ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ଆକ୍ଦନ ମୋଡ୍ରେ ବିଏମ୍ସି ଏବଂ ବିଡିଏ। ଶେଷରେ ବ୍ୟବସ୍ଥା ନଥିବା ୮ କଲ୍ୟାଣ ମଣ୍ଡପକୁ ପୁଲିସ ସହାୟତାରେ ସୋମବାର ସିଲ୍ କରାଯାଇଛି। ବିଏମ୍ସିର ତିନିଟି ଜୋନ୍ କାର୍ଯ୍ୟାଳୟ ଅଧୀନରେ ଥିବା ମଣ୍ଡପ ବିରୋଧରେ ଏପରି ପଦକ୍ଷେପ ନିଆଯାଇଛି।
ସିଲ୍ ପାଇଁ ଜୋନ୍ କାର୍ଯ୍ୟାଳୟର ଡେପୁଟି କମିସନରଙ୍କ ନେତୃତ୍ବରେ ମିଳିତ ସ୍କ୍ବାଡ୍ ମଣ୍ଡପସ୍ଥଳରେ ପହଞ୍ଚିଥିଲେ। ମଣ୍ଡପ ଭିତରେ ଥିବା ଲୋକଙ୍କୁ ସ୍କ୍ବାଡ୍ ବାହାରକୁ ବାହାର କରି ମଣ୍ଡପ ପ୍ରବେଶ ଦ୍ବାରକୁ ତାଲା ପକାଇ ସିଲ୍ କରି ଦେଇଥିଲେ। କଲେଜ ପରିସରରେ କଲ୍ୟାଣ ମଣ୍ଡପ ଚାଲୁଥିବା ନେଇ ବିଏମ୍ସି ପାଖରେ ଅଭିଯୋଗ ହୋଇଥିଲା। ଏହି କ୍ରମରେ ସ୍କ୍ବାଡ୍ ନୀଳକେଣ୍ଠଶ୍ବର ଲାଇବ୍ରେରି ଆଣ୍ଡ କଲ୍ୟାଣ ମଣ୍ଡପକୁ ସିଲ୍ କରିଛି। ସେହିଭଳି ସହିଦନଗର ପାଲଡିୟମ କୋର୍ଟୟାର୍ଡ ମଣ୍ଡପ, ପଟିଆ ରିଷି ରିସୋର୍ଟ, ସାମନ୍ତପୁରୀ ହୋଟେଲ ଆତ୍ମାରାମ ବିବାହ ମଣ୍ଡପ, ବରମୁଣ୍ଡା ହୋଟେଲ ଚନ୍ଦନ ଆଣ୍ଡ କଲ୍ୟାଣ ମଣ୍ଡପ, କୋଳଥିଆ, ଖଣ୍ଡଗିରିସ୍ଥିତ ଶ୍ରୀ ସାଇ ଗାର୍ଡେନ କଲ୍ୟାଣ ମଣ୍ଡପ, ସୈନିକ ସ୍କୁଲ ନିକଟରେ ଥିବା ଜେବି ବିବାହ ମଣ୍ଡପ ଏବଂ ଗାଡ଼କଣସ୍ଥିତ ଆରସିଏମ୍ ମାର୍କେଟ କେମ୍ପ୍ଲକ୍ସକୁ ସିଲ୍ କରି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪ଟି କଲ୍ୟାଣ୍ଡ ମଣ୍ଡପକୁ ସିଲ୍ କରିବାକୁ ବିଏମ୍ସି ଏବଂ ବିଡିଏ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେଥିରୁ ୮ କଲ୍ୟାଣ ମଣ୍ଡପକୁ ସିଲ୍ କରି ଦିଆଯାଇଛି। ସୂଚନାନୁଯାୟୀ, ବ୍ୟବସ୍ଥା ଭିତରେ ନଥିବା କଲ୍ୟାଣ ମଣ୍ଡପଗୁଡ଼ିକୁ ନିୟମିତ କରିବା ପାଇଁ ବିଏମ୍ସି ଏବଂ ବିଡିଏ ପକ୍ଷରୁ ନୋଟିସ୍ ଦିଆଯାଇ ଥିଲା। ସହରରେ ୯୪ କଲ୍ୟାଣ ମଣ୍ଡପ ରହିଛି। ବ୍ୟବସ୍ଥା ଅନୁଯାୟୀ ମଣ୍ଡପର ପରିମଳ ବ୍ୟବସ୍ଥା, ପାର୍କିଂ, ବର୍ଜ୍ୟବସ୍ତୁ ପରିଚାଳନା, ଆବଶ୍ୟକ ମୁକ୍ତସ୍ଥାନ, ଡ୍ରେନେଜ୍ ବ୍ୟବସ୍ଥା ଏବଂ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସଂକ୍ରାନ୍ତ କାଗଜପତ୍ର ବିଏମ୍ସି ଜୋନ୍ କାର୍ଯ୍ୟାଳୟରେ ଦାଖଲ କରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଥିଲା। ଶେଷ ଜାରିଖ ଜାନୁଆରୀ ୩୧ ଥିବାବେଳେ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ମାତ୍ର ୩୬ କଲ୍ୟାଣ ମଣ୍ଡପ ବିଏମ୍ସି ପାଖରେ କାଗଜପତ୍ର ଦାଖଲ କରିଥିଲେ। ଆସନ୍ତାକାଲି ମଧ୍ୟ ତିନିଟି ଜୋନ୍ କାର୍ଯ୍ୟାଳୟର ଡେପୁଟି କମିସନରଙ୍କ ନେତୃତ୍ବରେ ସ୍କ୍ବାଡ୍ ପହଞ୍ଚି ବେଆଇନ କଲ୍ୟାଣ ମଣ୍ଡପଗୁଡ଼ିକୁ ସିଲ୍ କରିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ମିଳିଛି।
ସିଲ୍ ହୋଇଥିବା ମଣ୍ଡପ
୧. ପାଲଡିୟମ୍ କୋର୍ଟୟାର୍ଡ ମଣ୍ଡପ, ସହିଦନଗର
୨. ରିଷି ରିସୋର୍ଟ, ପଟିଆ
୩. ହୋଟେଲ ଆତ୍ମାରାମ ବିବାହ ମଣ୍ଡପ, ସାମନ୍ତପୁରୀ
୪. ହୋଟେଲ ଚନ୍ଦନ ଆଣ୍ଡ୍ କଲ୍ୟାଣ ମଣ୍ଡପ, ବରମୁଣ୍ଡା
୫. ଶ୍ରୀ ସାଇ ଗାର୍ଡେନ କଲ୍ୟାଣ ମଣ୍ଡପ, କୋଳଥିଆ, ଖଣ୍ଡଗିରି
୬. ଜେବି ବିବାହ ମଣ୍ଡପ, ସୈନିକ ସ୍କୁଲ ପାଖ
୭. ନୀଳକେଣ୍ଠଶ୍ବର ଲାଇବ୍ରେରି ଆଣ୍ଡ୍ କଲ୍ୟାଣ ମଣ୍ଡପ, ଗଜପତିନଗର
୮. ଆରସିଏମ୍ ମାର୍କେଟ କେମ୍ପ୍ଲକ୍ସ, ଗାଡ଼କଣ
ଚିନ୍ତାରେ ବର-କନ୍ୟା ପରିବାର ଲୋକ : ବିଏମ୍ସି ଏବଂ ବିଡିଏ ଆବଶ୍ୟକ ବ୍ୟବସ୍ଥା ନଥିବା ବିବାହ ଏବଂ କଲ୍ୟାଣ ମଣ୍ଡପକୁ ସିଲ୍ ଅଭିଯାନ ଚଳାଇଛି। ବର୍ତ୍ତମାନ ବିବାହ ଋତୁ ଚାଲିଥିବାରୁ ମଣ୍ଡପ ବୁକ୍ କରିଥିବା ବର ଏବଂ କନ୍ୟା ପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି। ପାଞ୍ଜି ଅନୁସାରେ ଚଳିତ ମାସ ୩, ୪, ୧୬, ୨୫, ୨୬ ଏବଂ ୨୮ତାରିଖରେ ବିବାହ କାର୍ଯ୍ୟ ରହିଛି। ଏଥିପାଇଁ ୨/୩ ମାସ ଆଗରୁ ବର ଏବଂ କନ୍ୟା ପକ୍ଷ ମଣ୍ଡପ ବୁକିଂ କରିସାରିଛନ୍ତି। ବିକଳ୍ପ ବ୍ୟବସ୍ଥା ନକରି ମଣ୍ଡପଗୁଡ଼ିକ ସିଲ୍ କରାଯିବା ଦ୍ବାରା ବିବାହ କାର୍ଯ୍ୟ ସମ୍ପନ୍ନ ନେଇ ବର ଓ କନ୍ୟା ପରିବାରବର୍ଗଙ୍କ ମଧ୍ୟରେ ଭାଳେଣି ପଡ଼ିଗଲାଣି।



