ସମାଜ ପୋର୍ଟାଲ ଡେସ୍କ: ସୋସିଆଲ ମିଡିଆ ଅର୍ଥାତ ସାମାଜିକ ଗଣମାଧ୍ୟମରେ ଅନେକ ଲୋଭନୀୟ ଚ୍ୟାଲେଞ୍ଜ ଭାଇରଲ ହେଉଥିବା ବେଳେ ଗତ କିଛି ଦିନ ହେବ ‘ଶାଢ଼ୀ ଚ୍ୟାଲେଞ୍ଜ’ ଫେସବୁକ ଓ ହ୍ଵାଟ୍ସଆପରେ ବେଶ ଲୋକପ୍ରିୟ ଓ ଭାଇରଲ ମଧ୍ୟ ହେବାରେ ଲାଗିଛି। ଆପଣ ଯଦି ଫେସବୁକ ଖୋଲିବେ କି ହ୍ଵାଟ୍ସଆପ ସ୍ଟାଟସ ଦେଖିବେ ସେଥିରେ ୧୬ ବର୍ଷରୁ ଆରମ୍ଭ କରି ୪୦ରୁ ୪୫ ବର୍ଷ ବୟସର ଝିଅ ଓ ମହିଳାମାନଙ୍କ ଶାଢ଼ୀ ପିନ୍ଧିଥିବା ଫଟୋ ଦେଖିବାକୁ ମିଳୁଛି। ହେଲେ ଏମିତି କିଛି ଅଶ୍ଳୀଳ ୱେବସାଇଟ (ପର୍ଣ୍ଣ ୱେବସାଇଟ)ରେ ସେହି ଶାଢ଼ୀ ପିନ୍ଧା ଫଟୋର ନଗ୍ନ ରୂପ ପ୍ରଦର୍ଶନ ହେଉଛି।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ୨୦୧୯ରେ ‘ଡ଼ିପନ୍ୟୂଡ଼’ (DeepNude) ନାମକ ଏକ ୱେବସାଇଟ୍ ଆସିଥିଲା ଯାହା କୃତ୍ରିମ ଗୁଣବତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପଦ୍ଧତ୍ତି ବ୍ୟବହାର କରି କୌଣସି ଫଟୋରୁ ପୋଷାକ ହଟାଇ ଦେଇଥାଏ ଯାହା ଫଳରେ ସେହି ଫଟୋର ନଗ୍ନ ରୂପ ପ୍ରଦର୍ଶିତ ହୋଇଥାଏ। ସାରା ବିଶ୍ୱରେ ଥିବା ଲକ୍ଷାଧିକ ସଂଖ୍ୟାର ପର୍ଣ୍ଣ ୱେବସାଇଟ ଏହି ନଗ୍ନ ଫଟୋଗୁଡିକୁ ପ୍ରଦର୍ଶନ କରିଥାନ୍ତି। ଏକ ରିପୋର୍ଟ ଅନୁଯାୟୀ ଭାରତରେ ସାଇବର ଅପରାଧୀମାନେ ‘ଡ଼ିପନ୍ୟୂଡ଼’ ୱେବସାଇଟ ବ୍ୟବହାର କରି ‘ଶାଢ଼ୀ ଚ୍ୟାଲେଞ୍ଜ’ର ଫଟୋଗୁଡିକୁ ବ୍ୟବହାର କରି ବ୍ଲାକମେଲ କରୁଛନ୍ତି।
‘ଡ଼ିପନ୍ୟୂଡ଼’ ୱେବସାଇଟ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରେ, ଯାହା ଜଣେ ବ୍ୟକ୍ତିର ପୋଷାକ ପରିବର୍ତ୍ତେ ଉଲଗ୍ନ ଛବି ଦେଖାଇଥାଏ। ପୋଷାକ ମାଧ୍ୟମରେ ଦେଖିବା ପାଇଁ ଏଥିରେ ଏକ୍ସ-ରେ ବୈଶିଷ୍ଟ୍ୟ ରହିଥିବା କୁହାଯାଇଛି ବୋଲି କୁହାଯାଏ। ଏ ନେଇ ମହାରାଷ୍ଟ୍ର ସାଇବର ବିଭାଗ ଅଧୀକ୍ଷକ ବଲସିଂ ରାଜପୁତ କହିଛନ୍ତି ଯେ ଏହା ଏକ ଗୁରୁତର ଅପରାଧ ଏବଂ ସେହି ସାଇବର ଅପରାଧକୁ ରୋକିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।
‘ଶାଢ଼ୀ ଚ୍ୟାଲେଞ୍ଜ’ରେ ନିଜର ଶାଢ଼ୀ ପିନ୍ଧିଥିବା ଫଟୋ ପୋଷ୍ଟ ସହ ୨୫ ଜଣଙ୍କୁ ଟ୍ୟାଗ କରାଯାଉଥିବାରୁ ସାଇବର ଅପରାଧୀଙ୍କୁ ଅତି ସହଜରେ ଅନଲାଇନରେ ଫଟୋ ମିଳିଯାଏ ଓ ସେମାନେ ସେହି ଫଟୋର ନଗ୍ନ ଚିତ୍ର ବିଭିନ୍ନ ଡେଟିଂ ଆପରେ ବ୍ୟବହାର କରି ଭାଇରଲ କରିଥାନ୍ତି।
କେମିତି ‘ଶାଢ଼ୀ ଚ୍ୟାଲେଞ୍ଜ’କୁ ଆକର୍ଷିତ କରିଥାନ୍ତି ସାଇବର ଅପରାଧୀ –
୧. ବିଶ୍ୱରେ ଏତେ ସବୁ ନକାରାତ୍ମକତା ସତ୍ୱେ ଆସନ୍ତୁ କିଛି ସକାରାତ୍ମକ କରିବା!!
୨. ତୁମେ ନିଜର “ଶାଢ଼ୀ ପୋଷାକ” ଚିତ୍ର ଅପଲୋଡ୍ କର … କେବଳ ତୁମେ। ତା’ପରେ ଆହୁରି କିଛି ସୁନ୍ଦର ମହିଳାଙ୍କୁ ଟ୍ୟାଗ୍ କରନ୍ତୁ।
୩. ଯଦି ମୁଁ ତୁମକୁ ଟ୍ୟାଗ୍ କରିଛି, ମୋତେ ନିରାଶ କର ନାହିଁ, ଦୟାକରି ତାହା କର!!!!



