ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ଅଣ-ଅବରୋଧ ଅଞ୍ଚଳରେ କୋଭିଡ-୧୯ ଲକଡାଉନ କଟକଣା କୋହଳ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏକ ଦୁଇ ଘଣ୍ଟିଆ ଭିଡ଼ିଓ କନଫରେନ୍ସ ବୈଠକ ଆୟୋଜନ କରିଛନ୍ତି। ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଗ୍ରାମୀଣ ବିକାଶମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। କଟକଣା କୋହଳ ହେଉଥିବା ଅଣ ଅବରୋଧ ଅଞ୍ଚଳରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ଏମସିଏନଆରଇଜିଏସ), ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମଏଓ୍ବାଇ-ଜି), ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ବାଇ) ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ) କାର୍ୟ୍ୟ ଆରମ୍ଭ ହେବ। ଶ୍ରୀ ତୋମର ଜୋର୍ ଦେଇ କହିଥିଲେ ଯେ ଯଦିଓ କୋଭିଡ-୧୯ ମହାମାରୀ କାରଣରୁ ଦେଖାଦେଇଥିବା ଆହ୍ବାନ ବେଶ ଗମ୍ଭୀର; ତଥାପି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ। ଗ୍ରାମୀଣ ଭିତ୍ତିଭୂମି ବିକଶିତ କରିବା ଓ ସୁଦୃଢ଼ କରିବା, ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଗ୍ରାମୀଣ ଜୀବିକା ନିର୍ବାହ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବା ଆବଶ୍ୟକ।
ସେ ଗୁରୁତ୍ବାରୋପ କରି କହିଥିଲେ ଯେ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ଭୂମି ସମ୍ବଳ ବିକାଶ ବିଭାଗ ସହିତ ମିଶି ଏମଜିଏନଆରଇଜିଏସ ଅଧୀନରେ ଜଳ ସଂରକ୍ଷଣ, ଜଳ ଉତ୍ସ ପୁନରୁଦ୍ଧାର ଏବଂ ଜଳସେଚନ କାର୍ୟ୍ୟ ଉପରେ କେନ୍ଦ୍ରିତ ହେବା ଉଚିତ। ଏନଆରଏଲଏମ ଅଧୀନରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ସୁରକ୍ଷା ମାସ୍କ, ସାନିଟାଇଜର, ସାବୁନ ପ୍ରସ୍ତୁତ କରିବା ସହିତ ବହୁ ସଂଖ୍ୟାରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମନ୍ତ୍ରୀ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ତୃତୀୟ ଏବଂ ଚତୁର୍ଥ କିସ୍ତି ଯୋଗାଇ ଦିଆଯାଇଥିବା ୪୮ ଲକ୍ଷ ଆବାସ ୟୁନିଟ ସମ୍ପୂର୍ଣ୍ଣ କରିବା ଉପରେ ପ୍ରାଥମିକତା ଦେବା ଲାଗି ମନ୍ତ୍ରୀ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅଧୀନରେ ତୁରନ୍ତ ଯୋଗାଇ ଦିଆଯାଉଥିବା ଟେଣ୍ଡର ସଡ଼କ ପ୍ରକଳ୍ପ ଏବଂ ଅସମ୍ପୂର୍ଣ୍ଣ ସଡ଼କ ପ୍ରକଳ୍ପ ସାରିବା ଉପରେ ଜୋର ଦିଆଯିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସେ ଉଲ୍ଲେଖ କରିଥିଲେ ଯେ ପିଏମଏଓ୍ବାଇ (ଗ୍ରାମୀଣ), ପିଏମଜିଏସଓ୍ବାଇ, ଏନଆରଏଲଏମ ଏବଂ ଏମଜିଏନଆରଇଜିଏସ ଅଧୀନରେ କରାଯାଉଥିବା ସମସ୍ତ କାର୍ୟ୍ୟରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ମାର୍ଗଦର୍ଶିକା ଜାରି କରାଯାଇସାରିଛି। ଏହି ସମସ୍ତ କାର୍ୟ୍ୟ କରିବା ସମୟରେ ଶ୍ରମିକମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯଥେଷ୍ଟ ପରିମାଣର ପାଣ୍ଠି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶ୍ବାସନା ଦେଇଥିଲେ।
ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରଗୁଡ଼ିକ କେନ୍ଦ୍ର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ପ୍ରସ୍ତାବରେ ସହମତ ହୋଇଥିଲେ। ଏମଜିଏନଆରଇଜିଏସ ଯୋଜନା ଅଧୀନରେ ସମସ୍ତ ବକେୟା ମଜୁରି ଏବଂ ଆନୁସଙ୍ଗିକ ଅନୁଦାନ ଜାରି କରାଯାଇଥିବା କାରଣରୁ ବିଶେଷ କରି ବିହାର, କର୍ଣ୍ଣାଟକ, ହରିୟାଣା ଏବଂ ଓଡ଼ିଶା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ବ୍ୟକ୍ତ କରାଯାଇଥିଲା। ଏନଆରଏଲଏମ ଅଧୀନରେ କୃଷି ଏବଂ ଅଣ-କୃଷି ଉଦ୍ୟୋଗକୁ ବ୍ୟାପକ ପ୍ରୋତ୍ସାହନ ଲାଗି ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ପ୍ରଭାବୀ ଓ ଦକ୍ଷ ଢଙ୍ଗରେ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଗ୍ରାମୀଣ ବିକାଶ କ୍ଷେତ୍ର କର୍ମଚାରୀ, ପଞ୍ଚାୟତିରାଜ ସଂସ୍ଥାନର କର୍ମଚାରୀ ଏବଂ ଅନ୍ୟ ଗୋଷ୍ଠୀସ୍ତରୀୟ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ବୋଲି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।



