ମୁକ୍ତ ବିହଙ୍ଗର ଯନ୍ତ୍ରଣା ; ମାତ୍ରାଧିକ ନିର୍ଭରଶୀଳତା ଅହିତକର

ସ୍ୱାଧୀନତାର ସ୍ୱାଦ ବା ମୁକ୍ତିର ଆନନ୍ଦ ସମସ୍ତଙ୍କ କାମ୍ୟ। ଏହା ହିଁ ଜ୍ଞାନ, ବିକାଶ ଓ ଉନ୍ନତିର ମାର୍ଗ ପ୍ରଦର୍ଶିତ କରେ, ମାତ୍ର ସବୁକ୍ଷେତ୍ରରେ ଓ ସମସ୍ତଙ୍କ ପାଇଁ ସ୍ୱାଧୀନତାର ଏକ ଲକ୍ଷ୍ମଣରେଖା ରହିଛି। ଯଦି ସ୍ୱାଧୀନତା ନିୟନ୍ତ୍ରଣହୀନ ହୁଏ, ତେବେ ତାହା ଯନ୍ତ୍ରଣାକୁ ଆମନ୍ତ୍ରଣ କରେ। ଧରାଯାଉ ଦୀର୍ଘ ବର୍ଷ ଧରି ବନ୍ଦୀ ଥିବା ଏକ ପକ୍ଷୀକୁ ପିଞ୍ଜରାମୁକ୍ତ କରିଦିଆଗଲା। ମୁକ୍ତିର ଅତିଶୟ ଆନନ୍ଦରେ ସେ ଅଧିର ଭାବରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଛୁଇଁବାକୁ ସାଗର ମହାସାଗର ଲଂଘି ଉଡ଼ିବୁଲିଲା। ପ୍ରତିଦିନ ନୂଆନୂଆ ଫୁଲର ମହକ ଓ ଫଳର ସ୍ୱାଦକୁ ମନଭରି ଉପଭୋଗ କରୁଥିବା ପକ୍ଷୀଟିର ଶରୀର କିନ୍ତୁ ବାରମ୍ବାର ଜଳବାୟୁ ପରିବର୍ତ୍ତନଜନିତ ପରିବେଶ ସହିତ ଏତେ ଶୀଘ୍ର ଖାପ୍‍ଖୁଆଇବା ପାଇଁ ପ୍ରସ୍ତୁତ ନ ଥିଲା। ଶେଷରେ ପକ୍ଷୀଟି ରୋଗାକ୍ରାନ୍ତ ହେଲା ଏବଂ ତାର ଶରୀର ଅବଶ ହେବାରେ ଲାଗିଲା। ଏବେ ବିଶ୍ୱ ଅର୍ଥନୀତିର ସ୍ଥିତି ସେହି ରୋଗାକ୍ରାନ୍ତ ମୁକ୍ତ ବିହଙ୍ଗ ଭଳି ଅବସ୍ଥା ଦେଇ ଗତି କରୁଛି କହିଲେ ଭୁଲ୍‍ ହେବ ନାହିଁ।
ବିଗତ ଶତାବ୍ଦୀର ଅଶୀ ଦଶକର ଶେଷଭାଗ ପର୍ଯ୍ୟନ୍ତ ଦେଶ ବା ଆଞ୍ଚଳିକତାର ନୀତି ନିୟମ ଓ କଟକଣାରେ ବନ୍ଦୀ ଥିବା ବିହଙ୍ଗ ରୂପକ ବିଶ୍ୱ ଅର୍ଥନୀତି ହଠାତ୍‍ ପିଞ୍ଜରାମୁକ୍ତ ହେଲା ନବେ ଦଶକର ପ୍ରାରମ୍ଭରେ। ସ୍ୱାଧୀନ ହେବା ପରେ ଜଗତୀକରଣ, ଘରୋଇକରଣ ଓ ଉଦାରୀକରଣର ସନ୍ଦେଶ ନେଇ ସେ ବିଶ୍ୱ ଅଭିଯାନ ଆରମ୍ଭ କଲା। ଏହି ଅଭିଯାନ ମଧ୍ୟ ଏତେ ସହଜ ଓ ସାବଲୀଳ ନଥିଲା। ମୁକ୍ତ ବାଣିଜ୍ୟର ପ୍ରତୀକ ସେହି ମୁକ୍ତ ବିହଙ୍ଗକୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଅନେକ ବିରୋଧ-ପ୍ରତିରୋଧ, ବିବାଦ-ଅପବାଦ, ଆଲୋଚନା-ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଲା। ଗୋଟିଏ ପରେ ଗୋଟିଏ ଅବରୋଧକୁ ଅବଲୀଳାକ୍ରମେ ଅତିକ୍ରମ କରି ଚାଲୁଥିବା ମୁକ୍ତ ବିହଙ୍ଗ ଆଗରେ କିନ୍ତୁ ସବୁଠାରୁ ବଡ଼ ଆହ୍ୱାନ ଥିଲା ଚୀନ୍‍ ବଜାର। ସେହି ନିଷିଦ୍ଧ ଇଲାକାର ସୀମା ଅତିକ୍ରମ କରିବା ପରେ ମୁକ୍ତ ବିହଙ୍ଗ ଏକପ୍ରକାର ଦୁର୍ବାର ଓ ଅପରାଜେୟ ପାଲଟିଗଲା। ପରବର୍ତ୍ତିତ ଦୃଶ୍ୟପଟରେ ଉପରୋକ୍ତ ଉଦାହରଣ ପ୍ରକାରେ ମୁକ୍ତ ବିହଙ୍ଗ ଏବେ କରୋନାରେ ଆକ୍ରାନ୍ତ। ବିଶେଷଜ୍ଞ(ଅର୍ଥ)ଙ୍କ ମତରେ ନିକଟ ଭବିଷ୍ୟତରେ ମୁକ୍ତ ବିହଙ୍ଗରୂପୀ ବିଶ୍ୱ ଅର୍ଥନୀତି ଆରୋଗ୍ୟ ହେବାର ସମ୍ଭାବନା ନାହିଁ।
ଚୀନ୍‍ର ଉହାଙ୍ଗ ପ୍ରଦେଶରୁ ସୃଷ୍ଟ କରୋନା ଭୂତାଣୁ(କୋଭିଡ୍‍ ୧୯)କୁ ନେଇ ଦୁଇଟି ଆନ୍ତର୍ଜାତିକ ଅନୁଷ୍ଠାନ ଏବେ ଅଧିକ ଚିନ୍ତିତ। ଗୋଟିଏ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟଟି ବିଶ୍ୱ ବ୍ୟାଙ୍କ। ଭୂତାଣୁ ସଂକ୍ରମଣକୁ କିପରି ରୋକା ଯାଇପାରିବ, ଆକ୍ରାନ୍ତଙ୍କ ଚିକିତ୍ସା କିଭଳି କରାଯିବା ଉଚିତ ସେ ସମ୍ପର୍କିତ ମାର୍ଗଦର୍ଶିକା ବିଶ୍ୱର ସମସ୍ତ ଦେଶର ଡାକ୍ତରଖାନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଇଥିଲା ବେଳେ ଟିକା ଉଦ୍‍ଭାବନ ପାଇଁ ଜୈବବିଜ୍ଞାନୀ ଓ ଆୟୁର୍ବିଜ୍ଞାନୀମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତି। ବିଶ୍ୱବାସୀଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଜ୍ଞାନୀମାନେ ଯେତିକି ତତ୍ପର କରୋନା ପ୍ରଭାବରୁ ବିଶ୍ୱ ଅର୍ଥନୀତିକୁ କିଭଳି ଉଦ୍ଧାର କରାଯାଇପାରିବ ତାହାକୁ ନେଇ ଅର୍ଥନୀତିଜ୍ଞମାନେ ମଧ୍ୟ ସମ ପରିମାଣରେ ଚିନ୍ତିତ।
କରୋନା ଯୋଗୁଁ ଚୀନ୍‍ ଅର୍ଥନୀତିର ଅଧୋଗତି କ୍ରମଶଃ ଦ୍ରୁତ ହେବାରେ ଲାଗିଛି। ସେହି ଦେଶର ଅଭିବୃଦ୍ଧି ହାର ଗତ ତିନି ମାସ ମଧ୍ୟରେ ୩% ହ୍ରାସ ପାଇଛି। କେବଳ ସେତିକି ନୁହେଁ, ଚୀନ୍‍ର ପଡ଼ୋଶୀ ରାଷ୍ଟ୍ର ଓ ଚୀନ୍‍ ବଜାର ଉପରେ ନିର୍ଭରଶୀଳ ଅନ୍ୟ ଦେଶର ଅର୍ଥନୀତି ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଇତିମଧ୍ୟରେ ଅନେକ ବିଦେଶୀ କମ୍ପାନୀ ଚୀନ୍‍ରେ ସେମାନଙ୍କର ଉତ୍ପାଦନ ୟୁନିଟ୍‍ ବନ୍ଦ କରିସାରିଛନ୍ତି। ବିପୁଳ ସଂଖ୍ୟାରେ କର୍ମଚାରୀ ଛଟେଇ ଆରମ୍ଭ ହୋଇଛି। ଚୀନ୍‍ର କଞ୍ଚାମାଲ୍‍ ଉପରେ ନିର୍ଭର କରୁଥିବାରୁ ଭାରତର ଉତ୍ପାଦନ ଶିଳ୍ପର ଭବିଷ୍ୟତ ମଧ୍ୟ ଖୁବ୍‍ ଶୀଘ୍ର ସଙ୍କଟ ମଧ୍ୟକୁ ଠେଲି ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। କରୋନାର ପ୍ରଭାବ ଭାରତ ସମେତ ବିଶ୍ୱ ପ୍ରତିଭୂତି ବଜାରର ଅନୁଭୂତ ହୋଇଛି। ନିବେଶକମାନେ ପ୍ରତିଦିନ ଲକ୍ଷାଧିକ କୋଟି ଡଲାର ହରାଇ ଚିନ୍ତାରେ ପଡ଼ିଛନ୍ତି।
ଏଠି ପ୍ରଶ୍ନ ଉଠିପାରେ ବିଶାଳ ବିଶ୍ୱ ଆଗରେ ଉହାନ୍‍ ପରି ଏକ କ୍ଷୁଦ୍ର ଅଞ୍ଚଳରେ ସୃଷ୍ଟ ସ୍ୱାସ୍ଥ୍ୟ ସମସ୍ୟା ସମଗ୍ର ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି କିପରି ଓ କାହିଁକି? ଏହାର ଉତ୍ତର ସେହି ମୁକ୍ତ ବିହଙ୍ଗର ସନ୍ଦେଶ(ଜଗତୀକରଣ)ରେ ନିହିତ ଅଛି। ଚୀନ୍‍ର ସୁଲଭ ଶ୍ରମ ଶକ୍ତି, ଅବିଶ୍ୱସନୀୟ ଦକ୍ଷତା, ଉତ୍ପାଦନ କୌଶଳ, ବିଶାଳ ବଜାର ଓ ପର୍ଯ୍ୟାପ୍ତ ବନ୍ଦର ସୁବିଧା ଯୋଗୁଁ କ୍ରମଶଃ ବିଶ୍ୱର କମ୍ପାନୀମାନେ ଚୀନ୍‍ ମୁହାଁ ହେବାକୁ ଲାଗିଲେ। କାଳକ୍ରମେ ଚୀନ୍‍ ବିଶ୍ୱର ପ୍ରମୁଖ ଉତ୍ପାଦନ ପେଣ୍ଠ ସ୍ଥଳ ଭାବରେ ପରିଗଣିତ ହେବାରେ ଲାଗିଲା। ଏବେ ବିଶ୍ୱର ସର୍ବାଧିକ ପଣ୍ୟବାହୀ ଜାହାଜ ଚୀନ୍‍ ଦ୍ୱାରା ପରିଚାଳିତ ହେଉଥିବାବେଳେ ସେଠାରେ ଗତ ବର୍ଷ ଶେଷ ସୁଦ୍ଧା ଦୈନିକ ହାରାହାରି ୭,୧୫,୦୦୦ କଣ୍ଟେନର କାର୍ଯ୍ୟକ୍ଷମ ଥିଲା, ଯାହା ବିଶ୍ୱର ମୋଟ କଣ୍ଟେନର ପରିମାଣର ୩୦%। ତେଣୁ ଚୀନ୍‍ରେ କରୋନା ସଂକ୍ରମିତ ଅର୍ଥନୀତି ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବା ଅସ୍ୱାଭାବିକ ନୁହେଁ।
ମୁକ୍ତ ବିହଙ୍ଗର ସଂକ୍ରମଣର ଏହା ପ୍ରଥମ ଘଟଣା ନୁହେଁ। ୨୦୦୮ରେ ମଧ୍ୟ ଏଭଳି ଘଟଣା ଘଟିଥିଲା ଏବଂ ଏହାପଛର କାରଣ ଥିଲା ଗ୍ରୀସ୍‍ର ବିପର୍ଯ୍ୟସ୍ତ ଅର୍ଥନୀତି। ଅବଶ୍ୟ ୟୁରୋପୀୟ ସଂଘ ଦ୍ୱାରା ପ୍ରଚଳିତ ଏକକ ମୁଦ୍ରା ‘ୟୁରୋ’(ଯୌଥ ପରିବାରର ପ୍ରଭାବ) ଯୋଗୁଁ ଗ୍ରୀସର ସଙ୍କଟ ବିଳମ୍ବରେ ହେଲେ ମଧ୍ୟ ଟଳିଯାଇଥିଲା, କିନ୍ତୁ ତାହାର ପ୍ରଭାବ ଅଳ୍ପେବହୁତେ ବିଶ୍ୱ ଅର୍ଥନୀତିକୁ ଆକ୍ରାନ୍ତ କରିଥିଲା।
ଜଗତୀକରଣ ପରେ ସମଗ୍ର ବିଶ୍ୱ ଗୋଟିଏ ପରିବାର ଭାବେ ପରିଗଣିତ ହେଉଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ପରିବାରର ଜଣେ ସଦସ୍ୟ ଅସୁସ୍ଥ ହେଲେ ପୂରା ପରିବାର ଆକ୍ରାନ୍ତ ହେବାକୁ ବାଧ୍ୟ। ଏପରି ହେଲେ ପରିବାରର ମହତ୍ତ୍ୱ ଓ ଗୁରୁତ୍ୱ ହିଁ ଲୋପ ପାଇଯିବ। ଦୁର୍ବଳତମ ସଦସ୍ୟଙ୍କୁ ଆବଶ୍ୟକ ସହାୟତା, ସହଯୋଗ ଓ ଉତ୍ସାହ ଜରିଆରେ ସବଳ ଓ ପ୍ରତିଯୋଗୀକ୍ଷମ କରାଇବା ହିଁ ପରିବାରର ମୂଳ ମନ୍ତ୍ର। ଜଗତୀକରଣ ଏହି ମୂଳ ଲକ୍ଷ୍ୟରୁ ଦୂରେଇ ଯିବା ପରି ଲାଗୁଛି। ଉପଯୁକ୍ତ ଚିକିତ୍ସା ସହାୟତାରେ ଅସୁସ୍ଥ ସଦସ୍ୟଙ୍କୁ ଆରୋଗ୍ୟ କରିବାକୁ ହେଲେ ତାଙ୍କ ଉପରେ ଅଧିକ ନିର୍ଭରଶୀଳ(ଯାହା ଏବେ ଚୀନ୍‍ କ୍ଷେତ୍ରରେ ଦେଖାଯାଇଛି) ନ ହୋଇ ଯଥାସମ୍ଭବ ଦୂରତ୍ୱ ରକ୍ଷା କରି ଚିକିତ୍ସା ଓ ସେବା ଶୁଶ୍ରୂଷା କଲେ ପରିବାରର ହିତ ସାଧନ ହେବ। ଏଥିରୁ ମୁକ୍ତ ବିହଙ୍ଗ ଶିକ୍ଷା ଲାଭ କରିବାର ଅବକାଶ ସୃଷ୍ଟି ହୋଇଛି। ଭବିଷ୍ୟତରେ ଉପରୋକ୍ତ ସଙ୍କଟର ପୁନରାବୃତ୍ତି ରୋକିବାକୁ ହେଲେ ମୁକ୍ତ ବିହଙ୍ଗ ଯଥାସମ୍ଭବ ଲକ୍ଷଣ ରେଖା ମଧ୍ୟରେ ରହିବା ଉଚିତ ହେବ।

kalyan agarbati

Comments are closed.