୨୪ଘଣ୍ଟାରେ ପ୍ରବଳ ବର୍ଷା

0

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଏବେ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟକୁ ମୁହାଁଉଥିବାବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ସିକିମ ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି। ରାଜ୍ୟରେ ଏବେ ପ୍ରାକ ମୌସୁମି ବର୍ଷା ସକ୍ରିୟ ରହିଛି।
ପଞ୍ଜାବରୁ ଓଡ଼ିଶା ପର୍ଯ୍ୟନ୍ତ ହରିୟାନା, ଛତିଶଗଡ଼ ଦେଇ ପୂର୍ବରୁ ପଶ୍ଚିମ ଏକ ଟ୍ରଫଲାଇନ ଗତି କରିଥିବାବେଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୮ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶାକୁ ମୌସୁମି ମୁହାଁଇବାରେ ସହାୟକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଅନୁଗୋଳ, ବାରିପଦା, କେନ୍ଦୁଝରଗଡ଼, ଟିଟିଲାଗଡ଼ ଓ ଢ଼େଙ୍କାନାଳରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ପ୍ରାକ ମୌସୁମି ବର୍ଷା ପ୍ରଭାବରେ କେବଳ ଟିଟିଲାଗଡ଼କୁ ଛାଡ଼ିଦେଲେ ସମଗ୍ର ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପାରଦ ୪୦ ଡ଼ିଗ୍ରୀ ତଳକୁ ଖସିଛି। ଟିଟିଲାଗଡ଼ରେ ପାରଦ ୪୧ଡ଼ିଗ୍ରୀ ଥିବା ଜଣାପଡ଼ିଛି। ଗତ ୨୪ଘଣ୍ଟା ଭିତରେ ଅନୁଗୋଳରେ ୨୫, ବାରିପଦାରେ ୨୮, ଢ଼େଙ୍କାନାଳରେ ୧୬ ମିମି ବର୍ଷା ରେକର୍ଡ଼ କରାଯାଇଛି। ଆସନ୍ତାକାଲିଠାରୁ ୧୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ ବୋଲି ସୂଚନା ମିଳିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି,
କୋରାପୁଟ, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଅନ୍ୟ କେତେକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Leave A Reply