ମୁମ୍ବଇ: ମହାମାରୀ କରୋନା ଭୂତାଣୁ ଯୋଗୁ ମହାରାଷ୍ଟ୍ର ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଦେଶର ଏକ ତୃତୀୟାଂଶରୁ ଅଧିକ ରୋଗୀ କେବଳ ଏହି ଗୋଟିଏ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ କରୋନା ରୋଗୀ ସଂଖ୍ୟା ୫୦ ହଜାର ୨୩୧ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। ଏଠାରେ ୧୬୩୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୩୩ ହଜାର ୯୯୬ ସକ୍ରିୟ ସଂକ୍ରମିତ ଥିବାବେଳେ ୧୪ ହଜାର ୬୦୦ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ପଛକୁ ତାମିଲନାଡୁ ୨ୟ ସ୍ଥାନରେ ରହିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୧୬ ହଜାର ୨୭୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ୩ୟ ସର୍ବାଧିକ ୧୪ ହଜାର ୬୩ ରୋଗୀ ଚିହ୍ନଟ ହୋଇଥିବାବେଳେ ୮୫୮ ଜଣଙ୍କ ମୃତ୍ୟୁ ହୋଇଛି।
ତେବେ ପଶ୍ଚିମବଙ୍ଗରେ କରୋନା ମୃତ୍ୟୁହାର ସର୍ବାଧିକ ରହିଛି। ଭାରତରେ କରୋନା ମୃତ୍ୟୁ ହାର ୨.୮୯% ଥିବାବେଳେ ପଶ୍ଚିମବଙ୍ଗରେ ଏହା ୭.୪୧% ରହିଛି। ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୬୬୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୭୨ ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି ମୃତ୍ୟୁ ହାରରେ ଗୁଜରାଟ ୨ୟ ସ୍ଥାନରେ ରହିଛି। ଏଠାରେ ମୃତ୍ୟୁହାର ୬% ରହିଛି। ଗୁଜରାଟରେ ବର୍ତ୍ତମାନ ସୁଦ୍ଧା ୧୪,୦୬୩ ସଂକ୍ରମିତ ଠାବ ହୋଇଥିବାବେଳେ ୮୫୮ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ମୃତ୍ୟୁହାର ୩.୨୫% ଏବଂ ମଧ୍ୟପ୍ରଦେଶରେ ୪.୨୫% ରହିଛି।



