କଟକ: ନାଗାଲାଣ୍ଡ କ୍ରିକେଟ୍ ଷ୍ଟାଡ଼ିୟମରେ ଭ୍ରମଣକାରୀ ଓଡ଼ିଶା ଓ ଘରୋଇ ନାଗାଲାଣ୍ଡ ମଧ୍ୟରେ ଖେଳାଯାଉଥିବା କର୍ଣ୍ଣେଲ ସିକେ ନାୟୁଡୁ ଟ୍ରଫି କ୍ରିକେଟ୍ ମ୍ୟାଚ୍ର ଶୁକ୍ରବାର ଥିଲା ପ୍ରଥମ ଦିନ। ପ୍ରଥମ ଦିନରେ ନାଗାଲାଣ୍ଡ ଦଳ ପ୍ରଥମ ଇନିଂସରେ ୧୯୩ ରନ୍ରେ ଅଲଆଉଟ୍ ହୋଇଥିବା ବେଳେ ଓଡ଼ିଶା ଦଳ ପ୍ରଥମ ଇନିଂସ ବ୍ୟାଟିଂ କରି କୌଣସି ୱିକେଟ୍ ନ ହରାଇ ୨୫ ରନ୍ ସଂଗ୍ରହ କରିଛି। ଟସ୍ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରିବାକୁ ନାଗାଲାଣ୍ଡକୁ ଆମନ୍ତ୍ରଣ କରିଥିଲା। ନାଗାଲାଣ୍ଡ ତରଫରୁ ନିଖିଲ ଗୌତମ ୯୦ ରନ୍, ପୁଚୁ ୨୩, ରେନ୍ଜାମୋ ୨୬, ଅଧିନାୟକ ସାମୱାଙ୍ଗ୍ ୨୦ ଓ ବିବେକ ୧୬ ରନ୍ କରିଥିବା ବେଳେ ୬ଜଣ ବ୍ୟାଟସମ୍ୟାନ୍ ଦୁଇ ଅଙ୍କବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ।
ଓଡ଼ିଶାର ବୋଲର ପ୍ରୀତ୍ କନୱାର ସିଂହ ୫ଟି ୱିକେଟ୍ ହାସଲ କରିଥିବା ବେଳେ ତାପସ କୁମାର ଦାସ ଓ ସୌରଭ କାନୋଜିଆ ଦୁଇଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଜବାବରେ ଓଡ଼ିଶା ଦଳ ବ୍ୟାଟିଂ କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୨୫ ରନ୍ କରିଛି। ଦଳ ତରଫରୁ ବିନିତ ମହାନ୍ତି ୭ ଓ ଅମ୍ରିତ୍ ଖଟୁଆ ୧୬ ରନ୍ କରି ଅପରାଜିତ ରହିଛନ୍ତି।



