ଋଦ୍ଧିମାନଙ୍କ କାନ୍ଧରେ ହେବ ଅସ୍ତ୍ରୋପଚାର

0

କଲକାତା : ଭାରତୀୟ ୱିକେଟରକ୍ଷକ-ବ୍ୟାଟସମ୍ୟାନ୍‍ ଋଦ୍ଧିମାନ ଶାହାଙ୍କ କାନ୍ଧରେ ଅସ୍ତ୍ରୋପଚାର କରାଯିବ। କିଛିଦିନ ତଳେ ଋଦ୍ଧିମାନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଚିକିତ୍ସା ପରେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‍ ଏକାଡେମୀ (ଏନ୍‍ସିଏ)ରେ ଅଭ୍ୟାସ ଜାରି ରଖିଥିଲେ। ତେବେ ଏନ୍‍ସିଏର ପ୍ରଶିକ୍ଷକ ଋଦ୍ଧିମାନଙ୍କୁ ଠିକ୍‍ ଭାବେ ଅଭ୍ୟାସ କରାଇନ ଥିବାରୁ ତାଙ୍କ କାନ୍ଧରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ତାଙ୍କୁ କାନ୍ଧର ପରୀକ୍ଷା ନିରୀକ୍ଷା ପରେ ଅସ୍ତ୍ରୋପଚାର କରାଯିବା ଜରୁରୀ ବୋଲି ଜଣାପଡ଼ିଥିଲା। ଆସନ୍ତା ମାସରେ ଋଦ୍ଧିମାନଙ୍କ କାନ୍ଧରେ ଇଂଲଣ୍ଡରେ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡ଼ିଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତ ଏନ୍‍ସିଏର ଫିଜିଓ ଓ ପ୍ରଶିକ୍ଷକଙ୍କ ଭୁଲ୍‍ ଯୋଗୁଁ ଶାହା ଭୁଲ୍‍ ଅଭ୍ୟାସ କରିବା ଫଳରେ ତାଙ୍କ କାନ୍ଧରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ପରେ ପରୀକ୍ଷାରୁ ଋଦ୍ଧିମାନଙ୍କ କାନ୍ଧରେ ଅସ୍ତ୍ରୋପଚାର କରାଯିବା ନିହାତି ଜରୁରୀ ବୋଲି ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ସେ ଦୁଇମାସ ପର୍ଯ୍ୟନ୍ତ କ୍ରିକେଟ୍‍ ଖେଳିପାରିବେ ନାହିଁ। ଏପରି ପରିସ୍ଥିତିରେ ଋଦ୍ଧିମାନ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୩୩ ବର୍ଷୀୟ ଋଦ୍ଧିମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‍ରେ ଖେଳୁଥିବା ବେଳେ କାନ୍ଧରେ ଆଘାତପ୍ରାପ୍ତ ହୋଇଥିଲେ। ତେବେ ସେତେବେଳେ ଏହାକୁ ବେଶୀ ଗୁରୁତ୍ୱ ପ୍ରଦାନ କରାଯାଇନଥିଲା। ଏହାପରେ ସେ ଆଇପିଏଲ୍‍ରେ ଖେଳୁଥିବା ବେଳେ ତାଙ୍କ ଆଙ୍ଗୁଠି ଆଘାତପ୍ରାପ୍ତ ହୋଇଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‍ରେ ଋଦ୍ଧିମାନ ଖେଳିବା ଉଦ୍ଦେଶ୍ୟ ରଖି ଏନ୍‍ସିଏରେ ଅଭ୍ୟାସ କରିଥିଲେ। ତେବେ ସେଠାରେ ଥିବା ସିନିୟର ଫିଜିଓ ଓ ପ୍ରଶିକ୍ଷକଙ୍କ ଭୁଲ୍‍ ଯୋଗୁଁ ତାଙ୍କ କାନ୍ଧର ଯନ୍ତ୍ରଣା ବଢ଼ି ଯାଇଥିଲା। ଋଦ୍ଧିମାନଙ୍କ କାନ୍ଧରେ ଥିବା ସମସ୍ୟା ସଂପର୍କରେ ଏନ୍‍ସିଏର ଫିଜିଓ ଏବଂ ପ୍ରଶିକ୍ଷକ କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply