍ନତତ୍ତ୍ବ ବିଭାଗର ଏଭଳି ଅବହେଳା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସେବାୟତ ତଥା ଶ୍ରଦ୍ଧାଳୁ ଦାବି କରିଛନ୍ତି।
ଓଡ଼ିଶାର ଅନନ୍ୟ କୀର୍ତ୍ତିରାଜି ମଧ୍ୟରୁ ଶ୍ରୀଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର। ପ୍ରସିଦ୍ଧ ଐତିହ୍ୟସ୍ଥଳ ଭାବେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚିତ। ୧୧ଶ ଶତାବ୍ଦୀରେ ମନ୍ଦିରର ପ୍ରସ୍ତର ନିର୍ମିତ କଳାକୃତୀ ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାଏ। ବୃହତକାୟ ମନ୍ଦିର ବେଢ଼ା ଭିତରେ ୬୨ଟି ଛୋଟବଡ଼ ଦେବଦେବୀ ମନ୍ଦିର ରହିଛି। ୧୯୧୮ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱର ସର୍କଲ ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ହାତକୁ ନେଇଥିଲା। ସେବେଠାରୁ ଏହାର ଉପଯୁକ୍ତ ଯତ୍ନ ନିଆ ଯାଉନାହିଁ। ମନ୍ଦିର ଚୁଡ଼ା ଓ ଦଧିନଉତିରେ ଫାଟ ଦିଶିଲାଣି। ମନ୍ଦିର କଳାଭାସ୍କର୍ୟ୍ୟର ତେଜ କମିବାକୁ ବସିଲାଣି। ମନ୍ଦିରର ଜଗ‌େମାହନ, ନାଟମଣ୍ଡପ, ବେଢ଼ାରେ ଫାଟ ଦେଖା ଗଲାଣି। ସାମାନ୍ୟ ବର୍ଷା ହେଲେ ଏସବୁ ସ୍ଥାନରୁ ପାଣି ଗଳୁଛି। ଦେଉଳ ସଂଯୋଗସ୍ଥଳର ପଥରସବୁ ଦୁର୍ବଳ ହୋଇ ଗଲାଣି। ଗର୍ଭଗୃହ ଚଟାଣ ପଥରରୁ ପରସ୍ତ ପରସ୍ତ ହୋଇ ପଥର ଖଣ୍ଡ ଛାଡ଼ିବାକୁ ବସିଲାଣି। ଶ୍ରୀଲିଙ୍ଗରାଜଙ୍କ ପାଦୁକା ନଳା ଅବରୋଧ ଯୋଗୁଁ ମନ୍ଦିର ଭିତରେ ପାଦୁକା ପାଣି ଭେଦୁଛି। ବର୍ଷା ସମୟରେ ମନ୍ଦିର କାନ୍ଥ ଜକେଇବା ସହ ପଥରରେ ବିଦ୍ୟୁତ ସରବରାହ ପ୍ରବାହିତ ହୋଇ ବହୁ ସମୟରେ ସଟ୍‌ ସର୍କିଟ ହେଉଛି ା ଗତ କିଛି ଦିନ ତଳେ ବର୍ଷା ହେବା ଯୋଗୁଁ ମନ୍ଦିରରେ ଏଭଳି ସମସ୍ୟା ଉପୁଜି ଥିଲା। ଏନେଇ ମନ୍ଦିର ପ୍ରଶାସନ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗକୁ ମରାମତି ପାଇଁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି ା
ସେହିପରି ୨୦୧୯ ସେ‌େ‌ପ୍ଟମ୍ବର ୨୬ରେ ଓଡ଼ିଶା ହିନ୍ଦୁ ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର ଦିଲ୍ଲୀସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦେଶିକାଙ୍କୁ ଶ୍ରୀଲିଙ୍ଗରାଜ ମନ୍ଦିରର ଦୁର୍ବଳ ଅଂଶ ସମ୍ପର୍କରେ ଅବଗତ କରିବା ସହ ତୁରନ୍ତ ମରାମତି କରିବାକୁ ଜଣାଇଥିଲେ। ହେଲେ ଦେବୋତ୍ତର କମିସନରଙ୍କ ଅଭିଯୋଗକୁ ବର୍ଷେ ପୂରଣ ହୋଇ ଯାଇଥିଲେ ମଧ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗର ସଂରକ୍ଷଣ ସହାୟକ ସୁଶାନ୍ତ ଗୋଚ୍ଛାୟତ କହିଛନ୍ତି, ଲିଙ୍ଗରାଜ ମନ୍ଦିର ମରାମତି ପାଇଁ ପ୍ରାଥମିକ ପର୍ୟ୍ୟାୟରେ ୧କୋଟି ୩୦ଲକ୍ଷ ଟଙ୍କାର ଏଷ୍ଟିମେଟ୍‌ ସରିଛି। ଏହା ଅନୁମୋଦନରେ ଅଟକିଛି। ଅନୁମୋଦନ ମିଳିଲା ପରେ ଟେଣ୍ଡର ହୋଇ କାର୍ୟ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories