www.samajalive.in
Saturday, December 13, 2025
26.1 C
Bhubaneswar

କୋଭିଡ୍‍-୧୯ ମାନବ ସ୍ମରଣୀୟ ଇତିହାସରେ ଏକ ଅହେତୁକ ସଂକଟ

ଭୁବନେଶ୍ୱର: କୋଭିଡ୍‍-୧୯ ମାନବ ସ୍ମରଣୀୟ ଇତିହାସରେ ଏକ ଅହେତୁକ ସଂକଟ। ଏହାର ପ୍ରକୃତି ଏବଂ ଗତି ମଧ୍ୟ ବହୁଧା ବିବର୍ତ୍ତିଶୀଳ। ଏହାର ମୁକାବିଲା ଓ ପରିଚାଳନା ସମ୍ବନ୍ଧିତ ଡକ୍ୟୁମେଣ୍ଟ ଆଗାମୀ ଦିନରେ ଭାରତରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଢ଼ିଭୁତ କରିବ। ଭବିଷ୍ୟତ ନିମନ୍ତେ କରୋନା ପରି ମହାମାରୀ ପରିଚାଳନା ସମ୍ବନ୍ଧିତ ଦସ୍ତାବିଜ୍‍(ଡକ୍ୟୁମେଣ୍ଟ) ପ୍ରସ୍ତୁତ କରିବା ଆବଶ୍ୟକ। ଆଜି କୋଭିଡ୍‍-୧୯ ମୁକାବିଲାରେ ଗ୍ରହଣ କରାଯାଇଥିବା ପଦ୍ଧତି ଓ କୌଶଳଗୁଡ଼ିକ ବିଷୟ ସମୀକ୍ଷା କରି ମୁଖ୍ୟଶାସନ ସଚିବ ଅସିତ୍‍ ତ୍ରିପାଠୀ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦେଶ ଦେଇଛନ୍ତି।
ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ ଦସ୍ତାବିଜ୍‍ ପ୍ରସ୍ତୁତିର ପ୍ରୟୋଜନିୟତା ଏବଂ ବିଭିନ୍ନ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ୍ତ କୁମାର ଜେନା ଡକ୍ୟୁମେଣ୍ଟ ପ୍ରସ୍ତୁତି ବିଷୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ସାଂକେତିକ ଟେମ୍ପଲେଟ୍‍ ଉପସ୍ଥାପନ କରିଥିଲେ। ତଦନୁଯାୟୀ ଓଡ଼ିଶାର ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ। ଜାତୀୟ ଏବଂ ରାଜ୍ୟସ୍ତରରେ ମହାମାରୀର ଆରମ୍ଭ, ତାହାର ମୁକାବିଲା ନିମନ୍ତେ ବିଭିନ୍ନ ଅବଧାରଣା ଓ କୌଶଳର ବିକାଶ, ଅନୁଶୀଳନାତ୍ମକ ତତ୍ତ୍ୱ, କୌଶଳର ପ୍ରୟୋଗ ନିମନ୍ତେ ସରକାରଙ୍କ ନିର୍ଦେଶ, ପରାମର୍ଶ, ସଚେତନତା ସୃଷ୍ଟି, ସଠିକ୍‍ ସୂଚନା ସମ୍ପ୍ରସାରଣ, ଜନସାଧାରଣଙ୍କ ଆଶଙ୍କା ଓ ଭୟର ନିରାକରଣ, ନିୟମର କଡ଼ାକଡ଼ି ଅନୁପାଳନ, ଚିକିତ୍ସା ପାଇଁ ଭିତ୍ତିଭୂମି ସୃଷ୍ଟି, ଗୋଷ୍ଠୀ ସମ୍ପୃକ୍ତି ପରିଚାଳନା ଦିଗରେ ରହିଥିବା ସମସ୍ୟା ଓ ସେଗୁଡ଼ିକର ନିରାକରଣ, ଉତ୍ତମ ପ୍ରାମାଣିକ ପଦ୍ଧତି ଆଦି ବିଷୟ ଏହି ଡକ୍ୟୁମେଣ୍ଟ ତଥା ଦସ୍ତାବିଜ୍‍ରେ ସନ୍ନିବଶିତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା।
ଡକ୍ୟୁମେଣ୍ଟଟି ଦୁଇ ପ୍ରକାରରେ ପ୍ରସ୍ତୁତ କରାହେବ। ପ୍ରଥମଟି ହେଲା ନିର୍ଦେଶ, ନିଷ୍ପତ୍ତି ଓ ଆଦେଶ ଆଦିର ସଂକଳନ ଏବଂ ଦ୍ୱିତୀୟଟି ହେଲା ପରିଚାଳନା ପ୍ରକ୍ରିୟାର ଦୃଶ୍ୟ ଓ ଶ୍ରାବ୍ୟ ତଥ୍ୟ। କରୋନା ପରିଚାଳନା ସହ ସମ୍ପୃକ୍ତ ବିଭାଗମାନେ ନିଜ ନିଜ ବିଭାଗର କୌଶଳ ଓ ପଦକ୍ଷେପ, ସମସ୍ୟା ଏବଂ ସେସବୁର ସମାଧାନ ଆଦି ବିଷୟରେ ଏକ ଡକ୍ୟୁମେଣ୍ଟ ଜୁନ୍‍ ମାସ ଶେଷ ସୁଦ୍ଧା ପ୍ରସ୍ତୁତ କରିବା ସହ ପରିବର୍ତ୍ତିତ ସ୍ଥିତି ଅନୁଯାୟୀ ନିଆଯାଉଥିବା ନୂତନ ପଦକ୍ଷେପ ସେଥିରେ ଲିପିବଦ୍ଧ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ ସିଂ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ୱତନ୍ତ୍ର ଶାସନ ସଚିବ ଶାଳିନୀ ପଣ୍ଡିତ୍‍, ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜିତା ପଣ୍ଡା, ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ ଏବଂ ସୂଚନା ଓ ଲୋକ ସମ୍ପର୍କ ନିର୍ଦେଶକ କୃପାସିନ୍ଧୁ ମିଶ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories