ସମ୍ବଲପୁର : ସିବିଏସଇ ଦଶମ ଶ୍ରେଣୀର ପରୀକ୍ଷାଫଳ ବୁଧବାର ପ୍ରକାଶିତ ହୋଇଛି। ଚଳିତ ବର୍ଷ ଏହି ପରୀକ୍ଷାରେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ର ଅଭୟ କୁମାର ନାୟକ ୪୯୭ ମାର୍କ ବା ୯୯.୪ ପ୍ରତିଶତ ମାର୍କ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅଭୟ ଛୋଟ ସମୟରୁ ମେଧାବୀ ଛାତ୍ର ଥିଲେ। ସେ ଦିନକ ପ୍ରାୟ ୮ ଘଣ୍ଟା ପାଠ ପଢ଼ୁଥିବାବେଳେ ସବୁ ବିଷୟକୁ ସମାନ ଗୁରୁତ୍ବ ଦେଉଥିଲେ। ଦ୍ବାଦଶରେ ବିଜ୍ଞାନ ପଢ଼ି ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇ ବାୟୋ ମେଡିକାଲ ରିସର୍ଚ୍ଚ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ କୃତିତ୍ବର ଶ୍ରେୟ ଅଭୟ ବାପା ମା’ଙ୍କ ସହିତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ଅଭୟଙ୍କ ବାପା ଶୈଳେଶ କୁମାର ନାୟକ ସମ୍ବଲପୁର ରେଳବାଇ ଡିଭିଜନରେ ସିନିଅର ସେକ୍ସନ ଇଞ୍ଜିନିୟର (ଇଲେକ୍ଟିକାଲ) ଭାବେ କାର୍ଯ୍ୟରତ ଥିବାବେଳେ ମା’ ସୁସ୍ମିତା ନାୟକ ଜଣେ ଗୃହିଣୀ। ଶ୍ରୀ ନାୟକ ସମ୍ବଲପୁର ଜିଲା କୁଚିଣ୍ଡା ଗୁଣ୍ଡୁରୁଚୂଆଁ ପଞ୍ଚାୟତର ଏକ ଛୋଟ ଗ୍ରାମ ଖମାରବାହାଲ ମୂଳ ନିବାସୀ ହୋଇଥିବାବେଳେ ଅଭୟ ତାଙ୍କ ଏକମାତ୍ର ପୁତ୍ର ସନ୍ତାନ।
Popular Categories



