www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ପଶ୍ଚିମ ଓଡ଼ିଶା ବନ୍ଦ

ସମ୍ବଲପୁର : ପଶ୍ଚିମ ଓଡ଼ିଶା ଓକିଲ ସମୂହ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର, ଭାରତୀୟ ବାର କାଉନସିଲ ଓ ଓଡ଼ିଶା ରାଜ୍ୟ ବାର କାଉନସିଲଙ୍କ ଅସହଯୋଗ ଓ ଅସୂୟା ମନୋଭାବର ପ୍ରତିବାଦରେ ‘ଫାଇଟ୍‌ ଫର ଲୟର୍ସ ରାଇଟ୍‌’ ବ୍ୟାନରରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମାଞ୍ଚଳର ୧୦ ଜିଲାରୁ ୯ ଜିଲା- ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ନୂଆପଡ଼ାରେ ଆସନ୍ତା କାଲି ବନ୍ଦ ପାଳନ କରାଯାଉଛି। ତେବେ କଳାହାଣ୍ଡି ଜିଲାରେ ବନ୍ଦ ପାଳନ ନ କରି କେବଳ ଓକିଲମାନେ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କଳାହାଣ୍ଡି ଜିଲା ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା କହିଛନ୍ତି ଯେ ‘ବନ୍ଦ’ ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି। କିନ୍ତୁ ମାତ୍ର ‘ବନ୍ଦ’ ପାଇଁ ଆବା୍ୟକ ପ୍ରସ୍ତୁତି ମାତ୍ର ଗୋଟିଏ ଦିନରେ ସମ୍ଭବ ନ ହେବାରୁ କାଲି ଜିଲା ବନ୍ଦ ନ କରି କେବଳ ଓକିଲମାନେ କାର୍ଯ୍ୟ ବନ୍ଦ ରଖିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ହାଇକୋର୍ଟ ବେଞ୍ଚ ଦାବିରେ କୋର୍ଟ ଅଚଳ କରିଥିବା ପଶ୍ଚିମ ଓଡ଼ିଶର ୧୭ ବାର ଏସୋସିଏସନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ରାଜ୍ୟ ବାର କାଉନସିଲ ଭାରତୀୟ ବାର କାଉନସିଲକୁ ଚିଠି ଲେଖିବା ପରେ ପଶ୍ଚିମ ଓଡ଼ିଶା ଓକିଲ ସମୂହ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ବାର କାଉନସିଲ ହାଇକୋର୍ଟ ବେଞ୍ଚ ଆନ୍ଦୋଳନର ନେତୃତ୍ୱ ନେଉଥିବା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ସହ ସମ୍ବଲପୁର, ବଲାଙ୍ଗିର, ବଣାଇଁ, ରାଜଗାଙ୍ଗପୁର, ପଦ୍ମପୁର, କୁଚିଣ୍ଡା, ଅତାବିରା, ଦେବଗଡ଼, ରେଢ଼ାଖୋଲ, ସୋହେଲା, ବରପାଲି, ସୋନପୁର, ବୀରମହାରାଜପୁର, ବିନିକା, ତରଭା, ଲୋଇସିଂହା ଓ ଝାରସୁଗୁଡ଼ା ଆଦି ୧୭ ବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ବାର କାଉନସିଲକୁ ଚିଠି ଲେଖିଥିଲା। ପଶ୍ଚିମ ଓଡ଼ିଶା ଓକିଲଙ୍କ ପ୍ରତି ରାଜ୍ୟ ବାର କାଉନସିଲର ଏଭଳି ନକାରାତ୍ମକ ଆଭିମୁଖ୍ୟର ଦୃଢ଼ ପ୍ରତିବାଦ କରିବାକୁ ଗତ ଜାନୁଆରୀ ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ୮ ଜିଲାର ୨୭ଟି ଓକିଲ ସଂଘ ବଲାଙ୍ଗିରରେ ସମ୍ମିଳିତ ହୋଇଥିଲେ। ରାଜ୍ୟ ବାର କାଉନସିଲର ଦମନମୂଳକ ନୀତି ପ୍ରତିବାଦରେ ଫେବ୍ରୁଆରୀ ୫ ତାରିଖ ପଶ୍ଚିମ ଓଡ଼ିଶା ବନ୍ଦ କରିବାକୁ ବଲାଙ୍ଗିର ବୈଠକରେ ପ୍ରସ୍ତାବ ଗୃହିତ ହୋଇଥିଲା।

‘ବନ୍ଦ’ ଡାକରା ସମ୍ପର୍କରେ ସିଏସି ଆବାହକ ଅଶୋକ କୁମାର ଦାଶ ‘ସମାଜ’କୁ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ଓକିଲମାନଙ୍କ ବିରୋଧରେ କୁତ୍ସାରଟନା କରି ଭାରତୀୟ ବାର କାଉନସିଲକୁ ବିଭ୍ରାନ୍ତମୂଳକ ତଥ୍ୟ ଦିଆଯାଉଛି। କେବଳ ଆମର ‘କାର୍ଯ୍ୟବନ୍ଦ’ କଥା କୁହାଯାଉଛି, କିନ୍ତୁ ଯେଉଁ ମହତ ଉଦ୍ଦେଶ୍ୟରେ ଆମେ କାର୍ଯ୍ୟବନ୍ଦ କରୁଛୁ ତାକୁ ଉଦ୍ଦେଶ୍ୟମୂୂଳକ ଭାବେ ଉହ୍ୟ ରଖା ଯାଉଛି। ଭାରତୀୟ ବାର କାଉନସିଲ ଓ ଓଡ଼ିଶା ବାର କାଉନସିଲ ପଶ୍ଚିମ ଓଡ଼ିଶାର ଓକିଲଙ୍କୁ ଦମନ କରିବା ପାଇଁ ନାନା ପ୍ରକାର ଚକ୍ରାନ୍ତ କରି ଆସୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ହାଇକୋର୍ଟ ବେଞ୍ଚ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ ନ କରି କେବଳ ପଶ୍ଚିମ ଓଡ଼ିଶାର ଭାବନା ସହ ଖେଳୁଛନ୍ତି। ତେଣୁ ଏହି ଚାରି ପକ୍ଷଙ୍କ ବିରୋଧରେ ‘ଫାଇଟ୍‌ ଫର ଲୟର୍ସ ରାଇଟ୍‌’ ବ୍ୟାନରରେ କାଲି ବନ୍ଦ ଡାକରା ଦିଆଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି।

- Advertisement -

ପଶ୍ଚିମ ଓଡ଼ିଶା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ବାର କାଉନସିଲକୁ ଓଡ଼ିଶା ବାର କାଉନସିଲର ଚିଠି ଓ ଆନ୍ଦୋଳନକାରୀ ଓକିଲଙ୍କ ଓକିଲାତି ଲାଇସେନ୍ସ ବାତିଲ କରିବାକୁ ସୁପ୍ରିମକୋର୍ଟଙ୍କ ଚେତାବନୀ ପଶ୍ଚିମ ଓଡ଼ିଶା ଓକିଲଙ୍କୁ ପୁଣି ଥରେ ଗୋଟିଏ ମଞ୍ଚରେ ଛିଡ଼ା କରିବାରେ ସହାୟକ ହୋଇଛି। ଜଣକର ଲାଇସେନ୍ସ ବାତିଲ କଲେ ସମଗ୍ର ପଶ୍ଚିମ ଓଡ଼ିଶାର ସବୁ ଓକିଲ ସମୂହ ଲାଇସେନ୍ସ ଫେରସ୍ତ କରିଦେବାକୁ ବଲାଙ୍ଗିର ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି ବୋଲି ସମ୍ବଲପୁର ଜିଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରିୟ ପ୍ରଧାନ କହିଛନ୍ତି। କାଲି ଦୋକାନବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଚଳାଚଳ, ବ୍ୟାଙ୍କ ଓ ସ୍କୁଲ କଲେଜ ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।
.

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories