ବଜ୍ରପାତ ଚିନ୍ତା : ଆଗୁଆ ସତର୍କ ପାଇଁ ଯୋଜନା

0

ଭୁବନେଶ୍ୱର : ବଜ୍ରପାତରେ ପ୍ରତିବର୍ଷ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟୁଛି। ବହୁ ସଂଖ୍ୟାରେ ଗୃହପାଳିତ ପଶୁ ମଧ୍ୟ ମରୁଛନ୍ତି। ଏହା ସରକାରଙ୍କ ଚିନ୍ତା ବଢ଼ାଇଛି। ଏହାକୁ ପ୍ରତିହତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ସରକାର। ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ ଏବଂ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଲାଇଟ୍‌ନିଂ ସେନ୍‌ସର ସ୍ଥାପନ କରାଯିବ। ଏ ନେଇ ରାଜ୍ୟ ସରକାର ଆମେରିକାର ଆର୍ଥ ନେଟୱର୍କ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରିବେ। ସପ୍ତାହକ ମଧ୍ୟରେ ସଂପୃକ୍ତ ସଂସ୍ଥା ସହ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିବେ ବୋଲି ସ୍ୱତନ୍ତ୍ର ରିିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏହି ସଂସ୍ଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କାର୍ଯ୍ୟ କରୁଛି। ସଂପୃକ୍ତ ସଂସ୍ଥାକୁ ନିୟୋଜିତ କରାଯିବା ଦ୍ୱାରା ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି। ବଜ୍ରପାତ ସମ୍ପର୍କରେ ପୂର୍ବ ସୂଚନା ନେଇ କୌଣସି ବ୍ୟବସ୍ଥା ନଥିବା ଏବଂ ସଚେତନତା ଅଭାବରୁ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଲାଇଟ୍‌ନିଂ ସେନ୍‌ସର ମାଧ୍ୟମରେ ପ୍ରାକ୍‌ ବଜ୍ରପାତର ସୂଚନା ମିଳିପାରିବ। ଏସଏମଏସ ଏବଂ ଅନ୍ୟାନ୍ୟ ମାଧ୍ୟମରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକମାନଙ୍କୁ ଏହି ସୂଚନା ପ୍ରଦାନ ଦ୍ୱାରା ଧନଜୀବନ ରକ୍ଷା କରାଯାଇପାରିବ। ଏହି ସେନ୍‌ସର ବିଭିନ୍ନ ମନ୍ଦିର, ବାତ୍ୟା ଆଶ୍ରୟସ୍ଥଳୀ ଓ ସୁଉଚ୍ଚ କୋଠାରେ ଲଗାଯିବ।
ସେନ୍‌ସର ୧୦୦କିମି ପର୍ଯ୍ୟନ୍ତ ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରିବ। ସଂପୃକ୍ତ ସଂସ୍ଥା ଏ ସମ୍ପର୍କରେ ଅବଗତ କରିବା ମାତ୍ରେ ରେଡିଓ, ଟେଲିଭିଜନ ଏବଂ ବିଭିନ୍ନ ଗଣମାଧ୍ୟମ ଜରିଆରେ ସୂଚନା ପ୍ରଦାନ କରାଯିବ। ବଜ୍ରପାତ ସମ୍ପର୍କରେ ଲୋକଙ୍କୁ ଆଗରୁ ସତର୍କ କରାଇ ଦିଆଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।ଚଳିତ ଆର୍ଥିକବର୍ଷରେ ଏପ୍ରିଲରୁ ଏପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି।

Leave A Reply