ଟଙ୍କାଏ ଋଣ ପାଇଁ ବ୍ୟାଙ୍କ ନେଇଗଲା ୩.୫ ଲକ୍ଷ ଟଙ୍କାର ସୁନା
ନୂଆଦିଲ୍ଲୀ : ବିଜୟ ମାଲ୍ୟା ଏବଂ ନିରବ ମୋଦୀଙ୍କ ଭଳି ଉଦ୍ୟୋଗପତି ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ନେଇ ଫେରାର ହୋଇଯାଇଥିଲା ବେଳେ ବ୍ୟାଙ୍କଗୁଡ଼ିକ ଅସହାୟ ହୋଇ ବସିରହିଛନ୍ତି। ହେଲେ ମାତ୍ର ଛୋଟ ଛୋଟ ଘଟଣାକୁ ନେଇ ବ୍ୟାଙ୍କଗୁଡ଼ିକ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଏପରି ଏକ ଘଟଣା ତାମିଲନାଡୁରେ ଘଟିଛି। ଏଠାରେ ମାତ୍ର ଟଙ୍କାଏ ଋଣ ନେଇଥିବା ଗ୍ରାହକଙ୍କ ଲକ୍ଷାଧିକ ଟଙ୍କାର ସୁନା ବ୍ୟାଙ୍କ ଫେରାଇବାକୁ ମନା କରିଦେଇଛି। ଏବେ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଛି। ସୂଚନା ଅନୁସାରେ ତାମିଲନାଡୁ କାଞ୍ଚିପୁରମର ଏକ ସମବାୟ ବ୍ୟାଙ୍କ ସି କୁମାର ନାମକ ଜଣେ ଗ୍ରାହକଙ୍କ ନାମରେ ୧ ଟଙ୍କା ଋଣ ଖିଲାପର ଅଭିଯୋଗ ଲଗାଇ ସେ ବନ୍ଧକ ରଖିଥିବା ୩.୫ ଲକ୍ଷ ଟଙ୍କାର ସୁନା (୧୬୯ ଗ୍ରାମ) ଜବତ କରିନେଇଛି। ସେ ଋଣ ପରିଶୋଧ କରିବାକୁ ଚାହୁଁଥିଲେ ବି ବ୍ୟାଙ୍କ ତାଙ୍କୁ ଋଣ ସୁଝିବାର ସୁଯୋଗ ଦେଇନଥିଲା। ଫଳରେ ସେ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କାଞ୍ଚିପୁରମ କେନ୍ଦ୍ର ସମବାୟ ବ୍ୟାଙ୍କରେ ଗ୍ରାହକ ସି.କୁମାର ୨୦୧୦ ଅପ୍ରେଲ ୬ରେ ୩୧ ଗ୍ରାମ ସୁନା ବନ୍ଧକ ରଖି ୧.୨୩ ଲକ୍ଷ ଟଙ୍କା ଋଣ ନେଇଥିଲେ। ୨୦୧୧ ମାର୍ଚ୍ଚ ୨୮ରେ ସେ ମୂଳ ସହ ସୁଧ ପରିଶୋଧ କରିଥିଲେ। ହେଲେ ବ୍ୟାଙ୍କ ରେକର୍ଡରେ ୧ ଟଙ୍କା ପରିଶୋଧ ହୋଇନଥିବା ଦର୍ଶାଯାଇଛି। ଏହାପରେ ୨୦୧୧ରେ ସେ ଦୁଇ ଥର ୧୫୭ ଗ୍ରାମ ସୁନା ବନ୍ଧକ ରଖି ୧ ଲକ୍ଷ ୬୫ ହଜାର ଟଙ୍କା ଋଣ ନେଇଥିଲେ। କିଛି ଦିନ ପରେ ସେ ଋଣ ଟଙ୍କା ପରିଶୋଧ କରିଥିଲେ। କିନ୍ତୁ ତପୂର୍ବର ୧ ଟଙ୍କା ଋଣ ଖିଲାପି ପାଇଁ ତାଙ୍କ ସୁନାକୁ ବ୍ୟାଙ୍କ ଜବତ କରିନେଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରିଥିଲା। ଏହାସତ୍ତ୍ବେ ବ୍ୟାଙ୍କ ଆଉ ତାଙ୍କ ସୁନା ଫେରାଇନଥିଲା। ଫଳରେ ସେ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।