www.samajalive.in
Wednesday, December 10, 2025
16.1 C
Bhubaneswar

୧୦୦ କୋଟି ପ୍ୟାକେଜ୍ ଘୋଷଣାକୁ ବିତିଲାଣି ମାସେ; ସହରୀ ଶ୍ରମିକଙ୍କୁ ମିଳୁନାହିଁ କାମ

ଭୁବନେଶ୍ବର: ଲକ୍‌ଡାଉନ୍ ଘୋଷଣା ପରେ ସହରାଞ୍ଚଳରେ ଶ୍ରମିକ କାମ ନପାଇବା ଯୋଗୁଁ ରୋଜଗାର ହରାଇ ବସିଛନ୍ତି। ଶ୍ରମିକମାନେ ପରିବାର ପ୍ରତିପୋଷଣ କରିବାରେ ହଇରାଣ ହେଉଥିବା ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ସହରାଞ୍ଚଳରେ ଶ୍ରମଜୀବୀଙ୍କ ନିମନ୍ତେ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଲକ୍‌ଡାଉନ୍‌ ୩.୦ରେ କଟକଣା କୋହଳ ହେବାରୁ ସମସ୍ତ ମହାନଗର ନିଗମ, ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ତୁରନ୍ତ କାର୍ଯ୍ୟକାରୀ କରି ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ କୁହାଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ମାସେ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ସବୁ ମହାନଗର ନିଗମ କର୍ତ୍ତୃପକ୍ଷ ଶ୍ରମିକଙ୍କୁ କାମ ଦେଇ ନଥିବା ଅଭିଯୋଗ ହୋଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଶ୍ରମିକଙ୍କ ସମସ୍ୟାକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉନାହାନ୍ତି । ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି), କଟକ ମହାନଗର ନିଗମ (ସିଏମ୍‌ସି) ଏବଂ ସମ୍ବଲପୁର ମହାନଗମ ନିଗମ (ଏସ୍‌ଏମ୍‌ସି) ଏଯାବତ ଜଣେ ହେଲେ ଶ୍ରମିକଙ୍କୁ କାମ ଦେଇ ନଥିବା ଜଣାପଡିଛି । କିନ୍ତୁ ବ୍ରହ୍ମପୁର ମହାନଗମ ନିଗମ (ବିଇଏମ୍‌ସି) ଏବଂ ରାଉରକେଲା ମହାନଗର ନିଗମ (ଆରଏମ୍‌ସି) ସହରରେ ଶ୍ରମିକଙ୍କୁ କାମ ଯୋଗାଇ ଦେଇଛି । ଏ ସଂକ୍ରାନ୍ତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସମସ୍ତ ସହରାଞ୍ଚଳ ଶ୍ରମିକଙ୍କୁ କାମ ଦିଆଯିବା ଆରମ୍ଭ ହୋଇଛି ।
୫ଟି ମହାନଗର ନିଗମକୁ ଦେଖିଲେ ବିଏମ୍‌ସି ସର୍ବାଧିକ ୧୦ କୋଟି ଟଙ୍କା ପାଇ ପଛରେ ପଡି ଯାଇଛି। ପ୍ୟାକେଜ୍‌ ଘୋଷଣା ପରେ ବିଏମ୍‌ସି ପାଖକୁ ନିୟମାବଳୀ (ଏସ୍‌ଓପି) ଆସିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରି ଶ୍ରମିକଙ୍କୁ କାମ ଦିଆଯିବା କଥା। ହେଲେ ଏ ପର୍ଯ୍ୟନ୍ତ ଜଣେ ହେଲେ ଶ୍ରମିକଙ୍କୁ କାମ ଦେଇପାରି ନାହିଁ। ବିଏମ୍‌ସି ଅଧିକାରୀ କହିଛନ୍ତି, ପ୍ରକ୍ରିୟା ଜାରି ରହିଛି। ୱାର୍ଡରେ କ’ଣ କାମ କରାଯିବ ସେ ସମ୍ବନ୍ଧରେ ତାଲିକା ମଗାଯାଇଛି। ଗାଁରେ କାମ ନପାଇ ରୋଜଗାର ପାଇଁ ଭିଟାମାଟି ଛାଡି ରାଜଧାନୀକୁ ଚାଲି ଆସୁଛନ୍ତି ଶ୍ରମିକ । ଲକ୍‌ଡାଉନ୍ ସମୟରେ ଶ୍ରମିକମାନେ କାମ ନପାଇ ହଟହଟା ହେଉଛନ୍ତି । ଖାଦ୍ୟ ଅଭାବ ଦେଖାଦେବାରୁ ଛୁଆପିଲା ଧରି ରାତାରାତି ଗାଁକୁ ଚାଲିଗଲେ ଶ୍ରମିକ। ଶ୍ରମିକଙ୍କ ଏଭଳି ଦୁରବସ୍ଥା ଦେଖି ସରକାର ଲକ୍‌ଡାଉନ୍ ୩.୦ରେ ଶ୍ରମିକମାନେ ବାହାରକୁ ଆସି ସାମାଜିକ ଦୂରତ୍ବ ରକ୍ଷା କରି କାମ କରି ପାରିବେ ବୋଲି କହିଲେ। ସାଲିଆସାହି ବସ୍ତିର ଶ୍ରମିକ କୃପାସିନ୍ଧୁ ନାୟକ କହିଛନ୍ତି, କାମ ପାଇଁ ଶ୍ରମିକମାନେ ଠିଆ ହେଉଛନ୍ତି, ସତ ହେଲେ ପ୍ରତିଦିନ କାମ ମିଳୁନି। ଯେଉଁ ଲୋକଙ୍କ ଛୋଟକାଟିଆ କାମ ବାକି ରହିଛି ସେମାନେ ଆସି କିଛି ଲୋକ ନେଉଛନ୍ତି ।

ବିଏମ୍‌ସି ନଗର ଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର କହିଛନ୍ତି, ୱାର୍ଡରୁ କାମ ତାଲିକା ମଗାଯାଇଛି। ତାଲିକା ଆସିବା ପରେ କମିଟିରେ ନିଷ୍ପତ୍ତି ନିଆଯିବ। ପରେ ଶ୍ରମିକଙ୍କୁ କାମ ଦିଆଯିବ। ସିଏମ୍‌ସି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଗୁରୁତ୍ବ ଦେଇ ନଥିବାରୁ ଜଣେ ହେଲେ ଶ୍ରମିକଙ୍କୁ ଏ ଯାଏଁ କାମ ଦେଇ ପାରନି। କିନ୍ତୁ ବିଏମ୍‌ସି ଏବଂ ସିଏମ୍‌ସିଠାରୁ ଏସ୍‌ଏମ୍‌ସି ପାଦେ ଆଗରେ ରହିଛି । କମିଟି ଗଠନ କରି ପ୍ରଥମ ପର୍ଯ୍ୟାୟରେ ୧୯୭ଟି ପ୍ରକଳ୍ପ(ତାଲିକାଭୁକ୍ତ କାମ)ରେ ଶ୍ରମିକଙ୍କୁ କାମ ଦେବାକୁ ଲକ୍ଷ୍ୟ ରଖିଛି। ଏସବୁ କାମ ପାଇଁ ୧.୧୮କୋଟି ଟଙ୍କା ଖର୍ଚ୍ଚ କରାଯିବ। ୪୧ଟି ୱାର୍ଡର ଏସ୍‌ଏଚ୍‌ଜି ଯେଉଁ କାମ ତାଲିକା ଦେଇଛନ୍ତି ଗୋଟିଏ କାମ ପିଛା ସର୍ବାଧିକ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାରିବ। ଏନେଇ ଏସ୍‌ଏମ୍‌ସି କମିସନର ଯୁଗଳେଶ୍ବର ଦାଶ କହିଛନ୍ତି, ଆଗକୁ ବର୍ଷା ଆସୁଥିବାରୁ ଡ୍ରେନ ଏବଂ ବନ୍ଧ ସଫାକୁ ଗୁରୁତ୍ବ ଦିଆଯାଇଛି। ପରେ ଅଙ୍ଗନବାଡି ଏବଂ ବିଦ୍ୟାଳୟ କାନ୍ଥରେ ସଚେତନତାମୂଳକ ବାର୍ତ୍ତା ୱାଲପେଣ୍ଟିଂ କରାଯିବ। ଆରଏମ୍‌ସି ଗତଦୁଇଦିନ ତଳୁ ଶ୍ରମିକଙ୍କୁ କାମ ଯୋଗାଣ ଆରମ୍ଭ କରିଛନ୍ତି। ୨୦ ତାରିଖ ସୁଦ୍ଧା ୧୨୯ ଜଣ ଶ୍ରମିକଙ୍କୁ ଶ୍ରମ ଯୋଗାଇ ଦେଇଛି। ଆରଏମ୍‌ସି ଡେପୁଟି କମିସନର ସୁଧାଂଶୁ ଶେଖର ଭୋଇ କହିଛନ୍ତି, ପ୍ରତି ୱାର୍ଡରେ ଶ୍ରମିକଙ୍କୁ କାମ ଦିଆଯିବ। ୨୫୪ ପ୍ରକଳ୍ପ (ତାଲିକାଭୁକ୍ତ କାମ)କୁ କମିଟିରେ ଅନୁମୋଦନ ମିଳିଥିବା ସେ କହିଛନ୍ତି। ଅଞ୍ଚଳରେ ଏସ୍‌ଏଚ୍‌ଜିମାନେ ଡ୍ରେନସଫା କାମ ତଦାରଖ ପାଇଁ ଇଛା କରୁନାହାନ୍ତି। ଶ୍ରମିକମାନେ ମଧ୍ୟ କରୋନା ଭୟରେ ଡ୍ରେନସଫା କରିବାକୁ ଆଗ୍ରହ ପ୍ରକାଶ କରୁ ନଥିବା ଜଣାପଡିଛି। ଅପରପକ୍ଷରେ ବିଇଏମ୍‌ସି ପ୍ରଥମ ପର୍ଯ୍ୟାୟ କାମ ସାରି ଦ୍ବିତୀୟ ପର୍ଯ୍ୟାୟରେ ୨ କୋଟି ଟଙ୍କାରେ ବିଭିନ୍ନ ୱାର୍ଡରେ ଡ୍ରେନ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ହେଲେ ପ୍ରଥମ ପର୍ଯ୍ୟାୟରେ କାମ କରିଥିବା ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ମଜୁରି ପ୍ରାପ୍ୟ ଯାଇନାହିଁ।
ସୂଚନାଯୋଗ୍ୟ, ଘୋଷଣା କରାଯାଇଥିବା ପ୍ୟାକେଜ ଉନ୍ନତି ଯୋଜନା ବଜେଟରୁ ଖର୍ଚ୍ଚ କରାଯିବ। ଏହି ଟଙ୍କାରୁ ବିଏମ୍‌ସିକୁ ସର୍ବାଧିକ ୧୦ କୋଟି ଟଙ୍କା ମିଳିଛି। ସିଏମ୍‌ସି, ଆରଏମ୍‌ସି, ଏସ୍‌ଏମ୍‌ସି ଏବଂ ବିଇଏମ୍‌ସିକୁ ୫ କୋଟି ଟଙ୍କା ଲେଖାଏଁ ମିଳିଛି। ଏହି ଯୋଜନାର ଅବଧି ୬ ମାସ ରହିଛି। ଆବଶ୍ୟକସ୍ଥଳେ ସମୟ ସୀମାକୁ ବୃଦ୍ଧି କରାଯାଇ ପାରିବ। କିନ୍ତୁ ମୂଳ ଅବଧି ୬ ମାସରୁ ଏଯାବତ ମାସେ ବିତି ଯାଇଥିଲେ ମଧ୍ୟ ସମସ୍ତ ସହରାଞ୍ଚଳରେ ଯୋଜନା କାର୍ଯ୍ୟକ୍ଷମ ହୋଇପାରି ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories