ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବା ୪ ତସ୍କର ଗିରଫ

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବା ୪ ତସ୍କରଙ୍କୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‍ଏଫ) ଭାରତ-ପାକ୍‍ ଅନ୍ତର୍ଜାତୀୟ ସୀମା ନିକଟରୁ ଗିରଫ କରିବାରେ ସଫଳ ହୋଇଛି। ଏହି ୪ ତସ୍କର ପାକିସ୍ତାନଠାରୁ ମିଳୁଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ ରେଖା ପାର କରାଇ ଭାରତ ସୀମାକୁ ଆଣୁଥିଲେ। ପରେ ଏହି ଅସ୍ତ୍ରଶସ୍ତ୍ର ଜାମ୍ମୁ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଥିଲା। ବିଏସଏଫ ଏହି ୪ ତସ୍କରଙ୍କ ନିକଟରୁ ୨ଟି ଏକେ-୫୬ ରାଇଫଲ, ୨ଟି ମାଗାଜିନ୍‍ ଜବତ କରାଯାଇଛି। ବିଏସ୍‍ଏଫ୍‍ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ୪ ତସ୍କର ଅସ୍ତ୍ରଶସ୍ତ୍ର ବ୍ୟତୀତ ମାଦକ ପଦାର୍ଥ ଚୋରା ଚାଲଣ କରୁଥିଲେ। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ସହ ୧୨ କିଲୋ ବ୍ରାଉନସୁଗର ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୬ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ସେମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ୧୧,୧୩୦ ନଗଦ ଟଙ୍କା, ଗୋଟିଏ ଟାଟା ସୁମୋ ଗାଡ଼ି ଜବତ କରାଯାଇଛି। ଗିରଫ ୪ ତସ୍କର ଜାମ୍ମୁ କାଶ୍ମୀରର କୁପୱାଡ଼ା ଜିଲା ନିବାସୀ ବୋଲି ବିଏସ୍‍ଏଫ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply