www.samajalive.in
Sunday, December 7, 2025
16.1 C
Bhubaneswar

ମାଣତ୍ରୀ କଖାରୁଆ ବୈଦନାଥଙ୍କ ପୀଠରେ ତିନି ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ

ବଡ଼ସାହି : ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥଙ୍କ ମନ୍ଦିରରେ ମହାଶିବରାତ୍ରି ଅବସରରେ ଶୁକ୍ରବାର ତିନି ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଛି। ଏହି ପୀଠରେ ରାତ୍ରରେ ଚତୁର୍ଥ ପ୍ରହରରେ ମହାଦୀପ ଦେଉଳ ଉପରକୁ ଉଠୁଥିବାରୁ ଗତ ବର୍ଷ ପରି ବ୍ରତୀଙ୍କ ଭିଡ଼ ଲାଗିଛି। ନିଶୁଳ୍କ ଦୀପ ଜାଳିବା ବ୍ୟବସ୍ଥା ଓ ସୁଚିନ୍ତିତ ପ୍ରସ୍ତୁତି ପାଇଁଁ ଭକ୍ତଙ୍କ ସମାଗମ ବୃଦ୍ଧି ସାଙ୍ଗକୁ ଲକ୍ଷାଧିକ ବ୍ରତୀ ଜାଗର ଦୀପ ଜାଳିଛନ୍ତି। ଗୋଟା ଜାଗର ବ୍ରତୀମାନେ ସକାଳୁ ପାରମ୍ପାରିକ ରିତିନୀତିରେ ଦୀପ ଜାଳିଥିଲେ। ଗୁରୁବାର ଏକବାର ଉପବାସ ପରେ ପ୍ରତ୍ୟୁଷରୁ ମାନସିକ ଭକ୍ତ ବା ଦଣ୍ଡବତିଙ୍କ ଲମ୍ବାଧାଡି ଲାଗିଥଲା। ଭୋର ୪ଟାରେ ଦିଅଁଙ୍କ ପହଡ଼ ଭଙ୍ଗା ହୋଇ ଆଳତୀ ପରେ ବାଲ୍ୟ ଭୋଗ ଲାଗିଥିଲା। ୫ଟାରେ ସାଧାରଣ ଦର୍ଶନ ଓ ପୂଜା ଚାଲୁ ହୋଇଥିଲା। ଅପରାହ୍ଣ ୨ଟା ୩୦ମିନିଟରେ ପର୍ବାଣୀ ଭୋଗ ଅର୍ପଣ ସାଙ୍ଗକୁ ସନ୍ଧ୍ୟାରେ ଆଳତୀ ହୋଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଓ ପୂଜା ସ୍ୱାଭାବିକ ଚାଲୁରହିଅଛି। ପୀଠକୁ ଯୋଗ କରୁଥିବା ପ୍ରମୁଖ ରାସ୍ତା ପ୍ରଶସ୍ତିକରଣ ପରେ ଜନସମାଗମ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। ରାତି ୧୧ଟାରେ ସାଧାରଣ ଦର୍ଶନ ବନ୍ଦ ସାଙ୍ଗକୁ ସରକାରୀ ଖଟଣୀ ଓ ବିଶେଷ ପୂଜା ଆରମ୍ଭ ହୋଇ ରାତି ୧୨ଟାରୁ ୨ଟା ପର୍ଯ୍ୟନ୍ତ ସହସ୍ର କୁମ୍ଭାଭିଷେକ, ୨ଟା ୩୦ମିନିଟରେ ଶତଫଳ ଅର୍ପଣ, ୩ଟାରେ ଶୃଙ୍ଗାରବେଶ, ୩ଟାରୁ ୪ଟାରେ ନଗର କୀର୍ତ୍ତନ ସାଙ୍ଗକୁ ମହାଦୀପ ଉଠିବ। ଶନିବାର ଭୋର ୫ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ସୁନାବେଶ ଦର୍ଶନ ଚାଲୁ ରହିବ। ଧର୍ମଜାଗରଣ ସମିତି ପକ୍ଷରୁ ‘ଓଁ ନମଃ ଶିବାୟ ଜପ’ ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି। ମହାଦୀପ ଉଠିବା ପରେ ଏହି ଜପ ଶେଷ ହେବ। ସନ୍ଧ୍ୟାରେ ମନ୍ଦିର ଚର୍ତୁପାର୍ଶ୍ବରେ ଦୁଇ କିଲୋମିଟର ବ୍ୟାପୀ ଅଞ୍ଚଳରେ ବ୍ରତୀମାନେ ଅସ୍ଥାୟୀ ଶିବିରରେ ଦୀପ ଜାଳୁଛନ୍ତି। ସେହିପରି ଆଜିଠାରୁ ୧୨ଦିନ ବ୍ୟାପି ମେଳା ଆରମ୍ଭ ହୋଇଥିବାରୁ ସହସ୍ରାଧିକ ଉଠାଦୋକାନୀ ସେମାନଙ୍କର ପସରା ମେଲାଇଛନ୍ତି। ସିସି ଟିଭି କେମେରା ମାଧ୍ୟମରେ ପୂର୍ବବର୍ଷ ଭଳି ମନ୍ଦିର ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ କରାଯାଇଛି। ଶିବରାତ୍ରି ଦିନ ମେଳାରେ ଆମିଷ ଓ ମାଦକ ଦ୍ରବ୍ୟ ବିକ୍ରି ବନ୍ଦ ରହିଛି। ଇନ୍ଦ୍ରଭୂବନ ଗଣନାଟ୍ୟ ଆଜି ଠାରୁ ୪ଦିନଧରି ନାଟକ ପରିବେଷଣ ଆରମ୍ଭ କରିଥିବା ବେଳେ ସୋମବାର ଠାରୁ ରଙ୍ଗମହଲ ଓ ମଙ୍ଗଳବାର ଠାରୁ ସ୍ୱପ୍ନମହଲ ଗଣନାଟ୍ୟ ନାଟକ ପରିବେଷଣ କରିବେ। ମେଳାରେ ଦୋଳି, ଚିଡ଼ିଆଖାନା ଓ ମୀନାବଜାର ପାଇଁ ଦର୍ଶକଙ୍କ ଭିଡ଼ ଲାଗିଛି। ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡ଼ସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଯୁବ ବିଜେଡ଼ି ନେତା ଲଲାଟେନ୍ଦୁ ବେହେରା ଓ କଡ଼ଦା ସାଇସଙ୍ଗଠନ ପକ୍ଷରୁ ପୃଥକ ଷ୍ଟଲରେ ପିଇବାପାଣି ବଣ୍ଟନ କରରାଯାଉଛି। ସେହିପରି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ସରବତ ବଣ୍ଟନ କରିଛନ୍ତି। ମାଣତ୍ରୀ, ବେତନଟୀ, କୁଆମରା କଲେଜ, ମାଣତ୍ରୀ ଏସଏସଡ଼ି ବାଳିକା ହାଇସ୍କୁଲ, ଧର୍ମଜାଗରଣ ସମିତି ଓ ବିକେବି ୟୂଥକ୍ଲବର ସ୍ୱେଚ୍ଛାସେବୀ ଭିଡ଼ ନିୟନ୍ତ୍ରଣରେ ନିୟୋଜିତ ଅଛନ୍ତି। ସେହିପରି ବ୍ଲକର ବଦଳିଗାଁ, ତେନ୍ତୁଳିଗାଁ, ପଟିସାରୀ, ମୂଷାଗଡ଼ିଆ, ତେନ୍ତଳ, ଗମ୍ଭାରିଆ, ତାଳପଦା, ଦେଉଳିଆ, ସିଂହଟିଆ, ବଡ଼ସାହି, ବେଲପାଳ, ଘୁଷୁରିଆ, ଖୁଣ୍ଟାପାଳ, କୁଳିଅଣା, ମାଧପୁର, ଶାକୁଆ, ଆମ୍ବଡ଼ାଳି, ଜାଲଘେରା, ସାନକେରକୋ ଓ ଉଠାଣୀନୂଆଗାଁ ପ୍ରଭୃତି ଶିବମନ୍ଦିରରେ ଶିବରାତ୍ରି ପାଳିତ ହେଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories