ରେଳ ବୋର୍ଡ ବୁଧବାର ୩୯ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ରେଳ ମଣ୍ଡଳ ଚୟନ ପ୍ରକ୍ରିୟାକୁ ଅନୁମୋଦନ କରିଛି। ତେବେ କେଉଁ ତାରିଖରୁ ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହେବ ତାହା ଏପର୍ଯ୍ୟନ୍ତ କୁହାଯାଇ ନାହିଁ। ରେଳ ମନ୍ତ୍ରଣାଳୟ କହିଛି ଯେ ନୂତନ ୩୯ଟି ଟ୍ରେନର କାର୍ଯ୍ୟ ଶୀଘ୍ର ସୁବିଧାଜନକ ଦିନଠାରୁ ସ୍ୱତନ୍ତ୍ର ସେବା ଭାବରେ ଆରମ୍ଭ ହେବ। ଏହି ୩୯ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ ସେବା ମଧ୍ୟରେ ଭୁବନେଶ୍ୱରରୁ ଦୁଇଟି ଟ୍ରେନ ଚଳାଚଳ କରିବ ବୋଲି ଜଣାପଡିଛି।
କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ରେଳବାଇ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବାକୁ ସ୍ଥଗିତ ରଖିଛି। ତେବେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ପ୍ରବର୍ତ୍ତନ ସହିତ ମେ’ ୧ରୁ ପର୍ଯ୍ୟାୟକ୍ରମେ ଏହାର ସେବା ଆରମ୍ଭ ହୋଇଥିଲା।
ଅକ୍ଟୋବର ୧୦ରୁ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ
ଏହା ପୂର୍ବରୁ ମଙ୍ଗଳବାର ଦିନ ଭାରତୀୟ ରେଳବାଇ ଅକ୍ଟୋବର ୧୦ରୁ ଷ୍ଟେସନରୁ ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ପୂର୍ବରୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରିବାର ପୂର୍ବ ବ୍ୟବସ୍ଥାକୁ ପୁନଃସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। ଗତ କିଛି ମାସ ଧରି କରୋନା ମହାମାରୀ ଯୋଗୁ ଏହି ଅବଧି ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପୂର୍ବକୁ ହ୍ରାସ କରାଯାଇଥିଲା।




