www.samajalive.in
Thursday, December 11, 2025
15.1 C
Bhubaneswar

ସଂକଟରେ କବି ରବୀନ୍ଦ୍ରନାଥଙ୍କ ‘ପାଥେର୍‌ପୁରୀ’

ପୁରୀ: ସଂକଟରେ ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ମୃତି। ଯେଉଁ ଘରେ ବସି ସେ କବିତା ଲେଖୁଥିଲେ ତାହା ଏବେ ଭୂତକୋଠି ପାଲଟିଛି। ଛାତ୍ରାବାସ ଜମିରେ ଚାଲିଛି କୁକୁର ବନ୍ଧ୍ୟାକରଣ। କବି ରବୀନ୍ଦ୍ରନାଥଙ୍କ ସ୍ମୃତି ପ୍ରତି ପ୍ରଶାସନର ଏଭଳି ଅବହେଳା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ରବୀନ୍ଦ୍ରନାଥ ଟାଗୋର ୧୮୬୧ରୁ ୧୯୪୧ ପର୍ଯ୍ୟନ୍ତ ପୁରୀ ସମୁଦ୍ରକୂଳ ନିକଟସ୍ଥ ଚକ୍ରତୀର୍ଥ ଅଞ୍ଚଳରେ ଅବସ୍ଥାନ କରୁଥିଲେ। ସେଠାରେ ତାଙ୍କର ପୈତୃକ ସମ୍ପତ୍ତି ରହିଥିଲା। ରବୀନ୍ଦ୍ରନାଥ ୧୯୧୩ରେ ଗୀତାଞ୍ଜଳି କବିତା ଗ୍ରନ୍ଥର ଇଂରାଜୀ ଅନୁବାଦ କରି ନୋବେଲ ପୁରସ୍କାର ପାଇଥିଲେ। ୧୯୧୬ରେ ଗାନ୍ଧିଜୀଙ୍କୁ ସେ ମହାତ୍ମା ପଦରେ ଭୂଷିତ କରିଥିଲେ। ଅବସର ବିନୋଦନ ପାଇଁ ଅନେକ ସମୟରେ ସେ ପୁରୀ ଆସୁଥିଲେ। ନିଜେ ଏକ ବଙ୍ଗଳା (ଘର) ନିର୍ମାଣକରି ‘ପାଥେର୍‌ପୁରୀ’ ନାମକରଣ କରିଥିଲେ। ଏହାର ପଛପଟେ ରହିଥିବା ପୁରୀ ସମୁଦ୍ରକୂଳରେ ବସି ସେ ଅନେକ କବିତା ରଚନା କରିଛନ୍ତି। ସେଥିରେ ‘ସମୁଦ୍ର ପ୍ରତି’, ‘ସିନ୍ଧୁତରଙ୍ଗ’, ‘ମହାମାନବେର ସାଗରତୀର’ ଅନ୍ୟତମ।
ପୁରୀର ମନୋରମ ସ୍ବର୍ଣ୍ଣାଭ ବେଳାଭୂମି ତାଙ୍କୁ ବିଭୋର କରିଥିଲା। ପୁରୀ ଏବଂ ସମୁଦ୍ରକୁ ନେଇ ସେ ଅନେକ କବିତା ରଚନା କରିଛନ୍ତି। କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ମୂର୍ତ୍ତିଦେଖି ସେ ‘ପ୍ରତୀକ୍ଷା’ କବିତା ରଚନା କରିଥିଲେ। ସାମନ୍ତ ଚନ୍ଦ୍ରଶେଖର କଲେଜ ଛାତ୍ରାବାସ ପାଇଁ କବି ରବୀନ୍ଦ୍ରନାଥ ତାଙ୍କ ବାସଭବନ ଦାନ କରିଥିଲେ। ୧୯୪୫ରେ ସେଠାରେ ପାଥରପୁରୀ ଛାତ୍ରାବାସ ଜନ୍ମ ନେଇଥିଲା। କଲେଜର ଛାତ୍ରାବାସ -୨ ଭାବେ ତାହା ପରିଚିତ। ତାହାକୁ ଲାଗି ସୁକନ୍ୟା ଛାତ୍ରୀନିବାସ ନିର୍ମାଣ କରାଯାଇଥିଲା। ୧୯୯୮ରେ ପାଥରପୁରୀ ଛାତ୍ରାବାସ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା। ୧୯୮୮ ଏପ୍ରିଲ ୬ତାରିଖରେ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶିତ ଖତିଆନରେ ଏହି ଜମି ଏବଂ ଛାତ୍ରାବାସ ଶିକ୍ଷାବିଭାଗ ନାମରେ ରେକର୍ଡ କରାଯାଇଛି। ସମୁଦ୍ରକୂଳ ନିକଟସ୍ଥ ବାଙ୍କିମୁହାଣ ରାଜସ୍ବ ମୌଜାର ଖାତା ନଂ୯୨ ଏବଂ ପ୍ଲଟ ନଂ ୧୩୫ରେ ୧ଏକର ୧୪୬ ଡେସିମିଲ ଜମି ରହିଛି। ଖତିଆନର ମନ୍ତବ୍ୟ ସ୍ତମ୍ଭରେ ପାଥରପୁର ହଷ୍ଟେଲ​‌ ବୋଲି ଉଲ୍ଲେଖ ରହିଛି। ଦୁଇଟି ଛାତ୍ରାବାସରେ ପ୍ରାୟ ୩ଶହ ଛାତ୍ରଛାତ୍ରୀ ରହି ଏସସିଏସ୍‌ କଲେଜରେ ପାଠ ପଢୁଥିଲେ। ଦୁଇତାଲା ବିଶିଷ୍ଟ ପୁରୁଣା କୋଠାରେ ୩୦ଗୋଟି କୋଠରି ରହିଛି। ତେବେ ପ୍ରାୟ ୨ବର୍ଷ ହେଲା ପାଥରପୁରୀ ହଷ୍ଟେଲ ଏବଂ ସୁକନ୍ୟା ଛାତ୍ରୀନିବାସ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଦୁଇଟିଯାକ କୋଠା ବିପଦସଂକୁଳ ହୋଇପଡିଥିବା ଜଣାପଡିଛି। ଛାତ୍ରାବାସ ସମ୍ମୁଖରେ କବି ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତି ସମେତ ଏକ ସ୍ମୃତିସ୍ତମ୍ଭ ରହିଛି। ରବୀନ୍ଦ୍ରନାଥ ସେଠାରେ ୧୮୬୧ରୁ ୧୯୪୧ ପର୍ଯ୍ୟନ୍ତ ଅବସ୍ଥାନ କରୁଥିବା ଫଳକରେ ଉଲ୍ଲେଖ ରହିଛି। ଏହି ପ୍ରାଚୀନ ଐତିହ୍ୟର ପୁନରୁଦ୍ଧାର ଏବଂ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଛାତ୍ରାବାସ ପରିସର ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ରହିଛି। ଅନେକ ସମୟରେ ସେଠାରେ ନିଶାଖୋରଙ୍କ ଆଡ୍ଡା ଦେଖିବାକୁ ମିଳୁଛି। ପୌରସଂସ୍ଥାର କେତେକ କର୍ମଚାରୀ ବୁଲା କୁକୁରଙ୍କୁ ଧରିନେଇ ସେଠାରେ ବନ୍ଧ୍ୟାକରଣ କରୁଥିବା ଅଭିଯୋଗ ହୋଇଛି। ସମୁଦ୍ରକୂଳ ନିକଟରେ ଥିବା ଏହି ସମ୍ପତ୍ତିର ମୂଲ୍ୟ ୧୫କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। କବି ରବୀନ୍ଦ୍ରନାଥଙ୍କ ପୁରୁଣା ବଙ୍ଗଳା (ପାଥେରପୁରୀ) ପ୍ରତି ପ୍ରଶାସନ ଏବଂ କଲେଜ କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ସୁଜାତା ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ପାଥରପୁରୀ ଛାତ୍ରାବାସର ଅସୁରକ୍ଷିତ ଅବସ୍ଥା ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି। ତାହାର ପୁନରୁଦ୍ଧାର କରାଯିବା ସହ ଆଉ ଏକ ଛାତ୍ରାବାସ ଏବଂ ବିଇଡି ବିଭାଗ କୋଠା ନିର୍ମାଣ ପ୍ରସ୍ତାବ ରହିଥିବା ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories