୬ଷ୍ଠ ଦିନରେ ଆମରଣ ଅନଶନ, ଅର୍ଥନୈତିକ ଅବରୋଧ ଆରମ୍ଭ
ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସାକ୍ଷାତ କଲେ ୬ ବିଧାୟକ
ସୁନ୍ଦରଗଡ଼ / ହେମଗିର/ଟାଙ୍ଗରପାଲି : ବର୍ଷ ବର୍ଷରୁ ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ହିଁ ଜିଲା ପ୍ରଶାସନ, ରାଜ୍ୟ ସରକାର ଓ ଏମ.ସି.ଏଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବାରୁ ବାଧ୍ୟ ହୋଇ ବିଧାୟିକା ଓ ସାଂସଦ ପ୍ରତିନିଧି ଦ୍ୱୟ ଆରମ୍ଭ କରିଥିବା ଆମରଣ ଅନଶନ ଆଜି ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ପୂର୍ବ ଘୋଷଣା ଅନୁସାରେ ଆଜି ଖଣି ଅଞ୍ଚଳରେ ଅର୍ଥନୈତିକ ଅବରୋଧ ମଧ୍ୟ ଆରମ୍ଭ ହୋଇଯାଇଛି। ଫଳରେ ଖଣିରେ ଉତ୍ତୋଳନ ଓ ପରିବହନ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଏମ.ସି.ଏଲ ରାସ୍ତା ସହ ସଂଯୋଗ ହୋଇଥିବା ବିଭିନ୍ନ ବ୍ଲକ ଅଞ୍ଚଳରେ ପରିବହନ ଗାଡ଼ି ଗୁଡ଼ିକୁ ମଧ୍ୟ ପିକେଟିଂ ଓ ଧାରଣା ଦିଆଯାଇ ଅଟକ ରଖାଯାଇଥିଲା। ଅପରପକ୍ଷରେ ଜିଲାର ତିନି ବିଧାୟକ ସମେତ ୬ ବିଧାୟକଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଜି ସନ୍ଧ୍ୟାରେ ସମ୍ବଲପୁର ଗସ୍ତ କରି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସାକ୍ଷାତ କରି ବାଙ୍କିବାହାଲ-ଟପରିଆ ରାସ୍ତା ତୁରନ୍ତ ନିର୍ମାଣ କରିବା ପାଇଁ ଦାବି କରିବା ସହ ରାଜ୍ୟ ସରକାର ଓ ଏମ.ସି.ଏଲ କର୍ତ୍ତୃପକ୍ଷଙ୍କ ଅଣଦେଖା ନୀତି ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ଏହାକୁ ନେଇ ସମଗ୍ର ଅଞ୍ଚଳର ଜନସାଧାରଣ କିପରି ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ସେ ସଂପର୍କରେ ଅବଗତ କରାଇ ଆମରଣ ଅନଶନ ସଂପର୍କରେ ସୂଚନା ଦେଇଥିଲେ। ରାଜସ୍ୱ ଆୟୁକ୍ତ ନିରଞ୍ଜନ ସାହୁ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିବାର ଜଣାପଡ଼ିଛି। ଏହି ପ୍ରତିନିଧି ମଣ୍ଡଳୀରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ସାମିଲ ଥିବା ବେଳେ ଆସନ୍ତାକାଲି ଏହି ବିଧାୟକମାନେ ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଷଷ୍ଠ ଦିନରେ ଅନଶନ ପହଞ୍ଚିଥିବା ବେଳେ ଜିଲାପାଳ ନିଖିଲ ପବନ କଲ୍ୟାଣ ମଧ୍ୟ ଏହାର ସମାଧାନର ବାଟ ବାହାର କରିବା ପାଇଁ ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି ପୂର୍ତ୍ତ ସଚିବଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିବାର ଜଣାପଡ଼ିଛି। ଚାଲିଥିବା ଆମରଣ ଅନଶନରେ ସ୍ଥାନୀୟ ସଚେତନ ନାଗରିକ ନିରଞ୍ଜନ ଭୋଏ ସାମିଲ ହୋଇଥିବାର ଜଣାପଡ଼ିଛି। ଆଜି ସକାଳ ପ୍ରହରୁ ଧାରଣାସ୍ଥଳରେ ଆଖପାଖ ଗାଁ ଗଣ୍ଡାର ଶତାଧିକ ମହିଳାପୁରୁଷ ପହଞ୍ଚିଥିବାର ପରିଲିକ୍ଷିତ ହୋଇଥିଲା। ଏହି ଧାରଣାକୁ ନେଇ ସମଗ୍ର ହେମଗିର ବ୍ଲକ ଅଞ୍ଚଳରେ ଏକ ଭିନ୍ନ ପ୍ରକାର ବାତାବରଣ ସୃଷ୍ଟି ହୋଇଛି। ଆମରଣ ଅନଶନକୁ ସମର୍ଥନ ଜଣାଇ ଆଜି ଟାଙ୍ଗରପାଲି ବ୍ଲକର ନୂଆମୁଣ୍ଡା ଛକ ଓ ସଦର ବ୍ଲକର ଭଷ୍ମା ଠାରେ ଅଞ୍ଚଳବାସୀଙ୍କ ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଥିଲା। ନୂଆମୁଣ୍ଡା ଛକରେ ସାଂସଦ ପ୍ରତିନିଧି ସସିମ ପଟେଲ, ବିଧାୟିକା ପ୍ରତିନିଧି ଅସିମ ପଟେଲ, ଟାଙ୍ଗରପାଲି ‘ଖ’ ଜିଲା ପରିଷଦ ସଭ୍ୟ ଯୋଗେଶ୍ୱର ଭୋଇ, ବିଜେପି ଟାଙ୍ଗରପାଲି ମଣ୍ଡଳର ସଭାପତି ଦୁବରାଜ ନାଏକ, ମଙ୍ଗସପୁର ମଣ୍ଡଳ ସଭାପତି ଉଦିତ ଖରସେଲ, ସଞ୍ଜିବ ସିଂ, ପରକ୍ଷିତ ସାହୁ, ଟଙ୍କଧର ବାର୍ଲା, ପରମେଶ୍ୱର ନାଏକ, ସୁରେଶ ପଟେଲ, ବିମଲ ପଟେଲ, ଯଦୁମଣି ପଟେଲ, ରୁପେଶ ପଟେଲ, ପ୍ରବୀର ନାଏକ, ସଞ୍ଜୟ ଅଗ୍ରୱାଲ, ଅଶୋକ ପଟେଲ, ମୁକେଶ ପଟେଲ, ଗୌତମ କାଲୋ ପ୍ରମୁଖ ସାମିଲ ହୋଇଥିବା ବେଳେ ଭଷ୍ମାଠାରେ ଭୀମସେନ ନାଏକ, ନିମାଇଁ ଚରଣ ନାଏକ, ପିଣ୍ଟୁ ପଟେଲ, ରାଜକୁମାର କିଶାନ, ସୁଜିତ ପଟେଲ, ଶୈଲେଶ କାରିଆ, ସୁଦେବ ଭୋଇ ପ୍ରମୁଖ ଏହି ଅବରୋଧରେ ସାମିଲ ହୋଇଥିଲେ। ଉଭୟ ସ୍ଥାନରେ କୋଇଲା ପରିବହନ କରୁଥିବା ଶତାଧିକ ଟ୍ରକ ରାସ୍ତା କଡ଼ରେ ଅଟକି ରହିଥିବାର ଦେଖାଯାଇଥିଲା। ଆଜି ଆନ୍ଦୋଳନସ୍ଥଳରେ ବିଜେପି ଯୁବ ନେତା ଅଜୟ ପଟେଲ, ନାରାୟଣ ପଟେଲ, ତୁମଲିଆ ସରପଞ୍ଚ କୁମୁଦବନ୍ଧୁ ପ୍ରଧାନ, ବିନେୟ ଚୌଧୁରୀ, ମନୋଜ ଚୌଧୁରୀ, ସଞ୍ଜୟ କର୍ତ୍ତା, ସହଦେବ ଚୌଧୁରୀ, ଡିଗ୍ରୀକୁମାର ସାହୁ, ନିରଞ୍ଜନ ମହାକୁଲ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
Comments are closed.