www.samajalive.in
Thursday, December 11, 2025
14.1 C
Bhubaneswar

କରୋନା ହାରିବ, ଭାରତ ଜିତିବ

ସମଗ୍ର ବିଶ୍ୱ ଆଜି କରୋନା ଭୂତାଣୁଜନିତ ମହାମାରୀ କବଳିତ। ଶତାଦ୍ଦୀଶତାଦ୍ଦୀ ଧରି ମଣିଷ ସଜାଡ଼ିଥିବା ପ୍ରତ୍ୟେକ ବ୍ୟବସ୍ଥାକୁ ଏହା ଅପ୍ରମିତ ଭାବେ କ୍ଷତିଗ୍ରସ୍ତ କରିଚାଲିଛି। ସାଧାରଣ ଲୋକଙ୍କ ଜୀବନ ଓ ଜୀବିକାକୁ ବିପନ୍ନ କରିଛି। ବିଶ୍ୱର ବହୁ ଶକ୍ତିଶାଳୀ ଓ ସମୃଦ୍ଧ ରାଷ୍ଟ୍ର ତ୍ରାହିତ୍ରାହି ଡାକିବା ଆରମ୍ଭ କରିଥିବା ବେଳେ ଆମ ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ସମୟୋଚିତ ପଦକ୍ଷେପ ଯୋଗୁଁ ସ୍ଥିତି ଯଥାସମ୍ଭବ ନିୟନ୍ତ୍ରଣରେ ରହିଛି। ଏହି ସଙ୍କଟ ସମୟରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରି ସରକାର ସେମାନଙ୍କର ମନୋବଳ ଓ ଆତ୍ମବିଶ୍ୱାସ ବଢ଼ାଇଛନ୍ତି। ଦେଶରେ କେହି ଯେପରି ଭୋକରେ ମୃତ୍ୟୁମୁଖରେ ନ ପଡ଼ନ୍ତି ସେଥିପ୍ରତି ତୀକ୍ଷଣ ଦୃଷ୍ଟି ଦିଆଯାଇଛି।
ଏ ପର୍ଯ୍ୟନ୍ତ କରୋନାର ପ୍ରତିକାର ପାଇଁ କୌଣସି ଟିକା ବା ଔଷଧ ଆବିଷ୍କାର ହୋଇପାରି ନଥିବାରୁ ଏକାନ୍ତ ବାସ ବା ସଂଗରୋଧ ତଥା ସାମାଜିକ ଦୂରତା ଏହାର ଏକମାତ୍ର ପ୍ରତିଷେଧକ। କଷ୍ଟ ହେଲେ ମଧ୍ୟ ଲକ୍‍ଡାଉନ୍‍, ସଟ୍‍ଡାଉନ, କର୍ଫ୍ୟୁ, କ୍ୱାରେଣ୍ଟାଇନ୍‍, କଣ୍ଟେନମେଣ୍ଟ ପରି ବିଧିବ୍ୟବସ୍ଥାକୁ ଆସ୍ତେଆସ୍ତେ ଜନତା ଗ୍ରହଣ କରିନେଲେଣି, କିନ୍ତୁ ବଡ଼ ଦୁଃଖର କଥା କିଛି ଲୋକ ଏହି ବିଧି ବ୍ୟବସ୍ଥାକୁ ନମାନି ବିଭିନ୍ନ ରାଜ୍ୟରୁ ଲୁଚାଛପାରେ ନିଜ ରାଜ୍ୟକୁ ଫେରି ଆସୁଛନ୍ତି। ବିିଭିନ୍ନ ଧର୍ମାନୁଷ୍ଠାନ, ସଭା, ସମିତି, ଏପରିକି କରୋନା ସଂକ୍ରମିତ ଓ ବିଦେଶୀ ଲୋକଙ୍କ ସଂସ୍ପର୍ଶରେ ଆସି ନିଜନିଜ ଅଂଚଳରେ ବୁଲିବାକୁ ଲାଗିଲେଣି, ଯାହାକି ସରକାରଙ୍କ ସହିତ ଆମ୍ଭମାନଙ୍କର ଚିନ୍ତାର କାରଣ ହେଲାଣି। ଆଗାମୀ ଦିନରେ ଏହାର ପରିଣତି କ’ଣ ହେବ ତାହା ଏବେଠୁ କହିବା କଷ୍ଟସାଧ୍ୟ। ତେଣୁ ସଂକ୍ରମିତ ଅଞ୍ଚଳ ଓ ବିଦେଶରୁ ଫେରୁଥିବା ବ୍ୟକ୍ତି ବା ଶ୍ରମିକମାନଙ୍କୁ ବାଧ୍ୟତାମୂଳକ ଭାବେ ପଞ୍ଜୀକରଣ କରାଇ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇ ସେମାନଙ୍କୁ ୧୪ ଦିନ ରଖିବା ସହିତ ସେମାନଙ୍କର ଖାଇବା, ପିଇବା ଏବଂ ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏହା ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ। ଏହା ଫଳରେ କରୋନାକୁ ରୋକିବାରେ ଆମେ କିଛିମାତ୍ରାରେ ସଫଳ ହୋଇପାରିବା।
ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ମହାମାରୀ ଅଥବା ଅନ୍ୟକିଛି ରୋଗ, ଏହା ମାନବଜାତି ପାଇଁ ନୂଆ ନୁହେଁ। ବିଶ୍ୱ ଇତିହାସ ଦେଖିଲେ କରୋନାଠାରୁ ଆହୁରି ଭୟଙ୍କର ମହାମାରୀ ମଧ୍ୟ ମାନବ ଜାତି ମୁକାବିଲା କରିଛି। ଖ୍ରୀ ୧୬୫ରେ ଆଂଟୋନାଇନ୍‍ ପ୍ଲେଗ୍‍, ଖ୍ରୀ ୫୪୧ରେ ଜଷ୍ଟିନିଆନ ପ୍ଲେଗ, ୧୩୪୬ ରୁ ୧୩୫୬ ଖ୍ରୀଷ୍ଟାଦ୍ଦ ମଧ୍ୟରେ କଳାମୃତ୍ୟୁ ବା ବ୍ଳାକଡେଥ୍‍ ନାମକ ମହାମାରୀ, ଖ୍ରୀ. ୧୮୫୨ ରୁ ୧୮୬୦ ଭିତରେ ତୃତୀୟ ହଇଜା ମହାମାରୀ, ଖ୍ରୀ.୧୮୮୯ ରୁ ୧୮୯୦ ମଧ୍ୟରେ ଏସିଆଟିକ ଫ୍ଲୁ ବା ରୁଷୀୟ ଫ୍ଲୁ, ୧୯୧୦ ଓ ୧୯୪୦ରେ ହଇଜା, ୧୯୬୦ ଦଶକରେ ବସନ୍ତ କୋଟିକୋଟି ଲୋକଙ୍କ ପ୍ରାଣ ନେଇଛି। ୧୯୯୪ ସେପ୍ଟେମ୍ବରରେ ପ୍ଲେଗରେ ଗୁଜରାଟରେ ହଜାରହଜାର ଲୋକ ପ୍ରାଣ ହରାଇଥିଲେ। ସେଠାରେ ଥିବା ସୂତାକଳରେ କାମ କରୁଥିବା ଶହଶହ ଓଡ଼ିଆ, ବଙ୍ଗାଳୀ, ବିହାରୀ ଶ୍ରମିକମାନେ ଭୟରେ ନିଜନିଜ ରାଜ୍ୟକୁ ପଳାୟନ କରିବା ପରେ ସେଠାରେ ମଧ୍ୟ ପ୍ଲେଗ ବ୍ୟାପିଲା। ଅବଶ୍ୟ ଟିକା ଓ ଆଂଟିବାୟୋଟିକ ଆବିଷ୍କାର ହୋଇଥିବାରୁ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିଥିଲା। ପ୍ରଥମ ବିଶ୍ୱଯୁଦ୍ଧର ଆତଙ୍କ ଦୁନିଆ ଭୁଲି ନଥିବା ବେଳେ ଆଉ ଏକ ଭୟାନକ ଫ୍ଲୁରେ ବିଶ୍ୱର ୫ କୋଟି ଲୋକଙ୍କ ଜୀବନ ଚାଲି ଯାଇଥିଲା। କେବଳ ସାମାଜିକ ଦୂରତା ଏବଂ ବ୍ୟାପକ ସଚେତନତା ଦ୍ୱାରା ହିଁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିଥିଲା। ଖ୍ରୀ ୨୦୦୫ରୁ ୨୦୧୨ ମଧ୍ୟରେ ଏଚ୍‍ଆଇଭି / ଏଡ୍‍ସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟିକରିବା ସହିତ ପ୍ରାୟ ୩ କୋଟି ୬୦ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା। ବ୍ୟାପକ ସଚେତନତା ପରେ ଏହାର ଆତଙ୍କ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଜି ବି ଏହା ବିଶ୍ୱବାସୀଙ୍କ ପାଇଁ ଆତଙ୍କର କାରଣ ହୋଇରହିଛି।
ସୃଷ୍ଟିର ଆରମ୍ଭ କାଳରୁ ମାନବସମାଜ ବହୁ ଘାତପ୍ରତିଘାତ, ରୋଗ, ପ୍ରାକୃତିକ ବିପର୍ଯ୍ୟୟ ଆଦି ଦେଇ ଗତି କରିଛି। ଜାତିସଂଘ ପରିସଂଖ୍ୟାନ ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପୃଥିବୀରେ ବର୍ଷକୁ ପ୍ରାୟ ୧ ଲକ୍ଷ ଲୋକ ମୃତ୍ୟୁବରଣ କରିନ୍ତି ଏବଂ ୨୦ ହଜାର କୋଟି ଟଙ୍କାର ସଂପତ୍ତି ନଷ୍ଟ ହୁଏ। ତଥାପି ଏସବୁକୁ ସହ୍ୟ କରି ମାନବ ସମାଜ ଆଗକୁ ବଢ଼ି ଚାଲିଛି। ଚନ୍ଦ୍ରପୃଷ୍ଠ ଓ ମଙ୍ଗଳ ଗ୍ରହରେ ବସବାସ କରିବା ପାଇଁ ଅନବରତ ପ୍ରତିଯୋଗିତା ଆରମ୍ଭ ହୋଇଛି। ନୂତନନୂତନ ଟେକ୍‍ନୋଲୋଜି ଆବିଷ୍କାର କରି ଆଗୁଆ ପଦକ୍ଷେପମାନ ଗ୍ରହଣ କରିପାରୁଛି। ପୃଥିବୀର ଦୂରତାକୁ କମାଇ ଦେଇପାରିଛି। ଆମେ ଘରେ ବସି ପୃଥିବୀରେ ପ୍ରତିଦିନ ଘଟୁଥିବା ବିଭିନ୍ନ ଘଟଣା ଜାଣିବା ସହିତ ଯେତେବେଳେ ଇଚ୍ଛାପ୍ରକାଶ କଲେ ନିଜର ପରିଜନଙ୍କ ସହିତ କଥାବାର୍ତ୍ତା ଏବଂ ଦେଖାଚାହାଁ ବି ହୋଇପାରୁଛୁ।
ଏତେ ସବୁ ଜ୍ଞାନକୌଶଳ ହାସଲ କରିଥିଲେ ସୁଦ୍ଧା ବର୍ତ୍ତମାନ କୋଭିଡ-୧୯ ଆମ୍ଭମାନଙ୍କ ସମ୍ମୁଖରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହାର ନିରାକରଣ ପାଇଁ ରାସ୍ତା ଖୋଜିଚାଲିଛି। ଏହି ମହାମାରୀ କାରଣରୁ ଆଗାମୀ ଦିନରେ ୫୦ କୋଟିରୁ ଅଧିକ ଲୋକ ଗରିବ ହୋଇଯିବେ ବୋଲି ମିଳିତ ଜାତିସଂଘ ସର୍ତକ କରିଛି। କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସମଗ୍ର ବିଶ୍ୱ ଅର୍ଥନୀତି ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଲାଣି। ସାଧାରଣ ଜନତାଙ୍କ ଭବିଷ୍ୟତ କ’ଣ ହେବ ତାହା କହିବା ମୁସ୍କିଲ ହୋଇପଡ଼ିଛି।
ତଥାପି ଆମେ ନିରାଶ ହୋଇଯାଇନେ। ବହୁ ବାଧାବିଘ୍ନ ଆସିଛି, ବହୁ ସମସ୍ୟାକୁ ଆମେ ସାମ୍ନା କରୁଛେ, କିନ୍ତୁ ସଂକଳ୍ପ ପୂର୍ବକ ନୂତନ ଶକ୍ତିରେ ଆଗକୁ ବଢ଼ିବା। ଦେଶକୁ ବଞ୍ଚାଇବା ଏବଂ ଦେଶକୁ ଅଗ୍ରଗତି କରିବା ପାଇଁ ସଂକଳ୍ପ ନେବା। ଏହି ସଙ୍କଟ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ଦେଶପ୍ରତି ସମର୍ପିତ, ଦୃଢ଼ ନେତୃତ୍ୱ ଆମ୍ଭ ସହିତ ରହିଛନ୍ତି ଯାହାଙ୍କର ସମୟୋଚିତ ଓ ସାହସିକ ନିର୍ଣ୍ଣୟ ଆମ୍ଭମାନଙ୍କ ମନୋବଳକୁ ଶତଗୁଣ ବଢ଼ାଇଛି। ମୋଦୀଙ୍କ ଭାଷାରେ, କରୋନା ବିରୋଧରେ ଭାରତର ଯୁଦ୍ଧ ହେଉଛି ଜନତା ଚାଳିତ। ଏହି ସଂଗ୍ରାମରେ ପ୍ରତ୍ୟେକ ଭାରତୀୟ ଜଣେ ଜଣେ ସୈନିକ। ତେଣୁ ଏହି ସଂଗ୍ରାମରେ ତାଙ୍କୁ ଆମେ ନାୟକ ଭାବେ ଭାବି ସେ ଦେଇଥିବା ଆହ୍ୱାନକୁ ସଠିକ ଭାବରେ ପାଳନ କଲେ ନିଶ୍ଚିତ ଭାବରେ କରୋନାର ପରାଜୟ ହେବ ଏବଂ ଭାରତର ବିଜୟ ହେବ।

ଜୁଏଲ ଓରାମ

ସାଂସଦ ତଥା ଅଧ୍ୟକ୍ଷ,
ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟି

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories