ସମାଜ ପୋର୍ଟାଲ ଡେସ୍କ: ବୈଦେଶିକ ମନ୍ତ୍ରଣାଳୟର ସଚିବ ଭାବରେ କାର୍ଯ୍ୟ କରୁଥିବା ଅଭିଜ୍ଞ କୂଟନୀତିଜ୍ଞ ଟି.ଏସ୍. ତିରୁମୁର୍ତ୍ତୀଙ୍କୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତି ମିଳିଛି। ଜଣେ ସଫଳ କୂଟନୀତିଜ୍ଞ ଭାବରେ ଭାରତର ମତାମତକୁ ଆନ୍ତର୍ଜାତିକ ସ୍ଥରରେ ଉପସ୍ଥାପନ କରି ସଫଳତା ହାସଲ କରିଥିବା ୧୯୮୫ ବ୍ୟାଚ୍ ଭାରତୀୟ ବୈଦେଶିକ ସେବା ଅଧିକାରୀ ତିରୁମୁର୍ତ୍ତୀ ସୟଦ ଆକବରଉଦ୍ଦିନଙ୍କ ସ୍ଥାନରେ ଏହି ନିଯୁକ୍ତି ପାଇଛନ୍ତି।
ତିରୁମୂର୍ତ୍ତି ଏବେ ବିଦେଶ ମନ୍ତ୍ରାଳୟର ଇକୋନୋମିକ ରିଲେସନ କାର୍ଯ୍ୟାଳୟରେ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ନିଯୁକ୍ତ ହେବା ବିଷୟ ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ କରିଛି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ବରିଷ୍ଠ କୂଟନୀତିଜ୍ଞ ନମ୍ରତା ଏସ କୁମାରଙ୍କୁ ସ୍ଲୋଭେନିଆରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଥିବାବେଳେ ଜୟଦୀପ ମଜୁମଦାରଙ୍କୁ ଅଷ୍ଟ୍ରିଆରେ ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଛନ୍ତି।
ପୂର୍ବରୁ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦୀପକ ମିତ୍ତଲଙ୍କୁ କତାରରେ ଭାରତର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ବରିଷ୍ଠ କୂଟନୀତିଜ୍ଞ ପୀୟୁଷ ଶ୍ରୀବାସ୍ତବଙ୍କୁ ବାହାରିନରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି।



