ଭାରତ ଓ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରୁ ସମ୍ପୂର୍ଣ୍ଣ ସେନା ଅପସାରଣ ଦିଗରେ ପଦକ୍ଷେପ ନେବାକୁ ପୁଣି ଥରେ ସହମତି ପ୍ରକାଶ ପାଇଛି। ଗତକାଲି ଉଭୟ ଦେଶର ସୀମା ବ୍ୟାପାର ସମ୍ପର୍କିତ କମିଟିର ଅଷ୍ଟାଦଶ ବୈଠକ ପରେ ଏହା କୁହାଯାଇଛି। ଭାରତ ପକ୍ଷରୁ ବିଦେଶ ମନ୍ତ୍ରଣାଳୟର ପୂର୍ବ ଏସିଆ ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚୀନ୍ ପ୍ରତିପକ୍ଷଙ୍କ ସହ ବୈଠକରେ ସାମିଲ୍ ହୋଇଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଉଭୟ ଦେଶ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା ବିବାଦ ନେଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଏଥିରେ ଉଭୟ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଉଭୟ ଦେଶ ପ୍ରକୃତ ସୀମା ରେଖାରୁ ସମ୍ପୂର୍ଣ୍ଣ ସେନା ଅପସାରଣ କରିବେ। ପୂର୍ବରୁ ହୋଇଥିବା ବୁଝାମଣା ଏବଂ ପ୍ରୋଟୋକଲ୍ ଅନୁଯାୟୀ ସୀମାରେ ଶାନ୍ତି ଏବଂ ସହାବସ୍ଥାନ ବଜାୟ ରଖିବା ଦିଗରେ ବୈଠକରେ ମତ ପ୍ରକାଶ ପାଇଥିବା ମୁଖପାତ୍ର କହିଛନ୍ତି।
ଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଉଭୟ ଦେଶ ସାମରିକ ଏବଂ କୂଟନୈତିକ ସ୍ତରରେ ସମ୍ପୂର୍ଣ୍ଣ ସେନା ଅପସାରଣ ପାଇଁ କଥାବାର୍ତ୍ତା ଜାରି ରଖିବା ସହ ଆଗାମୀ ଦିନରେ ସାମରିକ ବୈଠକରେ ମିଳିତ ହେବେ ବୋଲି ଜଣାପଡ଼ିଛି।



