www.samajalive.in
Saturday, December 13, 2025
26.1 C
Bhubaneswar

କାର୍‌ ଧକ୍କାରେ ବୁଦ୍ଧା ମୃତ, ୨ ଗୁରୁତର

ପିପିଲି :ବିବାହ ସାରି ନବଦମ୍ପତ୍ତିଙ୍କୁ ନେଇ ଯାଉଥିବା ଏକ କାର୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର ନିକଟ ନୂଆଗୋଡି ଗ୍ରାମ୍ୟଛକଠାରେ ଶୁକ୍ରବାର ସକାଳ ପ୍ରାୟ ୬ଟା ୧୫ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସୌଭାଗ୍ୟ ବସତଃ ନବଦମ୍ପତ୍ତି ସୁରକ୍ଷିତ ଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନା ଅନୁସାରେ, ବାଲେଶ୍ୱର ଜିଲା ନୀଳଗିରି ଥାନା ବଲବେରିଆ ଗ୍ରାମର ସୁଶାନ୍ତ ଗିରୀଙ୍କ ବିବାହ ପୁରୀ ଛଇତନାରେ ଗତକାଲି ସଂପନ୍ନ ହୋଇଥିଲା। ଆଜି ସକାଳେ ନବଦମ୍ପତ୍ତି ଏକ କାର୍‌ ନଂ(ଓଡି୦୧ପି ୨୦୦୪) ଯୋଗେ ନୀଳଗିରିକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ନୂଆଗୋଡି ଗ୍ରାମ୍ୟ ଛକ ଠାରେ ପିପିଲି ସାପ୍ତାହିକ ହାଟକୁ କତା ଦଉଡି ନେଇ ଆସୁଥିବା ନୂଆଗୋଡି ଗ୍ରାମର ନବଘନ ବେହେରା(୭୦) , ତାଙ୍କ ପତ୍ନୀ କୋକିଳ ବେହେରା (୬୫) ଓ ପଞ୍ଚେଇ ବେହେରା (୬୦) ରାସ୍ତା କଡରେ ବସ୍‌କୁ ଅପେକ୍ଷା କରି ବସିଥିବା ବେଳେ କାର୍‌ଟି ଭାରସାମ୍ୟ ହରାଇ ତାଙ୍କ ଉପରେ ଚଢି ଯାଇଥିଲା । ଦୁର୍ଘଟଣା ଘଟାଇବା ପରେ କାର୍‌ଟି ଘଟଣା ସ୍ଥଳରୁ ପ୍ରାୟ ୧୫୦ମିଟର ଆଗକୁ ଯାଇ ରାସ୍ତାର ଡିଭାଇଡି ଡେଇଁ ଅପରପାର୍ଶ୍ବ ରାସ୍ତାକୁ ଚାଲିଯାଇଥିଲା । ଘଟଣା ସ୍ଥଳରେ କୋକିଳ ବେହେରାଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ନବଘନ ଓ ପଞ୍ଚେଇଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଆବଶ୍ୟକ ଚିକିତ୍ସା ପରେ ସେଠାରୁ ଉଭୟଙ୍କୁ କ୍ୟାପିଟାଲ ହସପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ପଞ୍ଚେଇଙ୍କର ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ ନବଘନଙ୍କର ଡାହାଣ ଗୋଡରେ ଶକ୍ତ ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସେଠାରେ ପ୍ରାୟ ୪୫ମିନିଟ୍‌ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁ, ଏସ୍‌ଆଇ କ୍ଷୀରୋଦ ମିଶ୍ର ଓ ସ୍ଥାନୀୟ ସମିତିସଭ୍ୟ ଧରଣୀଧର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇବା ସହ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରି ଘଟଣାର ଅନୁସନ୍ଧାନ ଚଳାଇଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାର୍‌ର ଡ୍ରାଇଭରକୁ ମାଡ ମାରିଥିବା ସୂଚନା ମିଳିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories