www.samajalive.in
Saturday, December 13, 2025
26.1 C
Bhubaneswar

ସୁରତ ବାହୁଡୁଛନ୍ତି ପ୍ରବାସୀ

ଖଲ୍ଲିକୋଟ : ଜୀବିକା ପାଇଁ ଡହଳବିକଳ ପ୍ରବାସୀ ପୁନର୍ବାର କର୍ମସ୍ଥଳକୁ ଚାଲିଯିବାକୁ ଯୋଜନା କରିଲେଣି। ବାରମ୍ବାର ଫ୍ଲାଇଟ ଓ ଟ୍ରେନ ବାତିଲ ହେଉଥିବାରୁ ବସ୍ ଯୋଗେ ଖଲ୍ଲିକୋଟ ବ୍ଲକ ଅଞ୍ଚଳରୁ ପ୍ରାୟ ୩ହଜାର ପ୍ରବାସୀ ସୁରତ ଫେରି ଯାଇଥିବା ସୂଚନା ମିଳିଛି। ଦେଶରେ କରୋନା ମହାମାରୀକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟରେ କଳକାରଖାନାରେ ଶ୍ରମିକ ତଥା କୁଶଳୀ କାରିଗର ଭାବେ କାର୍ଯ୍ୟ କରିଆସୁଥିବା ପ୍ରବାସୀ ଓଡ଼ିଆମାନେ ପ୍ରାଣ ବିକଳରେ ଓଡିଶାକୁ ଫେରିଥିଲେ। ମାର୍ଚ୍ଚ ୨୨ ତାରିଖଠାରୁ ବିଭିନ୍ନ ଦଫାରେ ବସ, ଟ୍ରେନ ଏପରିକି ଚାଲି ଚାଲି ଭିଟାମାଟି ଫେରି ସଂଗରୋଧ ଗୃହ ଓ ଘରେ ପୃଥକବାସରେ ରହିବା ପରେ ଏବେ ଜୀବିକା ଚିନ୍ତାରେ ପଡିଛନ୍ତି। ୪ ମାସ ଧରି କରୋନା ସହିତ ଲଢେଇ କରି ଏହି ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି । ଦିନକୁ ଦିନ କରୋନା ସଂଗ୍ରମଣ ବୃଦ୍ଧି ପାଇବା ଏବଂ ଏହାକୁ ପ୍ରତିହତ ପାଇଁ ଲକଡାଉନ ଓ ସଟଡାଉନ ବରାବର ଜାରି ରହିଥିବାରୁ ଏମାନଙ୍କ ଜୀବିକା ଚିନ୍ତା କରିବାକୁ କେହି ଧ୍ୟାନ ଦେଉ ନାହଁାନ୍ତି। ଗାଁ ପାଖରେ ସେଭଳି କୌଣସି ଜୀବିକାର ସୁଯୋଗ ନାହିଁ। କୃଷି କାର୍ଯ୍ୟରେ ନିୟୋଜିତ ହେବାକୁ ଅନେକ ନାପସନ୍ଦ କରୁଛନ୍ତି। କିଛିଦିନ ଧାରକରଜ କରି ପରିବାର ଚଲେଇବା ପରେ ବର୍ତ୍ତମାନ ଅଣନିଃଶ୍ୱାସୀ ହୋଇପଡିଲେଣି। ପରିବାର ବୋଝକୁ ନେଇ ବେକାର ପ୍ରବାସୀ ଓଡ଼ିଆମାନେ ଗାଁରେ ମଦ ଓ ଜୁଆ ଖେଳରେ ମାତିଛନ୍ତି। ଖଲ୍ଲିକୋଟ ବ୍ଲକରେ ଚାଲିଥିବା ମନରେଗାରେ କାମ ପାଇଁ ଇଛା ଥିଲେ ମଧ୍ୟ ଦୀର୍ଘଦିନ ଧରି ଏହି ଯୋଜନାରେ ଘରେ ବସି ଜବକାର୍ଡଧାରୀ ଶ୍ରମିକମାନେ ପାରିଶ୍ରମିକ ପାଉଛନ୍ତି। ତେବେ ପୋଖରୀ ଓ ରାସ୍ତା କାମରେ ମେସିନରେ କାମ କରାଯାଉଥିବା ଅଭିଯୋଗ ହେଉଛି। ଖଲ୍ଲିକୋଟ ଅଞ୍ଚଳର ପ୍ରାୟ ୨୦ ହଜାର ଶ୍ରମିକ ସୁରାତରେ କାମ କରୁଥିବା ବେଳେ ପ୍ରାୟ ୫୦୦୦ ଶ୍ରମିକ କେରଳ , ମହାରାଷ୍ଟ୍ର , ମୁମ୍ବଇ, ଆନ୍ଧ୍ରପ୍ରଦେଶ , ଗୋଆ ପ୍ରଭୃତି ରାଜ୍ୟରେ କୋଠାବାଡି, ବିଭିନ୍ନ କଳକାରଖାନାରେ କାମ କରି ଜୀବିକା ନିର୍ବାହ କରୁଥିଲେ। ଏଣେ ସୁରତ କପଡା ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ବିଭିନ୍ନ ଲୁମରେ ଉତ୍ପାଦିତ କପଡା , ଶାଢ଼ୀ ରପ୍ତାନି ହୋଇପାରିନି। ତଥାପି ଏହି ସବୁ ସୂତାକଳ ମାଲିକମାନେ ଓଡ଼ିଆ ଶ୍ରମିକଙ୍କୁ ସୁରତ ନେବାକୁ ମନ ବଳାଇ ଫୋନ କରୁଥିବା ସୂଚନା ମିଳିଛି। ଫ୍ଲାଇଟ, ଟ୍ରେନ ଓ ବସରେ ନେବାକୁ ଯୋଜନା କରିଛନ୍ତି ବୋଲି ସୁରାତ ଶ୍ରମିକଙ୍କୁ ନେବା ପାଇଁ ଉଦ୍ୟମ ଚଳାଇଥିବା ଖଲ୍ଲିକୋଟର ରବି ସାହୁ ନାମରେ ଜଣେ ପ୍ରବାସୀ ପ୍ରକାଶ କରିଛନ୍ତି। ରାଜ୍ୟ ବାହାରେ ଦାଦନ ଦଲାଲଙ୍କ ଦ୍ୱାରା ଯାଉଥିବା ଶ୍ରମିକମାନେ ବସ ଯୋଗେ ବିଭିନ୍ନ ରାଜ୍ୟକୁ ଫେରୁଥିବା ଦେଖିବାକୁ ମିଳୁଛି। କେରଳରୁ ଫେରିଥିବା ମାନାପଲ୍ଲୀ ଗ୍ରାମର ଘନ ପାତ୍ର ନାମରେ ଜଣେ ରାଜମିସ୍ତ୍ରୀ ପୁନର୍ବାର କିଛି ଶ୍ରମିକଙ୍କ ସହ କର୍ମସ୍ଥଳକୁ ଫେରି ଯାଇଛନ୍ତି। ବିଭିନ୍ନ ଗ୍ରାମରେ ପ୍ରବାସୀ ଓଡ଼ିଆମାନେ ଲକଡାଉନ ଯୋଗୁ ବିବିଧ ସମସ୍ୟା ଭିତରେ ରହିଛନ୍ତି। ଜୀବିକା ନିର୍ବାହ ପାଇଁ ଡହଳବିକଳ ହେଲେଣି । ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା ହୋଇନଥିବାରୁ ଉକ୍ତ ପ୍ରବାସୀ ଶ୍ରମିକମାନେ ପୁଣି ଫେରିଥିବା କର୍ମ ସ୍ଥଳକୁ ବାହୁଡିବାକୁ ପାଇଁ ମନସ୍ଥ କଲେଣି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories