www.samajalive.in
Wednesday, December 10, 2025
26.1 C
Bhubaneswar

ବାସ ଉଜାଡି ଦେଲା ବର୍ଷା, ଅସହାୟ ଭିନ୍ନକ୍ଷମଙ୍କ ସରକାରୀ ସହାୟତାକୁ ଅପେକ୍ଷା

ପାଟଣାଗଡ: ୨୦୧୯ ସୁଦ୍ଧା ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘର କରିବାର ସ୍ୱପ୍ନ ଦେଖାଇଥିଲେ ସରକାର। ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ୨୬ ହଜାର ୪୭୩ ଜଣଙ୍କୁ ପକ୍କା ଘର ଯୋଗାଇ ଦିଆଗଲାଣି। ତେବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ମରୁଆଁ ପଞ୍ଚାୟତର ରାମ ମହାକୁରଙ୍କ ଭଳି ଅନେକ ଅସହାୟ ଏବେ ମଧ୍ୟ ପକ୍କା ଘର ଖଣ୍ଡିଏ ଲେଖାଏଁ ପାଇବାରେ ଅସଫଳ ହୋଇପଡିଛନ୍ତି। ଫଳରେ ବର୍ଷା ଉଜାଡି ଦେଉଛି କାହାର ବାସ, ତ ବନ୍ୟା କାହାକୁ ଭିଜାଇ ଦେଉଛି ଲୁହରେ।
ଏହି ବ୍ଲକ ମରୁଆଁ ପଞ୍ଚାୟତ ଅନ୍ତର୍ଗତ ପାଢେଲ ଗ୍ରାମରେ ରହନ୍ତି ଭିନ୍ନକ୍ଷମ ରାମ ମହାକୁର। ବୟସ ପାଖାପାଖି ୫୦। ପୂର୍ବରୁ ସବୁକିଛି ଠିକଠାକ୍‌ ଥିଲା। ତେବେ ପ୍ରାୟ ୯ ବର୍ଷ ତଳେ ମଧୁମେହ ରୋଗରେ ଆକ୍ରାନ୍ତ ହେବା ସହ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇପଡିଥିଲେ ରାମ। ଯଦିଓ ନିଜ ଶକ୍ତି ମୁତାବକ ଚିକିତ୍ସା କରାଇଥିଲେ ଭୂମିହୀନ ରାମ, ଆର୍ଥିକ ଅନାଟନ ହିଁ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି କଲା। ନିଜ ଭାଗ୍ୟକୁ ଆଦରି ପଡି ରହିଲେ ସେ। ସେ ଚଲାବୁଲା କରିନପାରିବା ସହ କଥାବାର୍ତ୍ତା ମଧ୍ୟ ଠିକ୍ ଭାବରେ କରିପାରିଲେ ନାହିଁ। କୌଣସି ମତେ ତାଙ୍କ ଧର୍ମପତ୍ନୀଙ୍କ ହାଡଭଙ୍ଗା ପରିଶ୍ରମ ପରେ ଦୁଇ ଝିଅଙ୍କ ବାହାଘର କରାଇବା ପରେ ୧୩ ବର୍ଷିୟ ପୁଅ ଏବଂ ସ୍ତ୍ରୀଙ୍କୁ ନେଇ ଚଳୁଥିଲେ ସେ। ସ୍ତ୍ରୀ ଦିନ ତମାମ ମୂଲ ଲାଗି କିଛି ରୋଜଗାର କରି ଆଣିଲେ ଚଳିଯାଉଥିଲା ସେମାନଙ୍କ ତେଲ ଲୁଣର ସଂସାର। ବୋଝ ଉପରେ ନଳିତା ବିଡା ସଦୃଶ କିଛି ଦିନ ତଳେ ଲଘୁଚାପ ଜନିତ ଲଗାଣ ବର୍ଷା ଉଜାଡି ଦେଲା ସେମାନଙ୍କ ବାସ। ବର୍ତ୍ତମାନ ନିରୁପାୟ ହୋଇପଡିଛନ୍ତି ସାରା ପରିବାର। ଗୋଟିଏ ପଟେ ସ୍ତ୍ରୀ ମୂଲ ଲାଗି ନଗଲେ ଚୂଲି ବନ୍ଦ, ଅନ୍ୟପଟେ ଭଙ୍ଗା ଦଦରା ବାରଣ୍ଡାରେ ଏକ ତିନି ଚକିଆ ସାଇକେଲରେ ବିତୁଛି ରୋଗାକ୍ରାନ୍ତ ସ୍ୱାମୀଙ୍କ ଅସହାୟ ଜୀବନ। ସେମାନଙ୍କ ଦୁଃଖ ବୁଝିବାକୁ ସତେ ଯେମିତି କେହି ନାହିଁ। ଭଙ୍ଗା ଘରକୁ ସଜାଡିବାର କ୍ଷମତା ନଥିବା ବେଳେ ସେମାନଙ୍କ ଆକୁଳ ନିବେଦନ ପହଞ୍ôଚ ପାରି ନାହିଁ ପ୍ରଶାସନ ପାଖରେ। ତେବେ ଏ ସଂପର୍କରେ ପାଟଣାଗଡ ବିଡିଓ ନୀଳମାଧବ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅତ୍ୟନ୍ତ ଗମ୍ଭୀରତାର ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାର ନିର୍ଭର ପ୍ରତିଶୃତି ଦେଇଥିଲେ। କେବଳ ଭିନ୍ନକ୍ଷମ ଭତ୍ତା ପାଉଥିବା ରାମଙ୍କୁ ଖୁବଶୀଘ୍ର ଏକ ରାସନ କାର୍ଡ ଯୋଗାଇ ଦେବା ସହ ଏକ ଘର ମଧ୍ୟ ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ ଶ୍ରୀ ସୁନା। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ପରିବାରର ଘର ମରାମତି ପାଇଁ ପ୍ରଶାସନ ସାହାଯ୍ୟ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦୃଢ ଦାବୀ ଜଣାଇଛନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories