www.samajalive.in
Sunday, December 7, 2025
13.1 C
Bhubaneswar

ମୁମ୍ବଇରେ କଙ୍ଗନା ଝଡ଼

ମୁମ୍ବଇ : ଅଭିନେତ୍ରୀ କଙ୍ଗନା ରଣାୱତ ଓ ମହାରାଷ୍ଟ୍ରର ଶିବସେନା ନେତୃତ୍ବାଧୀନ ସରକାର ମଧ୍ୟରେ ଲଢ଼େଇ ଚରମ ସୀମାରେ ପହଞ୍ଚିଛି। ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ସହିତ ଆରମ୍ଭ ହୋଇଥିବା କଙ୍ଗନାଙ୍କ ବାକ୍‌ ଯୁଦ୍ଧ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟରେ ପହଞ୍ଚିଛି। କଙ୍ଗନା ଉଦ୍ଧବଙ୍କୁ ପ୍ରତ୍ୟକ୍ଷ ରଣହୁଙ୍କାର ଦେଇଛନ୍ତି।

ପୂର୍ବ ଘୋଷଣା ଅନୁସାରେ କଙ୍ଗନା ବୁଧବାର ଅପରାହ୍ଣ ପ୍ରାୟ ୨ଟା ୪୫ରେ ହିମାଚଳପ୍ରଦେଶରୁ ଆସି ମୁମ୍ବଇ ବିମାନବନ୍ଦରରେ ପହଞ୍ଚି କଡ଼ା ସୁରକ୍ଷା ମଧ୍ୟରେ ଏକ ସ୍ବତନ୍ତ୍ର ଫାଟକ ଦେଇ ବାହାରକୁ ଆସିଥିଲେ। ଶିବସେନା ଓ ଏହାର ସମର୍ଥକଙ୍କ ପକ୍ଷରୁ ତାଙ୍କ ବିରୋଧରେ ବିମାନବନ୍ଦର ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ କର୍ଣ୍ଣି ସେନା ଓ ଆର୍‌ପିଆଇ (ଏ) ସଦସ୍ୟ କଙ୍ଗନାଙ୍କ ସପକ୍ଷରେ ରୁଣ୍ଡ ହୋଇଥିଲେ। କଙ୍ଗନା ମୁମ୍ବଇରେ ପହଞ୍ଚିବା ପୂର୍ବରୁ ପ୍ରତିଶୋଧ ପରାୟଣ ମହାରାଷ୍ଟ୍ର ସରକାର ତାଙ୍କର ବାନ୍ଦ୍ରା ଅନ୍ତର୍ଗତ ପାଲି ହିଲ୍‌ ନାକାସ୍ଥିତ ‘ମଣିକର୍ଣ୍ଣିକା ଫିଲ୍ମସ’ କାର୍ଯ୍ୟାଳୟକୁ ବେଆଇନ ନିର୍ମାଣ ଅଭିଯୋଗରେ ଭାଙ୍ଗି ଦେଇଥିଲେ।

- Advertisement -

ବୃହନ୍‌ମୁମ୍ବଇ ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବୁଲ୍‌ଡୋଜର ଲଗାଇ ଏହାକୁ ଉଚ୍ଛେଦ କରାଯାଇଥିବାବେଳେ କଙ୍ଗନାଙ୍କ ଓକିଲ ରିଜ୍‌ୱାନ ସିଦ୍ଦିକି ଏହା ବିରୋଧରେ ତୁରନ୍ତ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇ ରହିତାଦେଶ ଆଣିଥିଲେ; କିନ୍ତୁ ସେତେବେଳକୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିଲା। ହାଇକୋର୍ଟ ଗୁରୁବାର ଏହି ମାମଲାର ପୁନର୍ବାର ଶୁଣାଣି କରିବେ। ହାଇକୋର୍ଟ ମହାନଗର ନିଗମକୁ ନୋଟିସ ଜାରି କରିଛନ୍ତି; ଯାହାର ଜବାବ ଗୁରୁବାର ଦାଖଲ କରାଯିବ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମହାନଗର ନିଗମ ଅଧିକାରୀମାନଙ୍କ ସହିତ ଏକ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପୱାରଙ୍କ ସହିତ ମଧ୍ୟ ସେ ଘଟଣା ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି। ବୈଠକ ପରେ ପୱାର କହିଛନ୍ତି, ମହାନଗର ନିଗମ ଯଦି ଆଇନାନୁସାରେ କାମ କରିଥାଏ; ତେବେ ଏହା ଠିକ୍‌ ହୋଇଛି।

ଏହି ଘଟଣାରେ କ୍ରୋଧାନ୍ବିତ କଙ୍ଗନା ଏକ ଭିଡିଓ ଜାରି କରି ଏଥିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ କଡ଼ା ସମାଲୋଚନା କରିଛନ୍ତି। ‘ତୁମେ ନିଜକୁ କ’ଣ ଭାବୁଛ? ଆଜି ଯେମିତି ମୋର କୋଠା ଭାଙ୍ଗିଲ, କାଲି ସେମିତି ତୁମର ଅହଙ୍କାର ଭାଙ୍ଗି ଚୁର୍‌ମାର ହୋଇଯିବ’ ବୋଲି କଙ୍ଗନା ଏଥିରେ ପ୍ରତିକ୍ରିୟା ରଖିଛନ୍ତି। ଏଥିସହିତ ସେ କହିଥିଲେ ଯେ ‘ତାଙ୍କ ଘର ରାମମନ୍ଦିର ସଦୃଶ ଏବଂ ଏହାକୁ ଯେଉଁମାନେ ଭାଙ୍ଗିଛନ୍ତି ସେମାନେ ବାବର୍‌ ସହିତ ତୁଳନୀୟ।’

ଏଥିସହିତ ସେ ପୁନର୍ବାର ମୁମ୍ବଇକୁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ସହିତ ଓ ନିଜକୁ କାଶ୍ମୀରୀ ପଣ୍ଡିତଙ୍କ ସହ ତୁଳନା କରିଛନ୍ତି। ଏଥିରେ ସେ ଉଦ୍ଧବଙ୍କୁ ‘ଫିଲ୍ମ ମାଫିଆ’ ବୋଲି କହିବା ସହ ‘ତୁ’ ବୋଲି ସମ୍ବୋଧନ କରିବାକୁ ମଧ୍ୟ ପଛାଇ ନାହାନ୍ତି। ଏହା ପୂର୍ବରୁ ସେ ଟ୍ବିଟର୍‌ରେ ଲେଖିଥିଲେ ଯେ ‘ମଣିକର୍ଣ୍ଣିକା ଫିଲ୍ମସ୍‌ ଅଧୀନରେ ପ୍ରଥମ ଫିଲ୍ମ ‘ଅଯୋଧ୍ୟା’ ନିର୍ମିତ ହୋଇଥିଲା। ତାହା ମୋ ପାଇଁ ଖାଲି ଅଟ୍ଟାଳିକା ନୁହେଁ; ରାମ ମନ୍ଦିର। ଆଜି ବାବର୍‌ ଆସିଛନ୍ତି, ଇତିହାସର ପୁନରାବୃତ୍ତି ଘଟିଛି। ରାମ ମନ୍ଦିର ପୁଣି ଭାଙ୍ଗିଛି; କିନ୍ତୁ ବାବର ମନେରଖ! ଏ ମନ୍ଦିର ପୁଣି ନିର୍ମାଣ ହେବ। ଜୟ ଶ୍ରୀରାମ।’

ସେ ପୁନର୍ବାର କହିଛନ୍ତି ଯେ ‘ମୁଁ ମରିଯାଏ ପଛକେ, ଉଦ୍ଧବ ଠାକ୍‌ରେ ଓ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହରଙ୍କ ଗ୍ୟାଙ୍ଗ୍‌ର ମୁଖା ଖୋଲିଦେବି।’ କାର୍ଯ୍ୟାଳୟ ଭାଙ୍ଗିବା ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ଯେ କଙ୍ଗନାଙ୍କୁ ନୋଟିସ୍‌ କରାଯାଇଥିଲା ଓ ଏହାର ଜବାବ ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା, କିନ୍ତୁ ସେ ଉତ୍ତର ଦେଲେ ନାହିଁ। କଙ୍ଗନାଙ୍କ କାର୍ଯ୍ୟାଳୟ ବେଆଇନ୍ ଓ ଅନଧିକୃତ ଭାବେ ନିର୍ମାଣ ହୋଇଛି। କାର୍ଯ୍ୟାଳୟ ଭଙ୍ଗାଯିବା ମାମଲାରେ ବଲିଉଡ୍‌ର ଅଧିକାଂଶ ବିଶିଷ୍ଟ ବ୍ୟକ୍ତି କଙ୍ଗନାଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି। ସେମାନେ ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଏମାନଙ୍କ ମଧ୍ୟରେ ବହୁ କ୍ରୀଡ଼ାବିତ୍‌, ରାଜନେତା ମଧ୍ୟ ରହିଛନ୍ତି। ରାଜ୍ୟ ବିଜେପି କଙ୍ଗନାଙ୍କ ପଛରେ ଛିଡ଼ା ​ହୋଇଥିବାବେଳେ କଂଗ୍ରେସ ନିରବ ରହିଛି। କଙ୍ଗନା ଓ ଶିବସେନା ମଧ୍ୟରେ ଲଢ଼େଇ ବସ୍ତୁତଃ ଶିବସେନା-ବି​‌ଜେପି ଲଢ଼େଇରେ ପରିଣତ ହୋଇଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories