www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉଦ୍‌ଯାପିତ

ପିପିଲି:ମଙ୍ଗଳବାର ମଧ୍ୟରାତ୍ରରୁ ଚିତ୍ତାକର୍ଷକ ଆତସବାଜିରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ହରିରାଜପୁରର ପଞ୍ଚୁଦୋଳ ମେଳଣ ଶୁକ୍ରବାର ଅପରାହ୍ନରେ ଗୋଧୂଳୀ ଲଗ୍ନରେ ୪ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ମେଳରେ ରଙ୍ଗୀନ ଫଗୁ ଖେଳରେ ଶେଷ ହୋଇଛି। ବହୁ ପ୍ରତିକ୍ଷିତ ଠାକୁର ମାନଙ୍କ “ଦିଅଁମେଳଣ’ ସମୟରେ ବିଭିନ୍ନ ରଙ୍ଗର ଫଗୁରେ ମେଳଣ ପଡିଆ ସଂପୂର୍ଣ୍ଣ ରଙ୍ଗୀନ ହୋଇଯାଇଥିବା ବେଳେ ହରିବୋଲ, ହୁଳହୁଳି ଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।
୬ ତାରିଖ ମଧ୍ୟରାତ୍ରରୁ ଚିତ୍ତାକର୍ଷକ ଆତସବାଜୀ ସାଙ୍ଗକୁ ନୃତ୍ୟ ସଙ୍ଗୀତରେ ଏହି ମେଳଣର ଜମାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ହରିରାଜପୁରର ଆରାଧ୍ୟ ଠାକୁର ପ୍ରଭୂ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବ ଏହି ମେଳଣର ସ୍ଥାନାଧିପତି ହୋଇଥିବା ବେଳେ ଅନ୍ୟ ୪ଟି ରାଜ ପ୍ରତିଷ୍ଠିତ ଦେବ ବିଗ୍ରହ ଯଥା ବୁଢାପଡାର ପ୍ରଭୂ ଶ୍ରୀସୋମନାଥ ଦେବ, ଟାଙ୍ଗିଭଁସର ଗ୍ରାମର ପ୍ରଭୂ ଶ୍ରୀନୀଳକଣ୍ଠେଶ୍ୱର ଦେବ, ଛଣଘରର ପ୍ରଭୂ ଶ୍ରୀଗତିଶ୍ୱେରଦେବ ଓ କନ୍ତିଆ ଗ୍ରାମର ପ୍ରଭୂ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ସମେତ ମୋଟ ୭୭ଟି ଦେବ ବିଗ୍ରହଙ୍କ ସୁସଜ୍ଜିତ ଦୋଳବିମାନ ଏହି ମେଳଣର ଶୋଭାବର୍ଦ୍ଧନ କରିଥିଲା। ବହୁ ପରିବାର ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଏହି ମେଳଣକୁ ଆସି ଠାକୁର ମାନଙ୍କୁ ଦର୍ଶନ କରିସାରିବା ପରେ ପୁରୁଣା ପରମ୍ପରା ତଥା ମାନସିକ ଅନୁଯାଇ ମେଳଣ ପଡିଆରେ ମାଟି ହାଣ୍ଡିରେ ରୋଷେଇ କରି ପଂକ୍ତି ଭୋଜନ କରୁଥିବା ଦେଖାଯାଇଥିଲା। ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଳା, ନୟାଗଡ ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ କଟକ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତ୍ୟହ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି ମେଳଣକୁ ଆସି ଠାକୁର ମାନଙ୍କୁ ଫଗୁ ବିଞ୍ଚିଥିବା ବେଳେ ବିଭିନ୍ନ ମାନସିକ କରିଥିବା ଭକ୍ତ ମାନଙ୍କର ଏଠାରେ ବେଶ୍‌ ଭିଡ ପରିଲକ୍ଷିତ ହୋଇଥିଲା। ଏଠାରେ ୭ଶହରୁ ଉର୍ଦ୍ଧ ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଥିବା ବେଳେ ଦୁଇଶହରୁ ଉର୍ଦ୍ଧ ଜଳଖିଆ ଦୋକାନରେ ପ୍ରତ୍ୟହ ବେଶ୍‌ ଭିଡ ପରିଲକ୍ଷିତ ହୋଇଥିଲା। ଏହି ମେଳଣରେ ପ୍ରାୟ କୋଟିଏରୁ ଉର୍ଦ୍ଧ ଟଙ୍କାର କେବଳ ଫଗୁ ବିକ୍ରି ହୋଇଥିବା ସୂଚନା ମିଳିଛି।
ଶୁକ୍ରବାର ଅପରାହ୍ନରେ ଠାକୁର ମାନଙ୍କର ବହୁ ପ୍ରତିକ୍ଷିତ “ଦିଅଁ ମେଳଣ’ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଭୋର ୫ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୪ଲକ୍ଷରୁ ଉର୍ଦ୍ଧ ଜନସମାଗମ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories