www.samajalive.in
Monday, December 8, 2025
14.1 C
Bhubaneswar

ପରଦା ଢଙ୍କା ପାର୍ବଣ; ମଣ୍ଡପ ଖାଲି, ବଜାରରେ ଭିଡ଼

କୋରାପୁଟ: ମାଳଭୂମିରେ ଏବେ ପାର୍ବଣର ମାହୋଲ। ଆଜି କରୋନା କଟକଣା ଭିତରେ ପୀଠେ ମହା ସପ୍ତମୀ ପୂଜା ଓ ପୂଜା ମଣ୍ଡପରେ ନୀତିକାନ୍ତି ଅନୁଯାୟୀ ସାରଦୀୟ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା ପାଳିତ ହୋଇଯାଇଛି। ବେଦମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ମଣ୍ଡପ। ଏସବୁ କିନ୍ତୁ କେବଳ ମଣ୍ଡପରେ ସୀମିତ ରହିଛି। କରୋନା ପାଇଁ ଏଥର ମା’ଙ୍କ ଠାରୁ ଭକ୍ତଙ୍କୁ ଦୂରେଇ ରଖିବା ଲାଗି ପ୍ରୟାସ କରାଯାଇଛି। କେବଳ ବିଧିରକ୍ଷା ମୁତାବକ ପୂଜା ମଣ୍ଡପ ଗୁଡ଼ିକରେ ପୂଜାର୍ଚ୍ଚନା କରାଯିବା ପାଇଁ ଯଦିଓ ପ୍ରଶାସନ ରାଜି ହୋଇଛି ତଥାପି ଦେଶର ଅନ୍ୟ ରାଜ୍ୟ ଗୁଡ଼ିକର ପୂଜା ପାର୍ବଣ ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ମଣ୍ଡପ ଖାଁ ଖାଁ, କେବଳ ସୀମିତ ସଂଖ୍ୟକ ପୂଜକଙ୍କ ମନ୍ତ୍ର ଉଚ୍ଚାରଣରେ ପୂଜା ମଣ୍ଡପ ନିକଟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲେ ହେଁ ରାସ୍ତା ଘାଟରେ ହୋଇଥିବା ପୂଜା ମଣ୍ଡପ ଗୁଡ଼ିକ ସମ୍ମୁଖରେ ପୂର୍ବବର୍ଷ ଗୁଡ଼ିକ ଭଳି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ। ତେବେ ପାର୍ବଣର ମାହୋଲ କିନ୍ତୁ ବାରି ହେଉଛି। ସଞ୍ଜ ନଇଁବା ପରେ ବଜାର ଘାଟରେ ଲୋକଙ୍କ ଭିଡ଼ ବଢ଼ୁଛି, ଦିନସାରା ବିଭିନ୍ନ ଦୋକାନ ବଜାରରେ ଗ୍ରାହକଙ୍କ ଭିଡ଼ ଲାଗି ରହୁଛି। ତେବେ ଯେଉଁ ଗ୍ରାହକ ବଡ଼ ବଡ଼ ଜିନିଷ କିଣିବା ପାଇଁ ପୂଜା ବଜାରକୁ ଯାଆନ୍ତି ସେମାନେ ଚଳିତବର୍ଷ ଘରୁ ଗୋଡ଼ କାଢ଼ିବାକୁ ନାରାଜ। ଅନେକ ସଚେତନ ନାଗରିକ ଘରେ ରହି ଅନଲାଇନ କାରବାରକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଯୁବପିଢ଼ି ବଜାରଘାଟରେ ଭିଡ଼ ଜମାଉଥିଲେ ହେଁ ଦୋକାନରେ ବୁଲିବାର ମଜା ନେଇ ଅନଲାଇନରେ ଜିନିଷ ମଗାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। କୋରାପୁଟ ଜିଲାର ଜୟପୁର, ଓ ସେମିଳିଗୁଡ଼ା ଦୁଇ ସହର ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ଲୋକଙ୍କ ଭିଡ଼ ପୁଣି ଜିଲାରେ ସଂକ୍ରମଣକୁ ବହୁ ମାତ୍ରାରେ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଛି। ଆଜି ଆମେ ଜୟପୁରର କିଛି ଦୋକାନକୁ ପରୀକ୍ଷାମୂଳକ ଭାବେ ଯାଇଥିବାବେଳେ ଅଧିକାଂଶ ବଡ଼ ବଡ଼ ଦୋକାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନ ନିୟମକୁ ଦୋକାନ ବାହାରେ ଫିଙ୍ଗିଦିଆଯାଉଥିବା ଦେଖିବାକୁ ମିଳିଥିଲା। ମାତ୍ର କିଛି ପ୍ରତିଷ୍ଠିତ ଦୋକାନରେ ବିଶୋଧନକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ କୌଣସିଠାରେ କାହାରି ମଧ୍ୟ ନାକ ଉପରେ ମାସ୍କ ଦେଖିବାକୁ ମିଳି ନ ଥିଲା। ଅଧିକାଂଶଙ୍କ ଓଠ ତଳକୁ ମାସ୍କ ଥିବାବେଳେ ଅନେକ ପକେଟରେ ମାସ୍କ ରଖି ବୁଲୁଥିବା ଦେଖିବାକୁ ମିଳିଥିଲା। ଜୟପୁର ବଜାରର ଏହି ଦୃଶ୍ୟ ଆଗାମୀ ଦିନରେ ଅଜଣା ବିପଦର କାରଣ ସାଜିପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ଏଭଳି ସମୟରେ ଜିଲା ପ୍ରଶାସନ ଘରେ ରହି ପାର୍ବଣର ମଜା ଉଠାଇବା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଲୋକଙ୍କ ଅମାନିଆ ପଣ ହିଁ ସଂକ୍ରମଣ ବୃଦ୍ଧିର କାରଣ ସାଜିପାରେ ବୋଲି ଚର୍ଚ୍ଚା ହେଉଛି। ପରଦା ଢଙ୍କା ପାର୍ବଣ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଥିବାବେଳେ ସଚେତନ ଓ ଜାଗ୍ରତ ନ ହେଲେ କରୋନା ମହାମାରୀକୁ ରୋକିବା ମୁସ୍କିଲ ବୋଲି ମତପ୍ରକାଶ ପାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories